ପଛୁଆ ଇଲାକାର ଆଗୁଆ ଆଦିବାସୀ ଛାତ୍ରଛାତ୍ରୀ: କୁନି ଯୋଦ୍ଧା ସାଜି ଗାଁରେ ବାଣ୍ଟୁଛନ୍ତି ସଚେତନତାର ବାର୍ତ୍ତା

ମାସ୍କ ପିନ୍ଧିବା, ହାତ ଧୋଇବା, ସାମାଜିକ ଦୂରତାକୁ ଗୁରୁତ୍ବ, ପ୍ରଶଂସା କଲେ ୟୁନିସେଫ୍ ରାଜ୍ୟ ଶିକ୍ଷା ପରାମର୍ଶଦାତା

ରାୟଗଡ଼ା: ନିୟମିତ ହାତ ଧୋଇବା, ମାସ୍କ ପିନ୍ଧିବା, ଗହଳିରୁ ନିଜକୁ ଦୂରେଇ ରଖିବା ସଂପର୍କରେ କୁଇ ଭାଷାରେ ଆଦିବାସୀ ଗାଁରେ ସଚେତନତାର ଏପରି ବାର୍ତ୍ତା ବାଣ୍ଟି ଚାଲିଛନ୍ତି ସ୍କୁଲ୍ ଛାତ୍ରଛାତ୍ରୀ। କରୋନାରୁ ବର୍ତ୍ତିବା ପାଇଁ ସଚେତନତା ହିଁ ଏକ ମାତ୍ର ବାଟ ହୋଇଥିବାରୁ କରୋନା ଯୁଦ୍ଧର କୁନି ଯୋଦ୍ଧା ସାଜି ଛାତ୍ରଛାତ୍ରୀ ଜାରି ରଖିଥିବା ଏପରି ଉଦ୍ୟମକୁ ପ୍ରଶଂସା କରିଛି ୟୁନିସେଫ୍। କୋଲନରା ବ୍ଲକ ଏସ୍. ପିତେଶୁ ଗାଁର ରଚନା କେସ୍କରିକା। ବୟସ ୧୨ ବର୍ଷ। ଅନୁସୂଚିତ ଜାତି, ଜନଜାତି ବିଭାଗ ଦ୍ବାରା ପରିଚାଳିତ ସ୍କୁଲରେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ରଚନା କରୋନା ମୁକାବିଲା ଲାଗି ଗାଁ ଲୋକଙ୍କୁ ଶିଖାଉଛନ୍ତି ହାତ ଧୂଆ, ମାସ୍କ ପିନ୍ଧିବା ଶୈଳୀ।

ନିଜ ଅଭିଭାବକଙ୍କ ଜରିଆରେ ଗାଁ ଲୋକଙ୍କୁ ଏକାଠି କରି ସଚେତନତା କରିବା ସହ ସାମାଜିକ ଦୂରତା ରକ୍ଷା କରିବା ଲାଗି କରୁଛନ୍ତି ଅନୁରୋଧ। କେବଳ ରଚନା ନୁହଁନ୍ତି, ରାୟଗଡ଼ା ବ୍ଲକ୍ ଧୁମାଗୁଡା ଗ୍ରାମର ସଞ୍ଜନା କାଡ୍ରକା, ପିତାମହଲ ପଞ୍ଚାୟତ ହାସୁକୁ ଗ୍ରାମର ଆନନ୍ଦ କଣ୍ଡାଗିରି ଭଳି ଅନେକ ଛାତ୍ରଛାତ୍ରୀ ନିଜ ଗାଁରେ ସଚେତନତା ଜାରି ରଖିଛନ୍ତି। ସଚେତନତାର ବାର୍ତ୍ତାବହ ପାଲଟିଥିବା ଛାତ୍ରଛାତ୍ରୀଙ୍କ ଏପରି ଉଦ୍ୟମକୁ ୟୁନିସେଫ୍ ରାଜ୍ୟ ଶିକ୍ଷା ପରାମର୍ଶଦାତା ଲଳିତା ପଟ୍ଟନାୟକ ପ୍ରଶଂସା କରିବା ସହ ଜାତୀୟ ସ୍ତରରେ ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ପହଞ୍ଚାଇବା ପାଇଁ ଏକ ଭିଡ଼ିଓ କରି ପଠାଇବାକୁ ନିବେଦନ କରିଛନ୍ତି।

କରୋନା ମୁକାବିଲା ଲାଗି ସରକାରୀ ଓ ବେସରକାରୀ ସ୍ତରରେ ଚାଲିଛି ସମସ୍ତ ପ୍ରକାର ଉଦ୍ୟମ। ଲୋକଙ୍କୁ ଏହି ଭୟଙ୍କର ରୋଗରୁ ଦୂରେଇ ରଖିବା ଲାଗି ସରକାର ସଚେତନତାକୁ ପ୍ରାଥମିକତା ଦେଇଛନ୍ତି। ଯେଉଁଥିରୁ ବାଦ୍ ପଡ଼ି ନାହାନ୍ତି ପଛୁଆ ଇଲାକାର ଆଗୁଆ ଆଦିବାସୀ ଛାତ୍ରଛାତ୍ରୀ। ରାୟଗଡା ଜିଲ୍ଲା ଭାକୁରଗୁଡା ଆଶ୍ରମ ବିଦ୍ୟାଳୟର ଛାତ୍ରଛାତ୍ରୀ ଅଭିଭାବକ, ସାହି ପଡିଶା ତଥା ଗାଁର ଲୋକଙ୍କୁ  ଅଜଣା ରୋଗର ଭୟାଭୟତା ସଂପର୍କରେ ବୁଝାଇ ଏହାର ସଫଳ ମୁକାବିଲା ଲାଗି ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିବେଦନ କରୁଛନ୍ତି।

ନିଜ ଗାଁ ଲୋକଙ୍କୁ ସାମାଜିକ ଦୂରତ୍ୱ ବଜାୟ ରଖିବାକୁ କହିବା ସହ ନିୟମିତ ବ୍ୟବଧାନରେ ହାତ ଧୋଇବା, ଅବାଧରେ ମିଳାମିଶା ନ କରିବା, ଛେପ ଏଣେତେଣେ  ନପକାଇବା, ନିଜ ଘରେ ତଥା ଗାଁ ଭିତରେ ରହିବା, ଗାଁରୁ ବାହାରକୁ ନ ଯିବା ସହ ଗାଁ ଭିତରକୁ କାହାକୁ ପ୍ରବେଶ ନ କରେଇ ଦେବା ଲାଗି ନିଜ ମାତୃଭାଷା କୁଇ ଭାଷାରେ ବୁଝାଉଛନ୍ତି । ହଷ୍ଟେଲ ରହି ପଢୁଥିବା ଏହି ଛାତ୍ରଛାତ୍ରୀଙ୍କୁ ଚଳିତ ବର୍ଷ ବିଭାଗ ପକ୍ଷରୁ ୩ ମାସର ଅଗ୍ରୀମ ଆକାରରେ ପ୍ରତି ବାଳକ ପାଇଁ ୨୨୫୦ ଏବଂ ପ୍ରତି ବାଳିକାଙ୍କୁ ୨୪୦୦ ଆକାରରେ ଅର୍ଥ ପ୍ରଦାନ କରାଯାଇଛି।

ସରକାରଙ୍କଠୁ ପାଇଥିବା ଅଗ୍ରୀମ ଅର୍ଥରେ ଛାତ୍ରଛାତ୍ରୀ ସାନିଟାଇଜର, ସାବୁନ, ହ୍ୟାଣ୍ଡ ୱାସ, ମାସ୍କ କିଣି ବ୍ୟବହାର କରୁଛନ୍ତି। ଶିକ୍ଷା ଓ ସଚେତନତା ଦୃଷ୍ଟିରୁ ଆଭ୍ୟନ୍ତରୀଣ ଇଲାକାରେ ବସବାସ କରୁଥିବା ଜନଜାତିର ଲୋକମାନେ ବହୁ ପଛରେ ଥିବାରୁ ନିଜ ଅଭିଭାବକଙ୍କୁ ସଚେତନ କରାଇବାର ଦାୟିତ୍ୱ ନେଇଥିବା ଛାତ୍ରଛାତ୍ରୀଙ୍କ ଉଦ୍ୟମକୁ ଅଭିଭାବକ ମଧ୍ୟ ସ୍ୱାଗତ କରିଛନ୍ତି। କୁଇ ଭାଷାରେ ପ୍ରସ୍ତୁତ ହୋଇଥିବା କରୋନା ସଚେତନଧର୍ମୀ ଭିଡିଓ ସାମାଜିକ ଗଣମାଧ୍ୟମରେ ବେଶ ପ୍ରଭାବ ପକାଇବା ପରେ ରାଜ୍ୟ ୟୁନିସେଫ ପ୍ରଶଂସା କରିଛି।

ସମ୍ବନ୍ଧିତ ଖବର