ହିଞ୍ଜିଳିକାଟୁ : ରେଳଧାରଣାରେ ଛାତ୍ରଙ୍କ ଖଣ୍ଡବିଖଣ୍ଡିତ ଶବ

ହିଞ୍ଜିଳିକାଟୁ : ଗଞ୍ଜାମ ଜିଲ୍ଲା ହିଞ୍ଜିଳି ବ୍ଲକ୍ ଅଧୀନ ସାହାପୁର ଗ୍ରାମର ମୂଳବାସିନ୍ଦା ସ୍ୱାଧୀନ ପାଣିଗ୍ରାହୀ(୨୦) ନାମକ ଜଣେ ଛାତ୍ରଙ୍କ ଖଣ୍ଡବିଖଣ୍ଡିତ ଶବ ଆଜି ସମ୍ବଲପୁର ଷ୍ଟେସନ୍ ରେଳଧାରଣାରୁ ମିଳିଛି। ସେ ବ୍ରହ୍ମପୁର ଖଲ୍ଲିକୋଟ କଲେଜ ଯୁକ୍ତ ୩ ବିଜ୍ଞାନ ଶେଷ ବର୍ଷର ଛାତ୍ର। ଟୁନା ପାଣିଗ୍ରାହୀଙ୍କ ପୁଅ ସ୍ବାଧୀନ ଗତ ୩ ମାସ ତଳେ ତାଙ୍କ ସାଙ୍ଗ ମାନଙ୍କ ସହ ମହାରାଷ୍ଟ୍ର ବୁଲିବାକୁ ଯାଇଥିଲେ। ତେବ‌େ ଲକ୍‌ଡାଉନ୍ କାରଣରୁ ସେ ଆସି ନପାରି ସେଠାରେ ଫସି ରହିଥିଲେ। ଆଜି ହଠାତ୍ ସମ୍ବଲପୁର ଷ୍ଟେସନ୍‌ ରେଳଧାରଣା ନିକଟରୁ ଟୁନାଙ୍କ ଖଣ୍ଡବିଖଣ୍ଡିତ ଶବ ମିଳିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। କିଭଳି ପରିସ୍ଥିତିରେ ତାଙ୍କର ମୃତ୍ୟୁ ହେଲା, ଏନେଇ ବର୍ତ୍ତମାନ ସୁଦ୍ଧା କିଛି ସ୍ପଷ୍ଟ ହୋଇପାରିନି। ଶବ ଆଣିବା ପାଇଁ ବାପା ଟୁନା ଓ ପଞ୍ଚାୟତର ସମିତିସଭ୍ୟ ସମ୍ବଲପୁର ଯାଇଥିବା ସୂଚନା ମିଳିଛି। ଏହି ଘଟଣା ଗ୍ରାମରେ ଶୋକାକୁଳ ପରିବେଶ ଆଣିଦେଇଛି। ବାପା ଟୁନା ସାଇକେଲ୍ ଯୋଗେ ଗାଁକୁ ଗାଁ ବୁଲି ପାଉଁରୁଟି ବିକ୍ରି କରୁଥିଲେ। ସେତିକିରେ ତାଙ୍କ ପରିବାର କଷ୍ଟେମଷ୍ଟେ ପ୍ରତିପୋଷଣ ହେଉଥିଲା। ମୃତକ ସ୍ବାଧୀନଙ୍କ ଭାଇ ସନ୍ତୋଷ ପାଣିଗ୍ରାହୀ ଆଇଆଇଟିରେ ପଢ଼ିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ସମ୍ବନ୍ଧିତ ଖବର