ପାଠପଢ଼ା ପାଇଁ ଜୀବନ ବାଜି : ଭରା ନଈରେ ଟଳମଳ ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ

କରଦାଙ୍ଗି : ବର୍ଷା ଋତୁରେ ଭରା ନଈରେ ଟଳମଳ ଡଙ୍ଗାରେ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ। ଡଙ୍ଗା ଚଳାଇବାକୁ କେହି ନଥିବାରୁ ନାଉରିଆ ସାଜିଛି ଜଣେ ଛାତ୍ର। ଯାତ୍ରୀମାନେ ବି ସମସ୍ତେ ଛାତ୍ରଛାତ୍ରୀ। କେନ୍ଦୁଝର ଜିଲ୍ଲା ତେଲକୋଇ ବ୍ଲକ କରଦାଙ୍ଗି ପଞ୍ଚାୟତରେ ଉଚ୍ଛୁଳା ସମାକୋଇ ନଦୀରେ ମନକୁ ଆନ୍ଦୋଳିତ କରିବା ଭଳି ଏମିତି ଦୃଶ୍ୟ ଦେଖିବାକୁ ମିଳିଛି।

ସ୍ଥାନୀୟ ସାପଲାଞ୍ଜି ଗ୍ରାମର ୧୫ ଜଣ ଛାତ୍ରଛାତ୍ରୀ ପ୍ରତିଦିନ ଏହି ହୁଲି ଡଙ୍ଗାରେ ନଦୀ ପାରିହୋଇ କରଦାଙ୍ଗି ସ୍କୁଲକୁ ଯାଇଥାନ୍ତି। ଏହି ଗାଁକୁ ୩ ପାର୍ଶ୍ୱରେ ନଦୀ ଘେରିଛି। ଗୋଟିଏ ପଟରେ ରହିଛି ବିରାଟ ପାହାଡ଼। ଏଣୁ ପିଲାମାନେ ଏହି ନଦୀ ପାରିହେବାକୁ ବାଧ୍ୟ ହେଉଛନ୍ତି। ପାହାଡ଼ପର୍ବତ ଦେଇ ବହିଯାଇଥିବା ସମାକୋଇ ନଦୀର ପ୍ରଖର ସ୍ରୋତରେ କେତେବେଳେ ବି ଦୁର୍ଘଟଣା ଘଟିପାରେ। କିନ୍ତୁ ପାଠ ପଢ଼ିବାର ଇଚ୍ଛାଶକ୍ତି ଆଗରେ ଏଭଳି ବିପଦ ଆଶଙ୍କାକୁ ସମସ୍ତେ ତୁଚ୍ଛ କରିଦେଇଛନ୍ତି। ଅନ୍ଧାରୀ ଦୁର୍ଗମ ଇଲାକା ସାପଲାଞ୍ଜିକୁ ରାସ୍ତା, ପୋଲ କିଛି ନଥିଲେ ବି ପାଠର ମହତ୍ତ୍ୱକୁ ଅଭିଭାବକ ଓ ପିଲାମାନେ ବୁଝିଛନ୍ତି। ଏଣୁ ଜୀବନକୁ ବାଜି ଲଗାଇ ନିଜେ ଡଙ୍ଗା ବାହି ନଦୀ ପାରିହେବାକୁ ପଛାଉନାହାନ୍ତି। ଅନ୍ୟପଟେ ସରକାରଙ୍କ ସମନ୍ଵିତ ବିକାଶ ଯୋଜନାଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ସଡ଼କ ଆଦି ଯୋଜନା ଏହି ଗାଁଠାରୁ ଯୋଜନ ଦୂରରେ ରହିଯାଇଛି। ଫଳସ୍ୱରୂପ ଖାଲି ଛାତ୍ରଛାତ୍ରୀ ନୁହନ୍ତି, ବୃଦ୍ଧବୃଦ୍ଧା, ରୋଗୀ ଓ ଗ୍ରାମବାସୀ ସମସ୍ତେ ଯାତାୟାତ ସମସ୍ୟାରେ ଛନ୍ଦି ହୋଇଯାଇଛନ୍ତି। ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇ ରହିଛନ୍ତି। ତୁରନ୍ତ ଏ ଦିଗରେ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର