କୋରାପୁଟ: ଦ୍ବୈତ ଶାସନରେ ବଳି ପଡ଼ୁଛନ୍ତି ସ୍କୁଲ ଛାତ୍ରଛାତ୍ରୀ। ଗୋଟିଏ ଗାଁରେ ରହିଥିବା ଦୁଇଟି ରାଜ୍ୟର ସ୍କୁଲକୁ ପାଳି କରି ପାଠ ପଢ଼ିବାକୁ ଯାଉଛନ୍ତି। ଦିନେ ଓଡିଆ ତ ଆଉ ଦିନେ ତେଲୁଗୁ ଶିକ୍ଷା। ଏଥିରୁ ପିଲା କ’ଣ ପଢ଼ୁଥିବେ, ଆଗକୁ ସେମାନଙ୍କ ଭବିଷ୍ୟତ କ’ଣ ହେବ ଏମିତି ଅନେକ ପ୍ରଶ୍ନ ଉଠିଛି। ପଟାଙ୍ଗି ବ୍ଲକ୍ର କୋଟିଆ ପଞ୍ଚାୟତକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ଲମ୍ବା ଲଢ଼େଇ ଚାଲିଛି। ଏହି ଲଢ଼େଇର ଅନ୍ତ କେବେ ହେବ କହିବା ମୁସ୍କିଲ। କିନ୍ତୁ ଏହି ଲଢ଼େଇ ଯୋଗୁ ପିଲାଙ୍କ ପାଠପଢ଼ା ପ୍ରଭାବିତ ହେଉଛି। ଯାହାର ଉଦାହରଣ ହେଲା କୋଟିଆ ପଞ୍ଚାୟତର ଧୂଳିପଦର ଗାଁ। ପ୍ରାୟ ୫୨ ପରିବାର ଏହି ଗାଁରେ ବସବାସ କରୁଛନ୍ତି। ଅଧିକାଂଶ ପରିବାର ତେଲୁଗୁ ଭାଷାରେ ହିଁ କଥାବାର୍ତ୍ତା କରୁଛନ୍ତି। ଓଡ଼ିଶାର ମାନଚିତ୍ର ଅନୁସାରେ କୋଟିଆ ପଞ୍ଚାୟତରେ ଏହି ଗାଁ ରହିଛି। ଅନ୍ୟପଟେ ସାଲୁର ମଣ୍ଡଳ ଅନ୍ତର୍ଗତ ଗଞ୍ଜେଇପଦର ପଞ୍ଚାୟତରେ ଏହି ଗାଁ ରହିଥିବା ଆନ୍ଧ୍ର ଦର୍ଶାଉଛି।
ଦିନେ ଓଡିଆ, ଦିନେ ତେଲୁଗୁ ଶିକ୍ଷା
ଦୁଇ ରାଜ୍ୟ ଏହାକୁ ନିଜର ବୋଲି ଯୁକ୍ତି ବାଢ଼ିବା ସହ ଏଠାରେ ବିଦ୍ୟାଳୟ ସ୍ଥାପନ କରିଛନ୍ତି। ଚାପରେ ହେଉ ବା ଡବଲ୍ ସୁବିଧା ପାଇବା ଲାଗି ହେଉ, ଉଭୟ ରାଜ୍ୟର ବିଦ୍ୟାଳୟରେ ସ୍ଥାନୀୟ ପିଲା ନାମ ଲେଖାଇଛନ୍ତି। ଓଡ଼ିଶା ସରକାରଙ୍କ ବିଦ୍ୟାଳୟରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ୨୨ଜଣ ଛାତ୍ରଛାତ୍ରୀ ରହିଛନ୍ତି। ଆନ୍ଧ୍ର ସ୍କୁଲରେ କେତେ ପିଲା ନାମ ଲେଖାଇଛନ୍ତି ତାହା ସ୍ପଷ୍ଟ ହୋଇପାରିନି। ତେବେ ପିଲା ଉଭୟ ରାଜ୍ୟର ସ୍କୁଲକୁ ନିୟମିତ ନ ଯାଇ ପାଳି କରି ଯାଉଥିବା ଦେଖିବାକୁ ମିଳିଛି।
ଅନ୍ୟପଟେ ଆନ୍ଧ୍ର ପକ୍ଷରୁ ଆଗୁଆ ପିଲାଙ୍କ ଆପାର ଆଇଡି ଖୋଲି ସାରିଥିବାରୁ ଓଡ଼ିଶା ପକ୍ଷରୁ ଆଇଡି ଖୋଲିପାରୁନି। ଯାହା ଆଗକୁ ପିଲାଙ୍କ ପାଠପଢ଼ାରେ ଅସୁବିଧା ନିଶ୍ଚିତ ସୃଷ୍ଟି କରିବ। କେବଳ ଏହି ଗୋଟିଏ ଗାଁ ନୁହେଁ, ଫଗୁଣୁସିନେରୀ, ନେରିଡ଼ିବାଲସା ଓ ଫାଟୁସିନେରୀ ଗ୍ରାମରେ ମଧ୍ୟ ଆନ୍ଧ୍ରର ଅସ୍ଥାୟୀ ବିଦ୍ୟାଳୟ ରହିଛି। ପ୍ରାଥମିକ ବିଦ୍ୟାଳୟ ପଢ଼ା ସରିବା ପରେ କିଛି ପିଲା ଓଡ଼ିଶାର ନାରଡ଼ିବାଲସାସ୍ଥିତ ମଙ୍ଗଳ ବିଭାଗର ଛାତ୍ରାବାସକୁ ଯାଉଥିବା ବେଳେ କିଛି ପିଲା ଆନ୍ଧ୍ରର କୋନାବାଲସା ଛାତ୍ରାବାସରେ ରହି ପାଠ ପଢ଼ୁଛନ୍ତି। ସୀମାନ୍ତ ଅଞ୍ଚଳ ପିଲା ତେଲୁଗୁ ପଢ଼ିଲେ ଓଡ଼ିଶା ଭାଷା ଦିନେ ଏଠି ଅସ୍ତିତ୍ବ ହରାଇବ ବୋଲି ବୁଦ୍ଧିଜୀବୀ ମତ ଦେଇଛନ୍ତି।