ସୋହେଲା: ବରଗଡ଼ ଜିଲ୍ଲା ସୋହେଲା ବ୍ଲକ ବ୍ରାହ୍ମଣିଡିହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆଜି ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ସହକାରୀ ଶିକ୍ଷକଙ୍କ ଆକ୍ରୋଶର ଶିକାର ହୋଇ ପାଣି ବୋତଲ ମାଡ଼ରେ ଜଣେ ଅଷ୍ଟମ ଶ୍ରେଣୀର ଛାତ୍ର ଆହତ ହେଇଛନ୍ତି । ଛାତ୍ରଙ୍କ ମୁଣ୍ଡର ପଛ ପଟରେ ଷ୍ଟିଚ୍ ପଡ଼ିଛି। ଘଟଣାରୁ ପ୍ରକାଶ ଯେ, ଉକ୍ତ ସ୍କୁଲର ଅଷ୍ଟମ ଶ୍ରେଣୀରେ ଆଜି ମଧ୍ୟାହ୍ନ ଭୋଜନ ପରେ ଇଂରାଜୀ ପାଠ ପଢ଼ା ଯାଉଥିଲା। ଛାତ୍ରଛାତ୍ରୀ କୌଣସି କଥାକୁ ନେଇ ହସିଥିଲେ। ଏଥିରେ ସହକାରୀ ଶିକ୍ଷକ ଗୋକୁଳାନନ୍ଦ ପଧାନ ଉତ୍କ୍ଷୀପ୍ତ ହୋଇ ଛାତ୍ରଙ୍କୁ ଦୋଷାରୋପ କରି ପାଣିଭର୍ତି ବୋଟଲ ଫୋପାଡ଼ି ଥିଲେ। ଫଳରେ ଜଣେ ଛାତ୍ରଙ୍କ ମୁଣ୍ଡରେ ବୋତଲ ବାଜି ପ୍ରଚୁର ରକ୍ତସ୍ରାବ ହୋଇଥିଲା। ତାଙ୍କର ରକ୍ତଭିଜା ସାର୍ଟକୁ ବଦଳାଇ ଅନ୍ୟ ଏକ ସାର୍ଟ ପିନ୍ଧିବା ପାଇଁ ଦିଆଯାଇଥିଲା ।
ଏହି ଘଟଣାକୁ ନେଇ ପିଲାମାନେ ଭୟଭୀତ ହୋଇଯାଇଥିଲେ। ଖବର ପାଇ ସଂପୃକ୍ତ ଛାତ୍ରଙ୍କ ବାପା କୃଷ୍ଣ ବାଗ ସ୍କୁଲକୁ ଆସିଥିଲେ। ପୁଅକୁ ଆମ୍ବୁଲାନ୍ସ ଯୋଗେ ସୋହେଲା ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇଥିଲେ। ଖବର ପାଇ ବିଆର୍ସିସି ମନୋହର ଉଟି ଓ ଏବିଇଓ ଗୋଲାପଚାନ୍ଦ ମିଶ୍ର ଡାକ୍ତରଖାନାକୁ ଆସି ଛାତ୍ରଙ୍କ ସ୍ୱାସ୍ଥ୍ୟଗତ ସୁବିଧା ଅସୁବିଧା ବୁଝିଥିଲେ। ଛାତ୍ରଜଣକ ସୁସ୍ଥ ଥିବା ଜାଣି ତାଙ୍କୁ ଡାକ୍ତରଙ୍କ ପରାମର୍ଶକ୍ରମେ ଆମ୍ବୁଲାନ୍ସ ଯୋଗେ ସନ୍ଧ୍ୟାରେ ତାଙ୍କ ଘରକୁ ନିଆଯାଇଥିଲା। ଘଟଣା ପରେ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା। ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ପ୍ରଧାନଶିକ୍ଷକଙ୍କ ସମେତ ୩ଜଣ ଶିକ୍ଷକଙ୍କୁ ଅଟକ ରଖାଯାଇଥିଲା । ଖବର ପାଇ ରେଙ୍ଗାଲି କ୍ଲଷ୍ଟରର ସିଆରସିସି ଘଟଣାସ୍ଥଳରେ ପହଂଚିଥିଲେ ।
ତାଙ୍କୁ ମଧ୍ୟ ଗ୍ରାମବାସୀ ଅଟକ ରଖିଥିଲେ। ସନ୍ଧ୍ୟା ୭ଟା ଯାଏଁ ସେମାନଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ସଂପୃକ୍ତ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଲିଖିତ ପ୍ରତିଶ୍ରୁତି ପରେ ଅଟକ ପରେ ସମସ୍ତେ ଛାଡ଼ ପାଇଥିଲେ। ସୂଚନାଯୋଗ୍ୟ, ଗତବର୍ଷ ଅକ୍ଟୋବର ୩୦ ତାରିଖ ଏହି ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୪୦ଜଣ ଛାତ୍ରଛାତ୍ରୀ ଅସୁସ୍ଥ ହୋଇଥିଲେ। ମଧ୍ୟାହ୍ନ ଭୋଜନ ପରିଚାଳନା ଦାୟିତ୍ୱରେ ଉପରୋକ୍ତ ଶିକ୍ଷକ ଗୋକୁଳାନନ୍ଦ ପଧାନ ଥିଲେ। ଶିକ୍ଷକଙ୍କୁ କେବଳ କାରଣ ଦର୍ଶାଅ ନୋଟିସ ଦେଇ ଶିକ୍ଷା ବିଭାଗ ନିଜ କର୍ତବ୍ୟ ସାରି ଦେଇଥିଲେ । ଆଜି ପୁଣି ସେହି ଶିକ୍ଷକ ଜଣେ ଛାତ୍ରଙ୍କ ମୁଣ୍ଡ ଫଟାଇ ଚର୍ଚ୍ଚାରେ ରହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/11-6.jpg)