ପୁରୀ : ପୁରୀ ସଦର ବ୍ଲକ୍ ଅନ୍ତର୍ଗତ ରଘୁରାଜପୁର ଗାଁର କପତେଶ୍ୱର ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ଗତକାଲି କ୍ରୀଡ଼ା ଶିକ୍ଷୟିତ୍ରୀ କିଛି ଛାତ୍ରଙ୍କ ଚୁଟି କାଟି ଦେଇଥିବା ଅଭିଯୋଗ ହୋଇଛି। ପୂର୍ବରୁ ଚୁଟି କାଟି ଆସିବା ପାଇଁ ଶିକ୍ଷୟିତ୍ରୀ ସେମାନଙ୍କୁ ବାରମ୍ବାର କହିଥିଲେ ମଧ୍ୟ ଛାତ୍ରମାନେ ମାନି ନଥିବାରୁ ସେ ଏଭଳି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଏହାକୁ ନେଇ ସ୍କୁଲରେ ଉତ୍ତେଜନା ସୃଷ୍ଟି ହୋଇଛି। ରାସ୍ତା ଉପରେ ଧାଡ଼ିରେ ଛାତ୍ରଙ୍କୁ ଛିଡ଼ା କରି ଶିକ୍ଷୟିତ୍ରୀ ଜଣକ କଇଁଚିରେ ଚୁଟି କାଟି ଦେବା ଘଟଣାକୁ ନେଇ ଅଭିଭାବକ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି। ଏହି ଘଟଣାରେ ଛାତ୍ରମାନେ ଘୋର ଅପମାନବୋଧ କରିବା ସହ ଅଭିଭାବକଙ୍କୁ ଅଭିଯୋଗ କରିଥିଲେ। ଘଟଣା ସମ୍ପର୍କରେ ଜାଣିବା ପରେ ଆଜି ପୂର୍ବାହ୍ନରେ ୨୦ରୁ ଅଧିକ ଅଭିଭାବକ ବିଦ୍ୟାଳୟରେ ପହଞ୍ଚି ଶିକ୍ଷୟିତ୍ରୀଙ୍କ ଏଭଳି ଆଚରଣର ପ୍ରତିବାଦ କରିଥିଲେ। ଘଟଣାକୁ ନେଇ ଶିକ୍ଷକ ଓ ଅଭିଭାବକ ମୁହାଁମୁହିଁ ହେବା ଫଳରେ ବିଦ୍ୟାଳୟରେ ଦୀର୍ଘ ସମୟ ଧରି ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ଅନ୍ୟ ଶିକ୍ଷକଙ୍କ ମଧ୍ୟସ୍ଥତାରେ ଘଟଣାର ଆପୋସ ବୁଝାମଣା ହୋଇଥିଲା। ସମ୍ପୃକ୍ତ ଶିକ୍ଷୟିତ୍ରୀ ଅଭିଭାବକଙ୍କୁ ଏହି କାଣ୍ଡ ପାଇଁ କ୍ଷମା ପ୍ରାର୍ଥନା କରିଥିବା ଜଣାପଡ଼ିଛି। ରାଜ୍ୟରେ ବିଦ୍ୟାଳୟଗୁଡ଼ିକ ଦଣ୍ଡମୁକ୍ତ ଅଞ୍ଚଳଭାବେ ପରିଗଣିତ ହେଉଥିବା ବେଳେ କେଉଁ ପରିସ୍ଥିତରେ ଜଣେ ଶିକ୍ଷୟିତ୍ରୀ ଏଭଳି କାଣ୍ଡ ଘଟାଇଥିଲେ ତାହାର ତଦନ୍ତ କରିବା ସହିତ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ କେତେକ ଅଭିଭାବକ ଦାବି କରିଛନ୍ତି।
ଛାତ୍ରଙ୍କ ଚୁଟି କାଟିଦେଲେ ଶିକ୍ଷୟିତ୍ରୀ, ସ୍କୁଲରେ ଉତ୍ତେଜନା
/sambad/media/post_attachments/wp-content/uploads/2018/02/hair-cut-at-school-.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)