ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟରେ ଛାତ୍ର ଅନଶନ ଜାରି

ମୋଟ ରିଆଡମିସନ୍ ଫି’ର ୭୦ ପ୍ରତିଶତ ଛାଡ଼ ଦାବି ରଖିଲେ
ଟିଉସନ୍ ଫି’ର ୫୦ ପ୍ରତିଶତ ଛାଡ଼ ନେଇ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ସୂଚନା
ଅନଶନରତ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କଲେ କୁଳପତି

ବାରିପଦା : ଉତ୍ତର ଓଡ଼ିଶା ବିଶ୍ୱବିଦ୍ୟାଳୟ ଫାଟକ ସାମ୍ନାରେ ଛାତ୍ର ଅନଶନ ଜାରି ରହିଛି। ପିଜି ଛାତ୍ରଛାତ୍ରୀ ଏବଂ ଇଣ୍ଟିଗ୍ରେଟେଡ୍ ଏମଏଏଡ୍/ବିଏଏଡ୍ ଛାତ୍ରଛାତ୍ରୀଙ୍କର ମୋଟ ରିଆଡମିସନ୍ ଫି’ର ୭୦ ପ୍ରତିଶତ ଛାଡ଼ ଦାବିରେ ଆମରଣ ଅନଶନ ଜାରି ରହିଛି। ଆଜି କୁଳପତି ପ୍ରଫେସର ପ୍ରଦୀପ କୁମାର ଚାନ୍ଦ, କୁଳସଚିବ ପି କେ ଶତପଥୀ, ବାରିପଦା ତହସିଲଦାର ପ୍ରମୁଖ ଅନଶନରତ ଛାତ୍ରଛାତ୍ରୀଙ୍କୁ ଭେଟି ଆଲୋଚନା କରିଥିଲେ। ଛାତ୍ରଛାତ୍ରୀଙ୍କର ଟିଉସନ୍ ଫି’ର ୫୦ ପ୍ରତିଶତ ଛାଡ଼ କରିବାକୁ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ପ୍ରସ୍ତାବ ଦେଇଥିଲେ ମଧ୍ୟ ଅନଶନରତ ଛାତ୍ରଛାତ୍ରୀ ଏହାକୁ ଅଗ୍ରାହ୍ୟ କରିଦେଇଥିଲେ।

କରୋନା ସମୟରେ ଛାତ୍ରଛାତ୍ରୀମାନେ ବର୍ଦ୍ଧିତ ଫି ଦେବାକୁ ଅସମର୍ଥ। ତେଣୁ ଦାବି ପୂରଣ ନହେବା ପର୍ଯ୍ୟନ୍ତ ଏହି ଆମରଣ ଅନଶନ ଜାରି ରହିବ ବୋଲି ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରକାଶ। ଛାତ୍ରନେତା ଚିତ୍ତେଶ୍ୱର ବେହେରାଙ୍କ ନେତୃତ୍ୱରେ ବିଶ୍ୱରଞ୍ଜନ ରାଉତ, ସମୀର ଦାସ, ଆଶୁତୋଷ ଦେ, ଜୟଦେବ ପଣ୍ଡା, ପ୍ରଦୀପ କୁମାର ମାଝୀ ପ୍ରମୁଖ ଆମରଣ ଅନଶନରେ ବସିଛନ୍ତି। ସେମାନଙ୍କୁ ବିଶ୍ୱବିଦ୍ୟାଳୟ ଶତାଧିକ ଛାତ୍ରଛାତ୍ରୀ ସମର୍ଥନ ଯୋଗାଇଦେଉଛନ୍ତି। ଆସନ୍ତାକାଲିଠାରୁ ପୂର୍ବତନ ଛାତ୍ରସଂସଦ ସଭାପତି ଶଙ୍କର୍ଷଣ ପଣ୍ଡା ମଧ୍ୟ ଅନଶନରେ ଯୋଗଦେବା ନେଇ ସୂଚନା ଦେଇଛନ୍ତି। ବହୁ ପୂର୍ବତନ ଛାତ୍ରନେତା ଏହି ଅନଶନକୁ ସମର୍ଥନ କରୁଥିବା ପରିଲକ୍ଷିତ ହେଉଛି।

ସମ୍ବନ୍ଧିତ ଖବର