ଭୁବନେଶ୍ୱର: କନିଷ୍ଠ ଶିକ୍ଷକ ନିଯୁକ୍ତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଆଜି ଛାତ୍ର କଂଗ୍ରେସ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଗଣଶିକ୍ଷା ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କ ସରକାରୀ ବାସଭବନକୁ ବିକ୍ଷୋଭକାରୀମାନେ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ। ସେହିଭଳି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କର କୁଶପୁତ୍ତଳିକା ମଧ୍ୟ ଦାହ କରାଯାଇଥିଲା। ଛାତ୍ର କଂଗ୍ରେସର ଏଭଳି ବିକ୍ଷୋଭ ପ୍ରଦର୍ଶନ ବେଳେ ପୁଲିସ୍ ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜ ଓ ଅନ୍ୟମାନଙ୍କୁ ସେଠାରୁ ଉଠାଇ ନେଇଥିଲା।

Advertisment

ୟାସିର କହିଛନ୍ତି ‌ଯେ ୨୦ ହଜାର କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ପରୀକ୍ଷାର୍ଥୀମାନେ ଅଭିଯୋଗ କରିଛନ୍ତି। ଓସେପା ଭୂମିକା ଉପରେ ସମସ୍ତେ ସନ୍ଦେହ ପ୍ରକଟ କରିଛନ୍ତି। ସିବିଟି ପରୀକ୍ଷାର କଟ୍‌ ଅଫ୍ ଲିଷ୍ଟକୁ ସାର୍ବଜନୀନ କରିବା ପାଇଁ ଦାବି କରାଯାଇଛି। ମେରିଟ୍ ଲିଷ୍ଟ ବାହାରିବା ପୂର୍ବରୁ କଟ୍‌ ଅଫ୍ ଲିଷ୍ଟ ପ୍ରକାଶିତ ହେଲା ନାହିଁ। ବହୁ ପରୀକ୍ଷାର୍ଥୀ ଅଧିକ ନମ୍ବର ରଖିଥିଲେ ବି ମେରିଟ୍ ଲିଷ୍ଟରୁ ବାଦ ପଡ଼ିଛନ୍ତି। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବର୍ଗଙ୍କ ମଧ୍ୟରୁ କେତେ ପରୀକ୍ଷାର୍ଥୀ ସଫଳ ହୋଇଛନ୍ତି, ତାହା ମଧ୍ୟ ଜଣାଯାଉନାହିଁ। ତେଣୁ ଏହି ଚାକିରି ନିଲାମ ହୋଇଛି। ଏହି ଡିଲ୍‌ରେ ଉଭୟ ନବୀନ ସରକାର ଓ ମୋଦୀ ସରକାର ସାମିଲ ଅଛନ୍ତି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମିଛଟାରେ ଅଭିଯୋଗ କରୁଛନ୍ତି। ପରୀକ୍ଷା ଦାୟିତ୍ବରେ ଥିବା ଏଡିସିଆଇଏଲ୍‌ ସଂସ୍ଥା କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ଅଧୀନରେ ରହିଛି। ତେଣୁ ଉଚ୍ଚସ୍ତରୀୟ ତଦନ୍ତ କରାଯାଉ ବୋଲି ଛାତ୍ର କଂଗ୍ରେସ ଦ‌ାବି କରିଛି। ଏହି କାର୍ଯ୍ୟକ୍ରମରେ ପ୍ରକାଶ ମିଶ୍ର, ମନୋଜ ବିଶ୍ୱାଳ, ଆଲୋକ ଲେଙ୍କା, ଅଜୟ ସାହୁ, ବିଶ୍ୱଭୂଷଣ ମହାପାତ୍ର, ସ୍ପନ୍ଦନ ସ୍ୱାଇଁ, ଚିନ୍ମୟ ବେହେରା, ସୌମ୍ୟ ବରାଳ, ରାଜେଶ କୁମାର ଦାସ ଓ ମହମ୍ମଦ ମନ୍‌ୱର ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।