ଶିକ୍ଷୟିତ୍ରୀଙ୍କ ସପକ୍ଷରେ ଥାନା ଘେରିଲେ ଛାତ୍ରଛାତ୍ରୀ; ସଚିବ କହିଲେ, କାର୍ଯ୍ୟାନୁଷ୍ଠାନ ହେବ

୧୦ ଛାତ୍ରଙ୍କ ଚୁଟି କାଟିଦେବା ପ୍ରସଙ୍ଗ

ପୁରୀ/ଭୁବନେଶ୍ୱର : ପୁରୀ ସଦର ବ୍ଲକ୍‌ ଅଧୀନ ରଘୁରାଜପୁର ଗାଁର କପତେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ କ୍ରୀଡ଼ା ଶିକ୍ଷୟିତ୍ରୀ ୧୦ ଜଣ ଛାତ୍ରଙ୍କ ଚୁଟି କାଟିଦେବାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଆଜି ଭିନ୍ନ ମୋଡ଼ ନେଇଛି। ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ସପକ୍ଷରେ ଆଜି ଶତାଧିକ ଛାତ୍ରଛାତ୍ରୀ ଚନ୍ଦନପୁର ଥାନା ଘେରାଉ କରିଛନ୍ତି। ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଉ ବୋଲି ସେମାନେ ଦାବି କରିଛନ୍ତି।

ତେବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ପ୍ରଦୀପ କୁମାର ମହାପାତ୍ର କହିଛନ୍ତି, ଏହି ଘଟଣାର ତଦନ୍ତ ଓ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦେଶ ଦିଆଯାଇଛି। ନିୟମାନୁସାରେ ବିଶୃଙ୍ଖଳିତ ଆଚରଣ ପାଇଁ ସଂପୃକ୍ତ ଶିକ୍ଷୟିତ୍ରୀଙ୍କ ଉପରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଆଜି ସ୍କୁଲ୍‌ ଛୁଟି ହେବା ପରେ ଦୀର୍ଘ ଦୁଇ ଘଣ୍ଟା ଧରି ଛାତ୍ରଛାତ୍ରୀମାନେ ଚନ୍ଦନପୁର ଥାନା ଘେରାଉ କରିବା ସହିତ ଭୁବନେଶ୍ୱର-ପୁରୀ ଜାତୀୟ ରାଜପଥ ଉପରେ ବସି ରହିଥିଲେ। ସଂପୃକ୍ତ ଶିକ୍ଷୟିତ୍ରୀ ମଧ୍ୟ ଛାତ୍ରଛାତ୍ରୀଙ୍କ ସହ ସେଠାରେ ଉପସ୍ଥିତ ଥିଲେ। ଅଭିଯୋଗ ହୋଇ ନ ଥିବାରୁ ଶିକ୍ଷୟିତ୍ରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ଥାନାଧିକାରୀ ଆଶ୍ୱାସନା ଦେବା ପରେ ଛାତ୍ରଛାତ୍ରୀମାନେ ରାଜପଥରୁ ହଟିଥିଲେ ଓ ଘଣକୁ ଫେରିଥିଲେ।

ସେପଟେ ଅଭିଯୋଗକାରୀଙ୍କ ଉପରେ ପ୍ରବଳ ଚାପ ସୃଷ୍ଟି ହେବା କାରଣରୁ ସେମାନେ ନିରବ ରହିଥିଲେ ବି ବିଦ୍ୟାଳୟର ଶହ ଶହ ଛାତ୍ରଛାତ୍ରୀଙ୍କୁ କିଏ ଓ କାହା ନିର୍ଦେଶରେ ଜାତୀୟ ରାଜପଥ ଉପରକୁ ଆଣିଲେ ବୋଲି ପ୍ରଶ୍ନ ଉଠିଛି।

ଇତିମଧ୍ୟରେ ଜିଲ୍ଲା ଶିକ୍ଷା ଅଧିକାରୀ ସଲୀଳା ସେଠୀଙ୍କର ଏକ ଭିଡିିଓ ବାର୍ତା ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଏଥିରେ ସେ ସମ୍ପୃକ୍ତ ଗ୍ରାମବାସୀଙ୍କୁ ଶିକ୍ଷୟିତ୍ରୀଙ୍କ ସପକ୍ଷରେ ବୁଝାଉଥିବା ଦେଖାଯାଇଛି। ଗଣମାଧ୍ୟମ ଦ୍ୱାରା ଗାଁ ବଦ୍‌ନାମ ହେଉଛି ବୋଲି ସେଥିରେ ସେ କହୁଥିବାର ଦେଖିବାକୁ ମିଳିଛି। ଏହି ଭିଡିିଓ ଭାଇରାଲ ହେବାର ୩ ଘଣ୍ଟା ପରେ ସ୍କୁଲ୍‌ର ଛାତ୍ରଛାତ୍ରୀ ଚନ୍ଦନପୁର ଥାନା ଘେରାଉ କରିଥିଲେ। ତେଣୁ ଶିକ୍ଷାଧିକାରୀଙ୍କ ପରାମର୍ଶ ବଳରେ ଶିକ୍ଷୟିତ୍ରୀଙ୍କ ସପକ୍ଷରେ ଏଭଳି ଆନ୍ଦୋଳନ ହୋଇଛି ବୋଲି କିଛି ଲୋକଙ୍କ ମୁହଁରୁ ଶୁଣାଯାଉଛି। ତେବେ ଜିଲ୍ଲା ଶିକ୍ଷାଧିକାରୀ ଏହାକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି ଯେ ପିଲାମାନେ ସଂପୃକ୍ତ ଶିକ୍ଷୟିତ୍ରୀଙ୍କୁ ଭକ୍ତି କରନ୍ତି। ନଖ କାଟିବା, ଶରୀରର ଯତ୍ନ ନେବା, ଶୃଙ୍ଖଳିତ ହେବା ପ୍ରଭୃତି ବିଭିନ୍ନ ଉପଦେଶକୁ କାର୍ଯ୍ୟକାରୀ କରିବା ପାଇଁ ଶିକ୍ଷୟିତ୍ରୀ ସବୁବେଳେ ପିଲାଙ୍କୁ ବୁଝାଇଥାନ୍ତି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ରଘୁରାଜପୁର ଗାଁର କପତେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗତ ୨୧ ତାରିଖରେ କେତେକ ଛାତ୍ରଙ୍କୁ ଛିଡ଼ା କରି ଜଣେ ଶିକ୍ଷୟିତ୍ରୀ (ପିଇଟି) ସେମାନଙ୍କ ଚୁଟି କାଟି ଦେଇଥିଲେ। ପୂର୍ବରୁ ଏଭଳି ଲମ୍ବା ଚୁଟି ନ ରଖିବା ପାଇଁ ସେ ତାଗିଦ୍‌ କରିଥିଲେ ମଧ୍ୟ ଏହି ଛାତ୍ରମାନେ ଚୁଟି କାଟି ନ ଥିବାରୁ ସେମାନଙ୍କ ଚୁଟିକୁ ଶିକ୍ଷୟିତ୍ରୀଜଣକ ନିଜ ହାତରେ କାଟି ପକାଇଥିଲେ। ତେବେ ପରେ ଯେତେବେଳେ ଅଭିଯୋଗ ହୋଇଥିଲା ସେତେବେଳେ ଶିକ୍ଷୟିତ୍ରୀ ଏହି ଦୋଷକୁ ସ୍ୱୀକାର କରିଥିଲେ ଏବଂ ଅଭିଭାବକମାନଙ୍କୁ କ୍ଷମା ପ୍ରାର୍ଥନ କରିଥିଲେ।

ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଏହି ଘଟଣାର ତଦନ୍ତ ପାଇଁ ଉପରିସ୍ଥ ଅଧିକାରୀ ନିର୍ଦେଶ ଦେଇଥିଲେ। ଏହି ଘଟଣାର ତଦନ୍ତ କେତେବାଟ ଗଲା, ସେ ନେଇ କେହି ମୁହଁ ଖୋଲୁନାହାନ୍ତି। କିନ୍ତୁ ହଠାତ୍‌ ଘଟଣାଟି ଭିନ୍ନ ମୋଡ଼ ନେଇଛି।

ସମ୍ବନ୍ଧିତ ଖବର