ଶୀତରାତିରେ ଛାତ୍ରାବାସ ଛାଡ଼ିବା ଘଟଣା: ୨୪ ଘଣ୍ଟାରେ ୩ ଶିକ୍ଷକଙ୍କୁ ନିଯୁକ୍ତି

ଫୁଲବାଣୀ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଳକ୍‌ ମଂଗଳ ବିଭାଗ ଦ୍ବାରା ପରିଚାଳିତ ବେଲଘର ହାଇସ୍କୁଲରେ ଛାତ୍ରଛାତ୍ରୀଙ୍କ ଅଭିନବ ଆନ୍ଦୋଳନ ଫଳ ଦେଇଛି। ଜିଲ୍ଲା ପ୍ରଶାସନ ଚେତିଛି। ଜିଲ୍ଲାପାଳଙ୍କ ଆଦେଶ କ୍ରମେ ୨୪ ଘଣ୍ଟା ଭିତରେ ୩ ଜଣ ଶିକ୍ଷକ, ଶିକ୍ଷୟିତ୍ରୀଙ୍କୁ ଡେପୁଟେସନ୍‌ରେ ଉକ୍ତ ବିଦ୍ୟାଳୟରେ ନିଯୁକ୍ତି ଦିଆଯାଇଛି। ନିଯୁକ୍ତି ପାଇଥିବା ଶିକ୍ଷକ ଓ ଶିକ୍ଷୟିତ୍ରୀ ହେଲେ କୁର୍ତ୍ତମଗଡ଼ ହାଇସ୍କୁଲର ଭଗବାନ ସାହୁ, ଦୁତିପଡ଼ା ବାଳିକା ହାଇସ୍କୁଲର ଜ୍ୟୋତ୍ସ୍ନା ପ୍ରଧାନ ଓ ଦୁର୍ଗାପଙ୍ଗା ବାଳିକା ହାଇସ୍କୁଲର ହେମଲତା ବେହେରା।

ବିଦ୍ୟାଳୟରେ ପିଲାଙ୍କ ଅନୁପାତରେ ଆବଶ୍ୟକ ଶିକ୍ଷକ ନାହାନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ବହୁ ସମସ୍ୟା ସୃଷ୍ଟି ହେଉଛି। ଏନେଇ ଛାତ୍ରଛାତ୍ରୀ ବହୁବାର ପ୍ରଶାସନକୁ ଜଣାଇଥିଲେ। ହେଲେ କେହି ନ ଶୁଣିବାରୁ ମଙ୍ଗଳବାର ଭୋର ୩ଟାରେ ୫୪ ଛାତ୍ର ଛାତ୍ରାବାସ ଛାଡ଼ି ଶୀତ ରାତିରେ ଦୀର୍ଘ ୨୬ କିଲୋମିଟର ଜଙ୍ଗଲ ଓ ପାହାଡ଼ ଡେଇଁ ତୁମୁଡିବନ୍ଧ ପହଞ୍ଚି‌ଲେ। ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଲେ। ଏହାକୁ ନେଇ ପ୍ରଶାସନ ଅଡୁଆରେ ପଡ଼ିଥିଲା। ତୁରନ୍ତ ଶିକ୍ଷକ ନିଯୁକ୍ତି ପ୍ରତିଶ୍ରୁତି ଦେଇ ସେମାନଙ୍କୁ ବୁଝାସୁଝା କରି ପଠାଇ ଦିଆଯାଇଥିଲା। ତାପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ ମତେ ଜିଲ୍ଲା ମଂଗଳ ଅଧିକାରୀ ଶେଷ‌ଦେବ ବେହେରା ଆଜି ଜଣେ ଶିକ୍ଷକ ଓ ୨ ଜଣ ଶିକ୍ଷୟିତ୍ରୀଙ୍କୁ ସ୍କୁଲକୁ ଡେପୁଟେସନରେ ନିଯୁକ୍ତି ଆଦେଶ ଜାରି କରିଛନ୍ତି। ଆଜି ସଂଧ୍ୟା ସୁଦ୍ଧା ସମସ୍ତଙ୍କୁ ସ୍କୁଲରେ ଯୋଗ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର