ସୁନ୍ଦରଗଡ଼ : ହଷ୍ଟେଲରୁ ଘରକୁ ଫେରିଲେ ୩୧ ହଜାର ୬୦୬ ଅନ୍ତେବାସୀ

ଜିଲ୍ଲାର ରହିଛି ୧୨୯ ଆଶ୍ରମ ଓ ସେବାଶ୍ରମ ସ୍କୁଲ

ରାଉରକେଲା : କାୟା ବିସ୍ତାର କରି ଚାଲିଥିବା ମହାମାରୀ କରୋନା ମୁକାବିଲା ପାଇଁ ସାରା ଦେଶକୁ ଲକ୍‌ ଡାଉନ୍‌ କରାଯାଇଛି। ତେବେ ସୁରକ୍ଷା ଦୃଷ୍ଟିରୁ ଅନୁସୂଚିତ ଜାତି ଓ ଜନଜାତି ବିଭାଗରେ ଅଧିନରେ ଚାଲୁଥିବା ଆଶ୍ରମ ଓ ସେବାଶ୍ରମ ସ୍କୁଲକୁ ଛାତ୍ରଛାତ୍ରୀଙ୍କୁ ଘରକୁ ପଠାଇ ଦିଆଯାଇଛି। ସମ୍ପୃକ୍ତ ଆଶ୍ରମ ଓ ସେବାଶ୍ରମ ସ୍କୁଲର ପ୍ରଧାନଶିକ୍ଷକ, ଅଧୀକ୍ଷକଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ତିନି ମାସର ଅର୍ଥାତ୍‌ ଆସନ୍ତା ଜୁନ୍ ପର୍ଯ୍ୟନ୍ତ ସମସ୍ତଙ୍କୁ ଷ୍ଟାଇପେଣ୍ଡ ବାବଦ୍‌ ଖର୍ଚ୍ଚ ପ୍ରଦାନ କରାଯାଇଛି। ଗତକାଲି ଠାରୁ ଆଶ୍ରମ, ସେବାଶ୍ରମ ସ୍କୁଲ ଓ ଅର୍ବାନ ଏଜୁକେଶନ୍‌ ସେଣ୍ଟରର କର୍ତ୍ତୃପକ୍ଷ ପିଲାଙ୍କୁ ସେମାନଙ୍କ ଅଭିଭାବକଙ୍କୁ ହସ୍ତାନ୍ତର କରିଛନ୍ତି। ପୂର୍ବରୁ ରାଜ୍ୟ ସରକାର ଆଶ୍ରମ ଓ ସେବାଶ୍ରମ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଛାତ୍ରାବାସରେ ରହିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଲକ୍‌ ଡାଉନ୍‌ ପରେ ରାଜ୍ୟ ସରକାର ପୂର୍ବ ନିଷ୍ପତ୍ତିରୁ ଓହରି ଯିବାକୁ ବାଧ୍ୟ ହୋଇଥିଲେ।

ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ ଜିଲ୍ଲାରେ ଥିବା ମୋଟ୍‌ ୧୨୯ ଆଶ୍ରମ ଓ ସେବାଶ୍ରମ ସ୍କୁଲର ପ୍ରାୟ ୩୧ ହଜାର ୬୦୬ ଅନ୍ତେବାସୀ ବର୍ତ୍ତମାନ ସୁଦ୍ଧା ହଷ୍ଟେଲରେ ରହନ୍ତି। ସୁନ୍ଦରଗଡ ଜିଲ୍ଲାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଆଶ୍ରମ, ପ୍ରଥମରୁ ୮ମ ଶ୍ରେଣୀ ସେବାଶ୍ରମ ମୋଟ୍‌ ୧୨୯ଟି ସ୍କୁଲ ରହିଛି। ପାନପୋଷ ସବ୍‌ଡିଭିଜନ୍‌ରେ ୨୯, ବଣାଇ ସବ୍‌ଡିଭିଜନ୍‌ରେ ୪୯, ସୁନ୍ଦରଗଡ ସବ୍‌ଡିଭିଜନ୍‌ରେ ୫୧ ଆଶ୍ରମ ଓ ସେବାଶ୍ରମ ସ୍କୁଲ ରହିଛି। ପାନପ‌ୋଷ ସବ୍‌ଡିଭିଜନ୍‌ ଅନ୍ତର୍ଗତ କୁଆରମୁଣ୍ଡା ବ୍ଲକରେ ୨୦୫୩, ନୂଆଗାଁ ବ୍ଲକରେ ପ୍ରାୟ ୧୫୦୦, ଲାଠିକଟାରେ ୮୦୦, ବିଶ୍ରା ବ୍ଲକରେ ୧୩୧୬ ଛାତ୍ରଛାତ୍ରୀ ହଷ୍ଟେଲରେ ରହି ପାଠ ପଢ଼ୁଛନ୍ତି। ସେହିପରି ରାଉରକେଲା, ବେଦବ୍ୟାସସ୍ଥିତ ଅନ୍ବେଷା ଯୋଜନାରେ ତିନିଟି ହଷ୍ଟେଲରେ ପ୍ରାୟ ୧୧୯୨ ଛାତ୍ରଛାତ୍ରୀ ରହନ୍ତି। ବଣାଇ ସବ୍‌ଡିଭିଜନ୍‌ରେ ୮ ହଜାର ୪୪୭ ଛାତ୍ରଛାତ୍ରୀ ହଷ୍ଟେଲରେ ରହନ୍ତି। କରୋନା ସଂକ୍ରମଣ ପରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ବିଭାଗର ନିର୍ଦ୍ଦେଶ ଅନୁଯାୟୀ କୌଣସି ଛାତ୍ରଛାତ୍ରୀଙ୍କୁ ଘରକୁ ଛଡା ଯାଉ ନଥିଲା। ଜରୁରି ପରିସ୍ଥିତିରେ ହଷ୍ଟେଲରେ ରହୁଥିବା ପିଲା ଯଦି ଘରକୁ ଯାଆନ୍ତି ୪ ମାସ ପର୍ଯ୍ୟନ୍ତ ହଷ୍ଟେଲକୁ ଆସିବାକୁ ଅନୁମତି ମିଳିବ ନାହିଁ ବୋଲି କୁହାଯାଇଥିଲା।

ସମ୍ବନ୍ଧିତ ଖବର