କଟକ : ରେଭେନ୍ସା ବିଶ୍ୱବିଦ୍ୟାଳୟରେ ପ୍ରତ୍ୟକ୍ଷ ଅଥବା ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ହେବ ନାହିଁ। ପରୋକ୍ଷ ନିର୍ବାଚନକୁ ବିରୋଧ କରି ରେଭେନ୍ସା ପରିସରରେ ଆଜି ଛାତ୍ର ଅଶାନ୍ତି ଲାଗି ରହିଥିବାବେଳେ କର୍ତ୍ତୃପକ୍ଷ ଏପରି ନିଷ୍ପତ୍ତି ନେଇଛନ୍ତି। ଏଭଳି ସ୍ଥିତିରେ ରେଭେନ୍ସା ପରିସରରେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି। ଛାତ୍ରଛାତ୍ରୀମାନେ ସାରାରାତି କୁଳପତି ଡକ୍ଟର ଇସାନ ପାତ୍ର ଓ ଅନ୍ୟ ଅଧ୍ୟାପକ ମାନଙ୍କୁ ଘେରାଉ କରି ରଖିଛନ୍ତି।
ରେଭେନ୍ସା ବିଶ୍ବବିଦ୍ୟାଳୟରେ ଶୃଙ୍ଖଳିତ ଓ ଶୈକ୍ଷିକ ବାତବରଣକୁ ବଜାୟ ରଖିବା ଉଦ୍ଦେଶ୍ୟରେ ଚଳିତବର୍ଷ ରେଭେନ୍ସା କର୍ତ୍ତୃପକ୍ଷ ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ କରିବାକୁ ସ୍ଥିର କରିଥିଲେ। ଏନେଇ ଗତ ଶୁକ୍ରବାର ଦିନ ଏକଜିକ୍ୟୁଟିଭ୍ କାଉନସିଲ୍ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ରେଭେନ୍ସା କର୍ତ୍ତୃପକ୍ଷ ଆଜି ଅପରାହ୍ନ ୨ଟାରେ ପରୋକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ। ମାତ୍ର ପ୍ରତ୍ୟକ୍ଷ ନିର୍ବାଚନ ଦାବିକରି ବିଶ୍ବବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଓ ଛାତ୍ର ସଂଗଠନ ଅପରାହ୍ନ ସାଢେ ୪ଟାରୁ ରାତି ୯ଟା ପର୍ଯ୍ୟନ୍ତ କୁଳପତି ପ୍ରଫେସର ଡକ୍ଟର ଇସାନ୍ କୁମାର ପାତ୍ର ଓ ସମସ୍ତ କର୍ତ୍ତୃପକ୍ଷଙ୍କୁ କୁଳପତିଙ୍କ ସମ୍ମିଳନୀ କକ୍ଷରେ ଘେରାଉ କରି ରଖିଥିଲେ। ପରିସରରେ ଅଶାନ୍ତିକୁ ନଜରରେ ରଖି ଆଜି ସକାଳୁ ଏକ ପ୍ଲାଟୁନ୍ ପୁଲିସ କ୍ୟାମ୍ପସରେ ମୁତୟନ କରାଯାଇଥିଲା। ତେବେ ସଂଧ୍ୟାରେ ଛାତ୍ର ଅଶାନ୍ତି ବଢିବାରୁ ଅଧିକ ସଂଖ୍ୟାର ଫୋର୍ସ ମୁତୟନ କରାଯାଇ କୁଳପତି ଓ ଅନ୍ୟ କର୍ତ୍ତୃପକ୍ଷଙ୍କୁ ରେଭେନ୍ସା ବାହାରକୁ ଅଣାଯାଇଥିଲା।
ଜ୍ୟୋତି ବିହାରରେ ଛାତ୍ର ଉତ୍ତେଜନା
ବୁର୍ଲା : ସମ୍ବଲପୁର ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଛି। ଏଥିଯୋଗୁଁ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନାମୂଳକ ସ୍ଥିତି ଲାଗି ରହିଛି। ଏପରିକି ବିଶ୍ୱବିଦ୍ୟାଳୟ ଆଡମିନିଷ୍ଟ୍ରେଟିଭ ବ୍ଲକ ସମ୍ମୁଖରେ ଭଙ୍ଗାରୁଜା ହୋଇଛି। ଉଭୟ ବିଜୁ ଛାତ୍ର ଜନତା ଦଳ ଏବଂ ଏବିଭିପି କର୍ମକର୍ତ୍ତାମାନେ ନିର୍ବାଚନ ବାତିଲକୁ ବିରୋଧ କରି ରାସ୍ତାକୁ ଓହ୍ଲାଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ବିଶ୍ୱବିଦ୍ୟାଳୟ ସମ୍ମୁଖରେ ୧ ପ୍ଲାଟୁନ ପୁଲିସ ମୁତୟନ ହୋଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/cuttack-ravenshaw-university-thare-election-pai-chatra-chatri-nka-dharana..-12.jpg)