ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁରସ୍ଥିତ ଅନ୍ବେଷା ଛାତ୍ରାବାସରେ ରହି ଘରୋଇ ସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ଜଣେ ଛାତ୍ରଙ୍କ ହଷ୍ଟେଲରେ ମୃତ୍ୟୁ ଘଟିଛି। ଏନେଇ ପରିବାର ପକ୍ଷରୁ ସନ୍ଦେହ କରି ତାଙ୍କ ମାମୁଁ ପ୍ରକାଶ ମହାନନ୍ଦ ହତ୍ୟା ଅଭିଯୋଗ ଆଣିଛନ୍ତି।

Advertisment

ମେଲଛାମୁଣ୍ଡା ଥାନା ଝଙ୍କରପାଲି ଗ୍ରାମର ଚୂଡ଼ାମଣି କୁମ୍ଭାରଙ୍କ ପୁଅ ପ୍ରିନ୍ସ (୧୪) ସ୍ଥାନୀୟ କଲେଜ ରୋଡ୍‌ସ୍ଥିତ ଅନ୍ବେଷା ହଷ୍ଟେଲରେ ରହି ପାଠ ପଢୁଥିଲେ। ମଙ୍ଗଳବାର ରାତିରେ ପ୍ରିନ୍ସଙ୍କୁ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଘଟଣାକୁ ନେଇ ହଷ୍ଟେଲ ସୁପରିନ୍‌ଟେଣ୍ଡେଣ୍ଟ ପର୍ଶୁରାମ ଧରୁଆଙ୍କ କହିବା ଅନୁସାରେ ପ୍ରିନ୍ସ ରାତି ଖାଇବା ନେଇ ନିଜ ରୁମ୍‌କୁ ଯାଇଥିଲେ। ପରେ ଟଏଲେଟ୍‌ ଯାଇଥିବା ବେଳେ ଫେରି ନଥିଲେ। ତେବେ ଅନ୍ୟ କିଛି ଛାତ୍ର ଯାଇ ଦେଖିବା ବେଳେ ଗୋଟିଏ ରଡ଼ରେ ଗାମୁଛା ଦେଇ ପ୍ରିନ୍ସ ଝୁଲୁ ଥିବାର ଦେଖିଥିଲେ। ପରେ ତାଙ୍କୁ ପଦ୍ମପୁର ଉପଖଣ୍ଡ ସରକାରୀ ଡାକ୍ତରଖାନାକୁ ନିଆଯାଇଥିଲା।

ତେବେ ପ୍ରିନ୍ସକୁ ହତ୍ୟା କରାଯାଇଥିବା ତାଙ୍କ ମାମୁଁ ପ୍ରକାଶ ମହାନନ୍ଦ ଅଭିଯୋଗ କରିଛନ୍ତି। ପଦ୍ମପୁର ଥାନା କେସ୍‌ ନଂ ୧୯ରେ ଏକ ମାମଲା ରୁଜୁ ହୋଇଛି। ପଦ୍ମପୁର ଉପଜିଲ୍ଲାପାଳ ଆଲୋକ ପଟେଲ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ, ଉପଖଣ୍ଡ ସମାଜ ମଙ୍ଗଳ ଅଧିକାରୀ, ଆଇଆଇସି ମମତା ନାଏକ ମୃତ ଛାତ୍ରଙ୍କ ପରିବାରଲୋକଙ୍କ ସହିତ ଆଲୋଚନା କରିବା ପରେ ଶବ ହସ୍ତାନ୍ତର କରିଥିଲେ।