ଡଙ୍ଗରିଆଙ୍କ ପାଠପଢ଼ାରେ ନେଟୱର୍କ ସାଜିଛି ବାଧକ : ନିୟମଗିରିରୁ ୧୭ କିମି ତଳକୁ ଓହ୍ଲାଉଛନ୍ତି ଛାତ୍ରଛାତ୍ରୀ

ରାୟଗଡ଼ା : ବିଏସ୍ଏନ୍ଏଲ୍ ସେବା ଅପହଞ୍ଚ। ମାଓବାଦୀ ଭୟରେ କାମ କରୁନି ଘରୋଇ ମୋବାଇଲ୍ ଟାୱାର୍। ଫଳରେ, ନିୟମଗିରିକୁ ପହଞ୍ଚି ପାରିନି ମୋବାଇଲ୍ ସେବା। କୌଣସି ଗାଁ ତ ଦୂରର କଥା ପାହାଡ଼, ଡଙ୍ଗର ଚଢ଼ିଲେ ବି ଆସୁନି ନେଟୱର୍କ। ଫଳରେ ଅନଲାଇନ୍ ପାଠପଢ଼ା ପାଇଁ ନିୟମଗିରିରୁ ୧୭ କିମି ତଳକୁ ଓହ୍ଲାଉଛନ୍ତି ଡଙ୍ଗରିଆ। ଶତାଧିକ ଡଙ୍ଗରିଆ ଛାତ୍ରଛାତ୍ରୀ ଉଚ୍ଚଶିକ୍ଷା ଲାଗି ପ୍ରସ୍ତୁତ ହେଉଥିବାବେଳେ ପ୍ରତିଦିନ ନେଟୱର୍କ ଥିବା ଅଞ୍ଚଳକୁ ଆସି ପଢ଼ା ସାରି ପୁଣି ଘରକୁ ଫେରିବାକୁ ବାଧ୍ୟ ହେଉଛନ୍ତି।

ନିୟମଗିରି ପାହାଡ଼ ଉପରେ ଥିବା ୧୫ଟି ରାଜସ୍ବ ଗ୍ରାମ, ୮ଟି ହାମଲେଟର ଶହେରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ରାୟଗଡ଼ା, ମୁନିଗୁଡ଼ା, ବିଷମକଟକ, ଜେକେପୁରର ବିଭିନ୍ନ ଶିକ୍ଷାନୁଷ୍ଠାନରେ ପଢ଼ୁଛନ୍ତି। କିଛି ଛାତ୍ରଛାତ୍ରୀ ଭୁବନେଶ୍ବରରେ ମଧ୍ୟ ଅଧ୍ୟୟନ କରୁଛନ୍ତି। ପଞ୍ଚମରୁ ଆରମ୍ଭ କରି ଦଶମ, ଯୁକ୍ତ ଦୁଇ, ଯୁକ୍ତ ତିନି, ସ୍ନାତକ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ରହିଛନ୍ତି। ହେଲେ, ଏମାନଙ୍କ ପାଠପଢ଼ାରେ ବାଧକ ସାଜିଛି ‌ନେଟୱର୍କ। ଗାଁକୁ ନେଟୱର୍କ ଆସୁ ନ ଥିବାରୁ ୧୭ କିମି ଦୂର ଚାଟିକଣାକୁ ଆସି ଛାତ୍ରଛାତ୍ରୀଙ୍କୁ ପାଠ ପଢ଼ିବାକୁ ପଡୁଛି । ଲକଡାଉନ୍ ଚାଲିଥିବାରୁ ଗାଡ଼ି ଚଳାଚଳ ବନ୍ଦ ରହିଛି। ଯେଉଁଥିପାଇଁ ଦୈନିକ କୁର୍ଲି, ଖମ୍ବେସି, ଖଜୁରୀ, ଡାଙ୍ଗଲୋଡ଼ି, ହୁଣ୍ଡିଜାଲି, କାଡ୍ରାଗୁମ୍ମା, ଗର୍ତଲି, ମୁଣ୍ଡାବାଲି ଭଳି ଦୁର୍ଗମ ଇଲାକାରୁ ଛାତ୍ରଛାତ୍ରୀ ଏତେ ଦୂର ଆସିବା ସମ୍ଭବପର ହେଉନି।

ଅନ୍ୟପକ୍ଷରେ ଅଧିକାଂଶ ଛାତ୍ରଛାତ୍ରୀଙ୍କ ପାଖରେ ମୋବାଇଲ୍ ମଧ୍ୟ ନାହିଁ। ଦାରିଦ୍ର୍ୟ ସୀମାରେଖା ତଳେ ବସ ବାସ କରୁଥିବା ଏସବୁ ପରିବାର ମୋବାଇଲ୍ କିଣିବା ପାଇଁ ସକ୍ଷମ ନ ଥିବା ବେଳେ କିଛି ପରିବାର ଇଚ୍ଛା ଥିବା ସତ୍ତ୍ବେ ନେଟୱର୍କ ନ ଥିବାରୁ ମୋବାଇଲ୍ କିଣି ନାହାନ୍ତି। ଖମ୍ବେସି ଗାଁର ରାଧମା ୱାଡ଼କା। ରାୟଗଡ଼ା ମହିଳା ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି। ଲକଡାଉନ୍ ପାଇଁ ଦୈନିକ ମହାବିଦ୍ୟାଳୟ ପକ୍ଷରୁ ଅନଲାଇନରେ କ୍ଲାସ୍ ହେଉଛି। ହେଲେ ନେଟୱର୍କ ନ ଥିବାରୁ ଏହି ସମୟ ମଧ୍ୟରେ ପଢ଼ା ଯାଇଥିବା ପାଠ ସଂପର୍କରେ କିଛି ବି ଜାଣିପାରି ନାହାନ୍ତି ରାଧମା। ଘରେ ବସି ଯାହା ପଢ଼ୁଛନ୍ତି। ଦୈନିକ ଚାଟିକଣା ଆସି ପଢ଼ିବା ସମ୍ଭବ ହେଉ ନ ଥିବାରୁ ସେ ନିରୁପାୟ। ସେହିପରି ଚାଟିକଣା ଆମ୍ବେଦକର ସ୍ମୃତି ବିଦ୍ୟାଳୟରେ ଦଶମ ଶ୍ରେଣୀରେ ପଢ଼ୁଥିବା ଗାୟତ୍ରୀ ୱାଡ଼କା, ପାର୍ବତୀପୁରରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଗୀତାଞ୍ଜଳି କାଡ୍ରକା, ମୁନିଗୁଡା ରାମକ୍ରିଷ୍ଣା ମିଶନରେ ପଢ଼ୁଥିବା କୁଶ ୱାଡ଼କା ଏପରି ଅ‌ନେକ ଛାତ୍ରଛାତ୍ରୀଙ୍କ ମଧ୍ୟ ସମାନ ଅବସ୍ଥା।

କରୋନା ମହାମାରୀ ପାଇଁ ଶିକ୍ଷାନୁଷ୍ଠାନ ବନ୍ଦ ଥିବାରୁ ଅନଲାଇନରେ ଚାଲିଛି ପାଠପଢ଼ା। ହେଲେ ବିଷମକଟକ ବ୍ଲକ୍ କୁର୍ଲି ପଞ୍ଚାୟତର ୨୩ଟି ଗ୍ରାମରେ ମୋବାଇଲ୍ ସେବା ନ ଥିବାରୁ ପାଠପଢ଼ାରୁ ବଞ୍ଚିତ ହେଉଛନ୍ତି ଏହି ଡଙ୍ଗରିଆ ଛାତ୍ରଛାତ୍ରୀ।

ସମ୍ବନ୍ଧିତ ଖବର