କୋରାପୁଟ: ଗାଁରେ ନାହିଁ ସ୍କୁଲ୍। ୩ କିମି ଦୂରରେ ଥିବା ସ୍କୁଲ୍‌ରେ ପାଠ ପଢ଼ିବା ପାଇଁ ନଈ ପାର ହେବାକୁ ପଡ଼ୁଛି। ଏବେ ବର୍ଷା ଯୋଗୁଁ କୂଳ ଲଂଘିଥିବାରୁ ଅଭିଭାବକଙ୍କ କାନ୍ଧରେ ‘ଅନ୍ଧାରୀ’ ନଦୀ ପାର ହେଉଛନ୍ତି କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ୍‌ ପିଣ୍ଡାପଦର ପଞ୍ଚାୟତ ଶଶିକୁଡ଼ି ଗ୍ରାମର ଛାତ୍ରଛାତ୍ରୀ।

Advertisment

ବ୍ଲକ୍ ସଦର ମହକୁମାରୁ ୧୫ କିମି ଏବଂ ପଞ୍ଚାୟତ ସଦର ମହକୁମାରୁ ୫ କିମି ଦୂରରେ ରହିଛି ଶଶିକୁଡ଼ି ଗାଁ। ପାଠପଢ଼ା ପାଇଁ ଗାଁର ୧୭ରୁ ଅଧିକ ପିଲା ୩ କିମି ଦୂରରେ ଥିବା ବରଗଛ ଗାଁ ସ୍କୁଲ୍ ଉପରେ ନିର୍ଭର କରୁଛନ୍ତି। ଖରା ଓ ଶୀତ ଦିନରେ ନଦୀରେ କମ ପାଣି ରହୁଥିବାରୁ ଛାତ୍ରଛାତ୍ରୀ ନିଜେ ନଦୀ ପାର ହୋଇ ସ୍କୁଲ୍ ଯାଉଛନ୍ତି। କିନ୍ତୁ ବର୍ଷା ୬ ମାସ ନଦୀ ପାର ହେବା ପାଇଁ ଅଭିଭାବକଙ୍କ କାନ୍ଧ ହିଁ ଏକମାତ୍ର ଭରସା। ନଦୀ ଉପରେ ପୋଲ ନିର୍ମାଣ ପାଇଁ ଗ୍ରାମବାସୀ ବହୁଦିନରୁ ଦାବି କରି ଆସୁଥିଲେ ମଧ୍ୟ ବ୍ଲକ୍ ପ୍ରଶାସନ ଏଥି ପ୍ରତି ଦୃଷ୍ଟି ଦେଉନି। ଗତ ଏକ ସପ୍ତାହ ଧରି କୋରାପୁଟ ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଥିବାରୁ ଅନ୍ଧାରୀ ନଦୀ‌ର ଜଳସ୍ତର ବୃଦ୍ଧି ପାଇଛି। ନଦୀ ପାର ଲାଗି ବିକଳ୍ପ ରାସ୍ତା ନଥିବାରୁ ପିଲାଙ୍କୁ ସ୍କୁଲକୁ ନେବା ଆଣିବାରେ ଅଭିଭାବକ ନିଜ ଜୀବନକୁ ବାଜି ଲଗାଉଛନ୍ତି। 

ବର୍ଷା ବଢ଼ିଲେ ନଦୀରେ ୪ରୁ ୫ ଫୁଟ ଉଚ୍ଚତାରେ ପାଣି ପ୍ରବାହିତ ହେଉଛି। ଗ୍ରାମବାସୀ ଜଳବନ୍ଦି ଜୀବନ ବିତାଉଛନ୍ତି। ଗ୍ରାମରେ ୪୫ ପରିବାର ବସବାସ କରୁଥିବା ବେଳେ ସମସ୍ତ ମୌଳିକ ସୁବିଧା ସୁଯୋଗ ପାଇଁ ୫ କିମି ଦୂରରେ ଥିବା ପଞ୍ଚାୟତକୁ ଯିବାକୁ ପଡ଼ୁଛି। ଶିକ୍ଷା ସହିତ ସ୍ବାସ୍ଥ୍ୟ ଏବଂ ଯାବତୀୟ କାମ ପାଇଁ ଗ୍ରାମବାସୀଙ୍କୁ ନଦୀ ପାର ହୋଇ ପଞ୍ଚାୟତ ଓ ଦଶମନ୍ତପୁର ବ୍ଲକ୍‌ କାର୍ଯ୍ୟାଳୟକୁ ଯିବାକୁ ପଡୁଛି। ବର୍ଷା ଦିନରେ ଗାଁର ଗର୍ଭବତୀ ମହିଳା ଓ ଗୁରୁତର ରୋଗୀଙ୍କୁ ଭାରରେ ନଦୀ ପାରି କରି ଡାକ୍ତରଖାନାକୁ  ନିଆଯାଉଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଯୁବକମାନେ ନଦୀ ପାର ହୋଇ ସପ୍ତାହକୁ ଥରେ ହାଟ ବଜାରକୁ ଯାଇଥାନ୍ତି। ସେହିପରି ୫ କିମି ଦୂରରେ ଥିବା ପଞ୍ଚାୟତକୁ ଯାଇ ହିତାଧିକାରୀ ଟଙ୍କିକିଆ ଚାଉଳ ସମେତ ଭତ୍ତା ଟଙ୍କା ଆଣୁଛନ୍ତି। ଗ୍ରାମବାସୀଙ୍କ ସମସ୍ୟା ପ୍ରତି ଦୃଷ୍ଟି ଦେଇ ଅନ୍ଧାରୀ ନଦୀରେ ପୋଲ ନିର୍ମାଣ କରିବାକୁ ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି।