ପ୍ରଶାସନର ଅପାରଗତା ଯୋଗୁଁ ସୁଧୁରୁନି ସମସ୍ୟା : ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି ଛାତ୍ରଛାତ୍ରୀ

ନୂଆଗାଁ : ସରକାର ଯୋଜନା ପରେ ଯୋଜନା କାର୍ଯ୍ୟକାରୀ କରି ଜନସାଧାରଣଙ୍କୁ ବିକାଶର କଥା କହି ଚାଲିଛନ୍ତି। କିନ୍ତୁ ବିକାଶର ଚିହ୍ନ ଅଧିକାଂଶ ଲୋକଙ୍କ ପାଖରେ ଏ ପର୍ଯ୍ୟନ୍ତ ପହଞ୍ଚି ପାରିନାହିଁ। ଲୋକେ ସେହି ଖାଲଖମା ରାସ୍ତା ଦେଇ ବର୍ଷ ବର୍ଷ ଧରି ଯାତାୟାତ କରୁଛନ୍ତି। ଆଉ କେତେକ ଲୋକ ପାହାଡ଼ ଉପରେ ଘର କରି ରହିଛନ୍ତି। ସେଠାକୁ ଆଜି ପର୍ଯ୍ୟନ୍ତ ରାସ୍ତାଘାଟ, ପାନୀୟ ଜଳ ଏବଂ ଶିକ୍ଷାର ବ୍ୟବସ୍ଥା ନଥିବାରୁ ଅତି ଦୟନୀୟ ଅବସ୍ଥାରେ ପଡ଼ି ରହିଛନ୍ତି। ଏବେ ପାଠପଢ଼ିବାକୁ ଯାଉଥିବା ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବାଜି ଲଗାଇ ନଦୀପାର ହେଉଥିବା ଦେଖିବାକୁ ମିଳିଛି। ସ୍ଥାନୀୟ ଲୋକେ ବହୁବାର ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୋଲଟିଏ ନିର୍ମାଣ ହୋଇପାରିନାହିଁ। ଏମିତି ଏକ ଘଟଣା ଗାତେରୀ ପଞ୍ଚାୟତ ଦେଇ ବହି ଯାଇଥିବା ଡାହୁକା ନଦୀ ନିକଟରେ ଦେଖିବାକୁ ମିଳିଛି। ଯେତେ ଯାହା କଲେ ବି ସମସ୍ୟା ସୁଧୁରିବାର ନାଁ ଧରୁନି। ଆଜି ହେବ କାଲି ହେବ କହି ଲୋକଙ୍କୁ ଭୂତେଇ ଚାଲିଛି ପ୍ରଶାସନ।

ଖବରରୁ ପ୍ରକାଶ, ନଦୀ ବଢ଼ି ଆସିଲେ ଗ୍ରାମବାସୀଙ୍କୁ ଭୟ ଘାରେ। କାଳେ ଗାଁ ଭିତରେ ବନ୍ୟାପାଣି ପଶି ସବୁ କିଛି ଛାରଖାର କରିଦେବ ସମସ୍ତଙ୍କ ମନରେ ସେହି ଚିନ୍ତା। ଏହି ରାସ୍ତା ଦେଇ ଗାତେରୀ ସମେତ ଦୁରୁପା, ଭାଲିଆପଦର, କଣବାଙ୍କ, ଖଜୁରୀଡିହ, ପୋବଲା, କାମ୍ପଲା, ସୁରୁକାବାରୀ, ରାଣୀଗାଡ଼ିଆ, ଚଣ୍ତିଝରୀ ଆଦି ଗ୍ରାମର ୧୦ ହଜାରରୁ ଊର୍ଦ୍ଧ୍ବ ଲୋକ ନିର୍ଭର କରି ଚଳିଥାନ୍ତି। ବର୍ଷାଦିନ ଆସିଲେ ଗ୍ରାମବାସୀମାନେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାନ୍ତି। ଆଉ କେତେକ ଲୋକ ପରିସ୍ଥିତିରେ ପଡ଼ି ନିଜ ଜୀବନକୁ ବାଜି ଲଗାଇ ନଦୀପାର ହୋଇ ଯିବାଆସିବା କରନ୍ତି। କିଛି ଘଟଣା ଦୁର୍ଘଟଣା ଘଟିଲେ, ଗାଁକୁ କୌଣସି ଯାନବାହାନ ଯାଇ ପାରୁନଥିବାରୁ ଲୋକମାନଙ୍କୁ ଅନେକ ସମସ୍ୟା ଭିତର ଦେଇ ଗତି କରିବାକୁ ପଡ଼ିଥାଏ। ଖରାଦିନେ ନଦୀରୁ ପାଣି ଶୁଖିଗଲା ପରେ ଯିବା ଆସିବା କରିବା ସମ୍ଭବ ହୋଇଥାଏ। ନଦୀରେ ବର୍ଷା ଏବଂ ଶୀତ ଚାରିମାସ ପାଣି ରହୁଥିବାରୁ ଛାତ୍ରଛାତ୍ରୀମାନଙ୍କ ପାଠପଢାରେ ଡୋରି ବନ୍ଧା ହୋଇଥାଏ। ସରକାର ୭୫ ପ୍ରତିଶତ ଉପସ୍ଥାନ କରିଥିବାରୁ ଏବେ ଛାତ୍ରଛାତ୍ରୀମାନେ ବିଦ୍ୟାଳୟ ଯିବାକୁ ବାଧ୍ୟ ହେଉଛନ୍ତି। ବିଭିନ୍ନ ଗାଁର ଛାତ୍ରଛାତ୍ରୀମାନେ ନିଜ ଜୀବନକୁ ବାଜି ଲଗାଇ ନଦୀ ପାର ହେଉଛନ୍ତି।

କେବଳ ସେତିକି ନୁହେଁ, ନଦୀ ନିକଟରେ ସାଇକେଲ୍ ରଖି ବହି ବସ୍ତାନିକୁ ମୁଣ୍ତରେ ମୁଣ୍ତାଇ ଆଖପାଖରେ ଥିବା ଲୋକେ ଛାତ୍ରଛାତ୍ରୀମାନଙ୍କୁ ନଦୀପାର କରୁଛନ୍ତି। ନଦୀ ପାର ହେବା ପରେ ଗୋଟିଏ କିଲୋମିଟର ଚାଲି ଚାଲି ବିଦ୍ୟାଳୟକୁ ଯାଉଥିବା ଛାତ୍ରଛାତ୍ରୀମାନେ ପ୍ରକାଶ କରିଛନ୍ତି। ସେହିପରି ବିଦ୍ୟାଳୟରୁ ଘରକୁ ଫେରିବା ସମୟ ଠିକ୍ ନଥାଏ। ନଦୀରେ ଦୁଇକୂଳ ଖାଇ ବନ୍ୟାପାଣି ମାଡ଼ି ଆସିଥିବାରୁ ନଦୀକୂଳରେ ଛାତ୍ରଛାତ୍ରୀମାନେ ଦୀର୍ଘ ସମୟ ଧରି ବସି ରହନ୍ତି। ସେମାନଙ୍କ ଘରକୁ ଫେରିବା ସମୟ କିଛି ଠିକ୍ ନଥାଏ। ଏମିତି ପ୍ରତିଦିନ ଯାତାୟାତ କରିବା ଦ୍ବାରା ଅଧିକାଂଶ ଛାତ୍ରଛାତ୍ରୀ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥାନ୍ତି। ଏତେ ସବୁ ପରେ ବି ପ୍ରଶାସନର ଚେତା ପଶୁନି। ପ୍ରତି ବର୍ଷ ପୋଲ ନିର୍ମାଣ କରିବାକୁ ବିଭିନ୍ନ ଗ୍ରାମର ଗ୍ରାମବାସୀମାନେ ମିଳିତ ହୋଇ ବ୍ଲକ୍ ପ୍ରଶାସନଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଏବଂ ବିଭାଗୀୟ ମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରିଛନ୍ତି, କିନ୍ତୁ ସମସ୍ତେ କେବଳ ପ୍ରତିଶ୍ରୁତି ଦେଇଥିବା ଗ୍ରାମବାସୀମାନେ କହିଛନ୍ତି।

ଏତିକିରେ ଏହି ଗ୍ରାମଗୁଡିକର ଦୁଃଖ ସରିନି। ଗାଁମାନଙ୍କୁ ଯିବା ଆସିବା କରିବାକୁ ପକ୍କା ରାସ୍ତାଟିଏ ନିର୍ମାଣ ହୋଇନାହିଁ। ସେହି ଖାଲଖମା ରାସ୍ତାରେ ଛାତ୍ରଛାତ୍ରୀମାନେ ପ୍ରତିଦିନ ଯିବା ଆସିବା କରୁଛନ୍ତି। ନିର୍ବାଚନ ଆସିଲେ ନେତା, ମନ୍ତ୍ରୀମାନେ ଗାଁକୁ ଆସି ପ୍ରଥମେ ପୋଲ ନିର୍ମାଣ କରିବାକୁ ଗୁରୁତ୍ବ ଦେଇଥାନ୍ତି ଏବଂ ପରବର୍ତ୍ତୀ ସମୟରେ ତାହା ଭୁଲି ଯାଇଥାନ୍ତି ବୋଲି ଗ୍ରାମବାସୀମାନେ କହିଛନ୍ତି। ଆସନ୍ତା ୩ ମାସ ମଧ୍ୟରେ ପୋଲ ନିର୍ମାଣ କାର୍ଯ୍ୟ ନ ହେଲେ ଏହିସବୁ ଗାଁର ଗ୍ରାମବାସୀମାନେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର