ବର୍ଷା ଆସିଲେ ବଢ଼ୁଛି ଦୁଃଖ, ଆଣ୍ଠୁଏ ପାଣିରେ ସ୍କୁଲ୍‌ ଯାଉଛନ୍ତି ଛାତ୍ରଛାତ୍ରୀ

ନିରାକାରପୁର : ୭୨ ବର୍ଷର ପୁରୁଣା ଉଚ୍ଚ ବିଦ୍ୟାଳୟ। କିନ୍ତୁ ଛାତ୍ରଛାତ୍ରୀଙ୍କ ଯିବାକୁ ଭଲ ରାସ୍ତାଟିଏ ନାହିଁ। ଫଳରେ ବର୍ଷା ଦିନ ଆସିଲେ ଚିନ୍ତାରେ ପଡ଼ନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ। ଆଣ୍ଠୁଏ ପାଣିରେ ଏହି ବିଦ୍ୟାଳୟକୁ ଛାତ୍ରଛାତ୍ରୀଙ୍କୁ ବର୍ଷାବେଳେ ପ୍ରତିଦିନ ଯିବାକୁ ପଡ଼ିଥାଏ। ଖୋର୍ଧା ଜିଲ୍ଲାର କ୍ଷେତ୍ରବାସୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରମୀାନେ ଦୀର୍ଘ ବର୍ଷ ହେଲା ଏଭଳି ଅବସ୍ଥା ଭୋଗୁଛନ୍ତି। ୧୯୪୮ ମସିହାରେ ଏହି ବିଦ୍ୟାଳୟ ସ୍ଥାପିତ ହୋଇଥିଲା। ଏହା ଉପରେ ଡିଆ, ଲେଣ୍ଡୋ, ରାମେଶ୍ବର, ନିରାକାରପୁର, ଗଡଖାରଦ, ଦେଇପୁର ଆଦିି ପଂଚାୟତର ଛାତ୍ରଛାତ୍ରୀ ନିର୍ଭର କରିଥାନ୍ତି। ଏଠାରେ ପ୍ରଥମ ଶ୍ରେଣୀରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶିୖକ୍ଷାଦାନର ବ୍ୟବସ୍ଥା ରହିଛି। ଏସବୁ ଶ୍ରେଣୀରେ ୭ ଶହରୁ ଅଧିକ ଛାତ୍ରଛାତ୍ରୀ ଏଠାରେ ପାଠ ପଢ଼ନ୍ତି। କିନ୍ତୁ ନାନା ଅସୁବିଧା ଦେଇ ଏହି ବିଦ୍ୟାଳୟ ଗତି କରୁଛି।

ସ୍କୁଲ୍‌ ପଡ଼ିଆରେ ପାଣି ଜମି ରହୁଥିବାରୁ ଖେଳକୁଦ ହେବା ଦୂରର କଥା ସାଧାରଣତଃ ଶ୍ରେଣୀଗୃହକୁ ଯିବାକୁ ହେଲେ ଆଣ୍ଠୁଏ କାଦୁଅ ପଣିରେ ଯିବାକୁ ପଡ଼ୁଛି। ଟିକିଏ ଏପଟ ସେପଟ ହେଲେ ଚାରିଆଡ଼େ ଶିଉଳି ଲାଗିଥିବା କାରଣରୁ ପଡିଯିବା ଭୟ ଲାଗିରହିଛି। କାଦୁଅରେ ସରୀସୃପଙ୍କ ଭୟ ମଧ୍ୟ ରହିଛି। ଛାତ୍ରଛାତ୍ରୀମାନଙ୍କୁ ଦୈୖନିକ ଏଭଳି ଅସୁବିଧାର ସମ୍ମୁଖିନ ହେବାକୁ ପଡୁଛି। ଯାହା ପାଇଁ କୋମଳମତୀ ଛାତ୍ରଛାତ୍ରୀମାନେ ବର୍ଷା ଲାଗି ରହିଲେ ସ୍କୁଲ୍‌ ଯିବାକୁ ଅମଙ୍ଗ ହେଉଛନ୍ତି। ଏ ବାବଦରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ସବୁ ଜାଣି ମଧ୍ୟ ନଜାଣିବା ପରି ରହୁଥିବା ଅଭିଭାବକମାନେ ପ୍ରକାଶ କରିଛନ୍ତି। ଏ ନେଇ ଟାଙ୍ଗି ବ୍ଲକ୍‌ ଶିକ୍ଷା ଅଧିକାରୀ ସୁରେନ୍ଦ୍ର କୁମାର ମଙ୍ଗରାଜଙ୍କ ସହ ଯୋଗାଯୋଗ କରିବାରେ ଏଭଳି ଖବର ତାଙ୍କ ପାଖରେ ନ ଥିବା କହିଛନ୍ତି। ଦେଖିଲା ପରେ ନିୟମ ଅନୁସାରେ କଣ ହୋଇପାରିବ କରାଯିବ ବୋଲି ସେ କହିଛନ୍ତି।

ତେବେ କେବଳ ଏତିକି ଏହି ବିଦ୍ୟାଳୟର ସମସ୍ୟା ସରୁ ନାହିଁ। ଆବଶ୍ୟକ ସଂଖ୍ୟକ ଶିକ୍ଷକ ନ ଥିବାବେଳେ ଖେଳ ଶିକ୍ଷକ ଏଠାରେ ସପ୍ତାହକୁ ୩ଦିନ ଆସି ଏକପ୍ରକାର “କା” ଶିକ୍ଷକ ଭାବେ କାର୍ଯ୍ୟ ତୁଲାଇଥାନ୍ତି। ଅନୁରୁପ ଭାବେ ୩ବର୍ଷରୁ ଅଧିକ ହେଲା ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଛି। ଆବଶ୍ୟକ ସଂଖ୍ୟକ ଶ୍ରେଣୀଗୃହ ମଧ୍ୟ ନାହିଁ। ଫଳରେ ବାତ୍ୟା ଆଶ୍ରୟସ୍ଥଳୀରେ ଚାଲିଛି ଶିକ୍ଷାଦାନ।

ସମ୍ବନ୍ଧିତ ଖବର