ମୈଦଲପୁର: ନବରଙ୍ଗପୁରଜିଲ୍ଲା ପାପଡାହାଣ୍ଡି ବ୍ଲକ ମାଝୀଗୁଡା ପଞ୍ଚାୟତ ଲଦି ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ବଦଳି ହୋଇଥିବା ଶିକ୍ଷକଙ୍କୁ ଫେରାଇ ଆଣିବା ପାଇଁ ଦାବି କରି ଛାତ୍ରଛାତ୍ରୀମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଛନ୍ତି। ପୂର୍ବାହ୍ନ ୧୦ ଟାରୁ ଅପରାହ୍ନ ୪ ଟା ସମୟ ପର୍ଯ୍ୟନ୍ତ ବିଦ୍ୟାଳୟରେ ତାଲା ପଡ଼ିଥିଲା। ସ୍କୁଲ ବାହାରେ ରହି ଛାତ୍ରଛାତ୍ରୀମାନେ ପ୍ରତିବାଦ କରିଥିଲେ। ଦାବି ପୂରଣ ନହେବା ପର୍ଯ୍ୟନ୍ତ ତାଲା ପଡ଼ି ରହିବ ବୋଲି ସେମାନେ କହିଛନ୍ତି । ଏଥିରେ ଅଭିବାବକ ଓ ଗ୍ରାମବାସୀମାନେ ସାମିଲ ଥିଲେ ।
ବିଦ୍ୟାଳୟରେ ୧୫୬ ଜଣ ଛାତ୍ରଛାତ୍ରୀ ପ୍ରଥମରୁ ଅଷ୍ଟମ ଯାଏଁ ପାଠ ପଢ଼ୁଥିବା ବେଳେ ଯୀଶୁ ହରିଜନ ନାମକ ଶିକ୍ଷକଙ୍କ ବଦଳି ହୋଇଛି । ଶିକ୍ଷକଙ୍କ ବଦଳି ବାତିଲ ପାଇଁ ଛାତ୍ରଛାତ୍ରୀ ବିଦ୍ୟାଳୟରେ ତାଲା ଦେଇଥିବାବେଳେ ଅଭିବାବକମାନେ ସମସ୍ତେ ମିଶି ଦାବି ଜଣାଇଛନ୍ତି । ବିଦ୍ୟାଳୟର ବଦଳି ହୋଇଥିବା ଶିକ୍ଷକ ପୁନର୍ବାର ଏହି ବିଦ୍ୟାଳୟକୁ ଆସିବାକୁ ଦାବି ହୋଇଛି ।
ପ୍ରଶାସନ ଯେତେ ଦିନ ପର୍ଯ୍ୟନ୍ତ ଏହି ଶିକ୍ଷକଙ୍କୁ ନ ଦିଅନ୍ତି ସେତେ ଦିନ ପର୍ଯ୍ୟନ୍ତ ତାଲା ରହିବ ବୋଲି ଚେତାବନୀ ଦେଇଛନ୍ତି ଛାତ୍ରଛାତ୍ରୀ ଓ ଅଭିବାବକ । ଧାରଣାରେ ପାଠପଢା ବନ୍ଦ ହେବା ସହ ପିଲାମାନେ ନଖାଇ ନପିଇ ସ୍କୁଲ ବାହାରେ ରହିଥିବା ଦେଖିବାକୁ ମିଳିଥିଲା । ସୂଚନା ଥାଉକି, ଶିକ୍ଷକଙ୍କୁ ଫେରାଇ ଆଣିବାକୁ ବିଭାଗକୁ ମଧ୍ୟ ଲିଖିତ ଭାବେ ଜଣାଇଥିବା ଗ୍ରାମବାସୀ କହିଛନ୍ତି ।
ଏବିଷୟ ନେଇ ପାପଡାହାଣ୍ଡି ଭାରପ୍ରାପ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁଦୀପ୍ତ ଦାସଙ୍କୁ ଯୋଗାଯୋଗ କରିବାରୁ ଶୀଘ୍ର ଏହାର ସମାଧାନ କରାଯିବ ବୋଲି ସେ କହିଛନ୍ତି ।
ଆକାଶ ବିଷୋୟୀ