ଏକସମୟରେ ଅଢ଼େଇ ଲକ୍ଷ ପିଲା ଗାଇଲେ ଗଂଗାଧର ସଂଗୀତ

ଜୟନ୍ତୀରେ ନିଆରା ଶ୍ରଦ୍ଧାଞ୍ଜଳି

ବରଗଡ଼ : ଜିଲ୍ଲା ଶିକ୍ଷାବିଭାଗ ନିଆରା ଢଙ୍ଗରେ ଗଂଗାଧର ଜୟନ୍ତୀ ପାଳନ କରିଛି। ବୁଧବାର ସକାଳୁ ଏକା ସମୟରେ ଜିଲ୍ଲାର ସମସ୍ତ ସ୍କୁଲର ପାଖାପାଖି ଅଢ଼େଇ ଲକ୍ଷ ପିଲା ସାମୂହିକ ଗଂଗାଧର ସଂଗୀତ ଗାନ କରିଛନ୍ତି। ସକାଳ ୯ଟାରେ ବିଶ୍ବ ଜୀବନ ହେ.., ୯.୪୦ରେ ବିଶ୍ବ ଦେଖ ମଧୁମୟ.., ୧୦.୩୦ରେ ମଂଗଳେ ଅଇଲା ଉଷା.., ୧୦.୫୦ରେ ଜନ୍ମଦାତ୍ରୀ ମାତୃଭୂମି.. ସଂଗୀତ ସାମୂହିକ ଭାବେ ଗାନ କରାଯାଇଥିଲା।

ବରଗଡ଼ ସହରଠାରେ ଜିଲ୍ଲା ଶିକ୍ଷା ସାହିତ୍ୟ ସଂସ୍କୃତି ସଂସଦ ଆନୁକୁଲ୍ୟରେ ଅନୁଷ୍ଠିତ ସମାରୋହରେ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟଅତିଥି ଓ ଜିଲ୍ଲାପାଳ ଇନ୍ଦ୍ରମଣି ତ୍ରିପାଠୀ, ଏଡିଇଓ ସୁଶାନ୍ତ ଚୋପଦାର, ସୌଖୀନ କଳାକର ସଂଘ ସଭାପତି ଅଶ୍ବିନୀ ପଣ୍ଡା ଯୋଗ ଦେଇଥିଲେ। ଡିଇଓ ପ୍ରକାଶ ଯୋଶୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସକାଳ ସାଢ଼େ ୭ଟାରେ ପୌରାଞ୍ଚଳର ୨୦୦୦ ଛାତ୍ରଛାତ୍ରୀ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ଗାନ୍ଧିଛକ ସ୍ଥିତ କବି ଗଙ୍ଗାଧରଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ଏଥିରେ କିଛି ଛାତ୍ରଛାତ୍ରୀ ଗଂଗାଧରଙ୍କ ବେଶ ଧାରଣ କରିଥିଲେ। ଡ. ମନୋଜ କୁମାର ସାହୁ ଓ ଜ୍ୟୋତିକାନ୍ତ ସାହୁଙ୍କ ସଂଯୋଜନା ଓ ସଂଗୀତ ନିର୍ଦ୍ଦେଶକ ନବ ମହତ୍ତମଙ୍କ ନିର୍ଦ୍ଦେଶନାରେ ଜିଲ୍ଲାର ସମସ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନେ ଗଙ୍ଗାଧର ସଂଗୀତ ଗାନ କରିଥିଲେ। ସରକାରୀ ବାଳିକା ହାଇସ୍କୁଲର ଛାତ୍ରୀ ‘ପ୍ରଣୟ ବଲ୍ଲରୀ’ କାବ୍ୟକୁ ଗୀତିନାଟ୍ୟ ପରିବେଷଣ କରିଥିଲେ। ଗୀତିନାଟ୍ୟର ନିର୍ଦ୍ଦେଶକ ଶିକ୍ଷକ ବଲ୍ଲଭ ପଧାନ, ଜୟନ୍ତ ନନ୍ଦ, ଲଳିତ ରାଏ, କୁମୁଦ ସାହୁ, ଆଲୋକ ସାହୁ ପରିତୋଷ ବେହେରା ପ୍ରମୁଖଙ୍କ ତତ୍ୱାବଧାନରେ କାର୍ଯ୍ୟକ୍ରମ ହୋଇଥିଲା। ପ୍ରଧାନ ଶିକ୍ଷୟିତ୍ରୀ ଅମୃତା ସାହୁ ଧନ୍ୟବାଦ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ମୋଟ୍‌ ୨,୬୬,୩୭୨ ଜଣ ଛାତ୍ରଛାତ୍ରୀ ସାମୂହିକ ଗଂଗାଧର ସଂଗୀତ ଗାନ କରିଥିବା ଜିଲ୍ଲା ଶିକ୍ଷାବିଭାଗ ସୂଚନା‌ ଦେଇଛି।

ସମ୍ବନ୍ଧିତ ଖବର