ଭୁବନେଶ୍ୱର : ପାଣି ନାହିଁ , ଇଲେକ୍ଟ୍ରି ନାହିଁ, ବଂଚିବା ମୁସକିଲ । ରାଜଧାନୀରେ ଘରେ ରହୁଥିବା ଲୋକେ ଏପରି ସମସ୍ୟା ଭିତରେ ଦିନରାତି କାଟୁଥିବା ବେଳେ ଥରେ ଚିନ୍ତା କରନ୍ତୁ ବାଣୀବିହାର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀମାନେ କିପରି ଅବସ୍ଥାରେ ରହୁଥିବେ । ପାଣି ଓ ବିଦ୍ୟୁତ ସମସ୍ୟାର ମୁକାବିଲା କରିବାରେ ଅକ୍ଷମତା ପ୍ରକାଶ କରିଥିବା ଛାତ୍ରଛାତ୍ରୀ ଏବେ ଘର ମୁହାଁ ହୋଇଛନ୍ତି । ଆଜି ବସଷ୍ଟପରେ ଦେଖିବାକୁ ମିଳିଥିଲା ଛାତ୍ରଛାତ୍ରୀଙ୍କ ଭିଡ । ସେମାନଙ୍କ କହିବା ହେଲା, ଏଟିଏମରୁ ଟଙ୍କା ଉଠୁନି, ପାଇପରେ ପାଣି ଆସୁନି ତେଣୁ ହଷ୍ଟେଲରେ ବଂଚିବା କଷ୍ଟକର ବ୍ୟାପର ହୋଇପଡିଛି ।
ଗତକାଲି ଠାରୁ ଆଜି ପର୍ଯ୍ୟନ୍ତ ଶତାଧିକ ଛାତ୍ରଛାତ୍ରୀ ହଷ୍ଟେଲ ଛାଡି ଘରମୁହାଁ ହେଉଥିବା ଦେଖିବାକୁ ମିଳିଛି । ତିନି ଦିନ ହେଲା ଘର ସହ କୌଣସି ଯୋଗାଯୋଗ ହୋଇପାରୁନି । କେମିତି ଅଛନ୍ତି ପରିବାର ଲୋକ ଜାଣିପାରୁନାହାନ୍ତି । ଏପରିକି ବାହାରେ ରହି ପାଠ ପଢୁଥିବା ପୁଅ ଝିଅ ଏହି ଭୟଙ୍କର ବାତ୍ୟା ପରେ କେମିତି ଅଛନ୍ତି, ତାହା ମଧ୍ୟ ବାପା ମା’ ଜାଣିପାରୁନାହାନ୍ତି । କାରଣ ଯୋଗାଯୋଗ କରିବାର ସମସ୍ତ ମାଧ୍ୟମ ବ୍ୟାହତ ହୋଇସାରିଛି । ନା ଫୋନ୍ ଲାଗୁଛି, ନା ଇଣ୍ଟରନେଟ୍ ସେବା ଚାଲୁଛି ।
ମାତ୍ର କେଇ ଘଣ୍ଟାର ତାଣ୍ଡବ ଛାରଖାର କରିଦେଇଛି ସୌନ୍ଦର୍ଯ୍ୟ ଭରା ଉତ୍କଳ ବିଶ୍ୱବିଦ୍ୟାଳୟକୁ । ସବୁଜ ଶ୍ୟାମଳ ଭରା ବାଣୀବିହାର ନିମିଷକ ମଧ୍ୟରେ ହରାଇଦେଇଛି ସବୁକିଛି । ସବୁଜିମାରେ ଭରି ରହିଥିବା ଏହି କ୍ୟାମ୍ପସର ପୁରା ନକ୍ସା ବଦଳିଯାଇଛି । ପାଖାପାଖି ୭୦ ପ୍ରତିଶତ ଗଛ ମାଟି କାମୁଡି ପଡିଥିବା ବେଳେ ଅନେକ ବିଲ୍ଡିଂ ମଧ୍ୟ ଭୁଷୁଡି ପଡିଛି । ଲାଇନ୍ ତାର ଉପରେ ଗଛ ପଡିଯାଇଥିବାରୁ, ବିଦ୍ୟୁତ ସେବା କେବେ ଯେ, ସ୍ୱାଭାବିକ ହେବ, ତାହା କହିବା ମୁସ୍କିଲ । ଏହାରି ଭିତରେ ଛାତ୍ରଛାତ୍ରୀଙ୍କ ସେମିଷ୍ଟାର ପରୀକ୍ଷାକୁ ମଧ୍ୟ କର୍ତ୍ତୃପକ୍ଷ ଘୁଞ୍ଚାଇ ଦେଇଛନ୍ତି । ହଷ୍ଟେଲ ଲାଇନ୍ ଓ ପାଣି ନଥିବାରୁ ବାଧ୍ୟ ହୋଇ ଛାତ୍ରଛାତ୍ରୀମାନେ ଘରମୁହାଁ ହୋଇଛନ୍ତି ।