ସ୍ମାର୍ଟଫୋନ ଅଭାବ, ୟୁଟ୍ୟୁବ୍‌ ଲିଙ୍କ୍‌ କେ‌ମିତି ପାଇବେ ଛାତ୍ରଛାତ୍ରୀ?

ଭଞ୍ଜନଗର: କରୋନା ମହାମାରୀ ଛାତ୍ରଛାତ୍ରୀଙ୍କ ପାଠପଢାର ଅଗାମୀ ଭବିଷ୍ୟତକୁ ଜଟିଳ କରି ପକାଇଛି। ଏହାରି ଭିତରେ ଶିକ୍ଷା ବିଭାଗ ପକ୍ଷରୁ ଅନ୍‌ଲାଇନ୍‌ ୟୁଟୁବ୍‌ ଶିକ୍ଷାକୁ ବିକଳ୍ପ ଭାବେ ଆପଣା ଯାଇଛି। ଯାହାର ସୁଫଳ ଶତ ପ୍ରତିଶତ ଛାତ୍ରଛାତ୍ରୀ ପାଇ ପାରୁନାହାନ୍ତି। ଚଳିତ ବର୍ଷ ୟୁଟ୍ୟୁବ ମାଧ୍ୟମରେ ଉନ୍ନତ ଶିକ୍ଷାଦାନ ଶୈଳୀ ଆପଣାଇ ଯାଇଥିଲେ ମଧ୍ୟ ନେଟୱର୍କ ଆଉ ସ୍ମାର୍ଟ ଫୋନ୍‌ର ଅଭାବରେ ସନ୍ତୁଳି ହୋଇଛନ୍ତି ଉପାନ୍ତ ଓ ଗରିବ ଶ୍ରେଣୀର ଛାତ୍ରଛାତ୍ରୀ। ଅଭାବ ଅନଟନରେ ଚଳୁଥିବା ପରିବାର ପାଇଁ କେଉଁଠି ସ୍ମାର୍ଟ ଫୋନର ଅଭାବ ତ, କେଉଁଠି ସ୍ମାର୍ଟ ଫୋନ ରହିଥିଲେ ନେଟୱର୍କର ଅଭାବ ଅନେକ ପିଲାଙ୍କୁ ଶିକ୍ଷାରୁ ବଞ୍ଚିତ କରୁଛି। ସମସ୍ତ ଛାତ୍ରଛାତ୍ରୀ ସମାନ ଶିକ୍ଷା ପାଇ ପାରୁନଥିବାରୁ ପାଠପଢା ବିଶେଷ ମାତ୍ରାରେ ପ୍ରଭାବିତ ହୋଇଛି।

ଏଭଳି ପରିସ୍ଥିତିରେ ଗଂଜାମ ଜିଲ୍ଲା ଭଞ୍ଜନଗର ବ୍ଳକ୍‌ରେ ଥିବା ଉପାନ୍ତ ଇଲାକା ଗୁଡ଼ିକରେ ପାଠପଢାକୁ ନେଇ ଅନେକ ବିକଳ ଚିତ୍ର ଦେଖିବାକୁ ମିଳୁଛି। ପାଠପଢ଼ା ପାଇଁ ଉପାନ୍ତ ଅଞ୍ଚଳର ପିଲାମାନେ ନେଟଓ୍ବର୍କ ଖୋଜାରେ ଲାଗିପଡୁଛନ୍ତି। କିଛି ପିଲା ଅନ୍‌ଲାଇନ୍‌ ପାଠପଢ଼ାରୁ ସଂପୂର୍ଣ୍ଣ ବଞ୍ଚିତ ହୋଇଥିବା ଯୋଗୁ ପାଠ ଛାଡି ବିଭିନ୍ନ ପ୍ରକାର ସାମଗ୍ରୀ ବିକ୍ରି କରି ପରିବାର ଲୋକଙ୍କୁ ଘରୋଇ କାର୍ଯ୍ୟରେ ସାହାର୍ଯ୍ୟ କରୁଥିବା ଚିତ୍ର ମଧ୍ୟ ଦେଖିବାକୁ ମିଳୁଛି। ଏଥିସହ ଯେଉଁ ମାନେ ଟିକେ ଅନ୍‌ଲାଇନ୍‌ରେ ପାଠ ପଢିବା ପାଇଁ ସୁଯୋଗ ପାଉଛନ୍ତି ସେମାନେ ନେଟୱର୍କ ପାଇଁ ଘୂରି ବୁଲୁଛନ୍ତି।

କୋମଳମତି ପିଲାମାନେ ପାଠ ପଢ଼ିବା ପାଇଁ ନେଟୱର୍କ ଖୋଜି ଖୋଜି ଗଛ ଚଢୁଛନ୍ତି ତ ପୁଣି କେତେବେଳେ ନଦୀ ଭିତରେ ଦେଇ ଯାଇ ନେଟ୍‌ଓ୍ବର୍କ ଆସୁଥିବା ଜାଗାରେ ପାଠ ପଢ଼ୁଛନ୍ତି। କିନ୍ତୁ ୟୁଟ୍ୟୁବ୍‌ ଭିଡ଼ିଓରେ ୪ ଜି ମୋବାଇଲ୍‌ ଆବଶ୍ୟକ ସହ ଅଧିକା ଡାଟା ଖର୍ଚ୍ଚ ହେଉଥିବାରୁ ଗୋଟିଏ ପରିବାରରେ ଜଣେରୁ ଅଧିକ ପିଲା ଥିଲେ ଅନ୍ୟଜଣେ ସଂପୂର୍ଣ୍ଣ ଭାବେ ପାଠ ପଢାରୁ ବଞ୍ଚିତ ହେଉଛନ୍ତି।

ଗତ ୨୧ ତାରିଖରୁ ଆରମ୍ଭ କରିଥିବା ୟୁଟ୍ୟୁବ୍‌ ପାଠପଢ଼ା ପାଇଁ ଶିକ୍ଷକମାନେ ଛାତ୍ରଛାତ୍ରୀ ମାନଙ୍କୁ ତାର ଲିଙ୍କ୍‌ ପଠାଇବା ପାଇଁ ନିର୍ଦ୍ଦେଶ ଜାରି କରିଥିବା ବେଳେ ଅଧିକାଂଶ ପରିବାରର ସ୍ମାର୍ଟ ଫୋନ ନଥିବାରୁ ଲିଙ୍କ୍‌ ପଠାଇ ନପାରି କେବଳ ସ୍କୁଲକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀ ଫେରୁଛନ୍ତି। ନେଟୱର୍କ ଥିଲେ ମଧ୍ୟ ଜଣେ ହେଲେ ଛାତ୍ରଛାତ୍ରୀ ନିକଟକୁ ୟୁଟ୍ୟୁବ୍‌ ଲିଙ୍କ ପଠାଇ ପାରୁ ନାହାନ୍ତି। ଗୁଡିଆମ୍ବା ମଳାସପଦର ପୁରୁଣାପାଣି, ଇନ୍ଦ୍ରଗଡ଼, ବାଇବାଲି, ପଇତାଗାଁ, ରାଣୀକିଆରି, ଗାଲେରୀ, ବଞ୍ଜରସାହି, ରମ୍ଭା, ବେଡଗୋବା, ବାଇବାଲି, ବଜ୍ରକୋଟ, ବି‌ରିକୋଟ, ରିପିଟିପଲ୍ଲୀ ବିଦ୍ୟାଳୟ ସହ କନ୍ଧମାଳ ଓ ଗଞ୍ଜାମ ସୀମାନ୍ତରେ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ୟୁଟ୍ୟୁବ୍‌ ପାଠପଢା ପ୍ରହସନରେ ପରିଣତ ହୋଇଛି।

ସମ୍ବନ୍ଧିତ ଖବର