ପିଲାଙ୍କ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ ସରକାର ଜଣାନ୍ତୁ: କଂଗ୍ରେସ

ଭୁବନେଶ୍ବର : ସରକାର ଛାତ୍ରଛାତ୍ରୀମାନଙ୍କୁ କରୋନା ମହାମାରୀ ସଙ୍କଟ ସମୟକୁ ମୁକାବିଲା କରିବା ପାଇଁ ଶିକ୍ଷଣୀୟ କଥା କହିଛନ୍ତି। ଏହାର ଉପାଦେୟତା ଅଛି। କିନ୍ତୁ ରାଜ୍ୟରେ ମାଧ୍ୟମିକ ଓ ଉଚ୍ଚମାଧ୍ୟମିକ ଶିକ୍ଷା ପରୀକ୍ଷା ଦେଇଥିବା ପ୍ରାୟ ୧୦ ଲକ୍ଷ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଖାତା ଦେଖା କେବେ ହେବ ସେ ନେଇ ସରକାର କିଛି ବି କହିନାହାନ୍ତି। ଆଜି ଅନୁଷ୍ଠିତ ସରକାରୀ ସାମ୍ବାଦିକ ସମ୍ମିଳନୀରେ ପିଲାଙ୍କ ପରୀକ୍ଷା ଫଳ କେବେ ପ୍ରକାଶ ପାଇବ, ସେ ସମ୍ପର୍କରେ କିଛି ବି କୁହାଯାଇନି। ଯାହାକୁ ନେଇ ପ୍ରଦେଶ କଂଗ୍ରେସ ପ୍ରଶ୍ନ ଉଠାଇଛି।

ଦଳୀୟ ନେତା ସୁଦର୍ଶନ ଦାସ ଏକ ପ୍ରେସ୍‌ ବାର୍ତ୍ତା ଜାରି କରି କହିଥିଲେ, ଅନେକ ବିଷୟରେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ହୋଇନାହିଁ। ସେସବୁ ପରୀକ୍ଷା କେବେ ହେବ? କାରଣ ପରୀକ୍ଷା ହେଉଛି ଛାତ୍ରଛାତ୍ରୀଙ୍କ ପାଇଁ ଜୀବନର ଗୋଟିଏ ବଡ଼ ସୋପାନ। ଏଥିପାଇଁ ସେମାନେ ବହୁତ ଉଦବିଗ୍ନ ଓ ମାନସିକ ଚାପରେ ରହିଥାନ୍ତି। କରୋନା ମୁକାବିଲା ପାଇଁ କାହାଣୀ ଶୁଣାଇବା ଅବସରରେ ଏହି ପ୍ରସଙ୍ଗଗୁଡ଼ିକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲେ ଅଧିକ ଉପାଦେୟ ହୋଇଥାନ୍ତା। ଏହାସହିତ ସବୁ ସ୍ଥାନରେ ଅନଲାଇନ୍‌ ସୁବିଧା ନାହିଁ କି ଅନେକ ପିଲାଙ୍କ ପାଖରେ ଟେଲିଭିଜନ୍ ଦେଖିବାର ସାଧନ‌ ମଧ୍ୟ ନାହିଁ। ଏପରିସ୍ଥଳେ ଅନଲାଇନ୍‌‌ ଶିକ୍ଷାଦାନ ନେଇ ସରକାର ଯେପରି ଘୋଷଣା କରିଛନ୍ତି, ତା କେତେଦୂର ସଫଳ ହେବ ବୋଲି ଶ୍ରୀ ଦାସ ଆଶଙ୍କା ପ୍ରକଟ କରିଥିଲେ।

ସମ୍ବନ୍ଧିତ ଖବର