ଏସ୍‌ସିଏସ୍‌ଟି ହଷ୍ଟେଲରେ ଛାତ୍ରୀଙ୍କୁ ପ୍ରଧାନଶିକ୍ଷକଙ୍କ ଦୁର୍ବ୍ୟବହାର, ପ୍ରଶାସନର ଦ୍ବାରସ୍ଥ ହେଲେ ଛାତ୍ରୀ

ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ

ନାରାୟଣପାଟଣା: ଆବାସିକ ବାଳିକା ଉଚ୍ଚ ବିଦ୍ୟାଳୟ ହଷ୍ଟେଲରେ ଦିଆଯାଉଛି ନିମ୍ନମାନର ଖାଦ୍ୟ। ଏହାର ପ୍ରତିବାଦ କଲେ ଛାତ୍ରୀମାନଙ୍କୁ ପ୍ରଧାନଶିକ୍ଷକ ଦୁର୍ବ୍ୟବହାର କରୁଛନ୍ତି। ଏଭଳି ଅଭିଯୋଗ ଆଣି ଆଜି ଭୋର ସକାଳେ ହଷ୍ଟେଲ ଛାଡ଼ି ପ୍ରଶାସନର ଦ୍ବାରସ୍ଥ ହୋଇଛନ୍ତି ଏହି ବିଦ୍ୟାଳୟରେ ନବମ ଶ୍ରେଣୀରେ ପଢ଼ୁଥିବା ୨୦ଜଣ ଛାତ୍ରୀ। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ।

ସୂଚନା ଅନୁସାରେ, ନାରାୟଣପାଟଣା ଉପକଣ୍ଠସ୍ଥ ଢେପାଗୁଡ଼ା ଠାରେ ଏସ୍‌ସିଏସ୍‌ଟି ବିଭାଗ ଦ୍ବାରା ପରିଚାଳିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ରହିଛି। ଏହି ବିଦ୍ୟାଳୟରେ ୬ଷ୍ଠରୁ ୧୦ମ ଶ୍ରେଣୀ ପର୍ଯ୍ୟନ୍ତ ଦୂରଦୂରାନ୍ତ ଗାଁରୁ ଆଦିବାସୀ ଛାତ୍ରୀମାନେ ଆସି ପାଠ ପଢ଼ନ୍ତି। ତେବେ ବିଦ୍ୟାଳୟ ପରିସରରେ ଛାତ୍ରୀମାନଙ୍କ ପାଇଁ ହଷ୍ଟେଲ ମଧ୍ୟ ରହିଛି। ଏହି ହଷ୍ଟେଲରେ ଅନ୍ତେବାସୀ ମାନଙ୍କୁ ନିମ୍ନମାନର ଖାଦ୍ୟ ପରସା ଯାଉଥିବା ଏବଂ ଏହାର ପ୍ରତିବାଦ କଲେ ପ୍ରଧାନ ଶିକ୍ଷକ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ହୋଇଛି। ଏପରିକି ସରକାରଙ୍କ ନିର୍ଦ୍ଦେଶ ମୁତାବକ ପିଲାଙ୍କୁ ଉତ୍ତମ ଧରଣର ଖାଇବାକୁ ନଦେଇ କମ୍ ଓଜନର ଏବଂ ପୋକରା ଚାଉଳ ଏବଂ ପାଣିଆ ଡାଲି ଖାଇବାକୁ ଦିଆଯାଉଛି। ଏହାର ପ୍ରତିବାଦ କଲେ ପ୍ରଧାନ ଶିକ୍ଷକ ଆନନ୍ଦ ରାଓ ଛାତ୍ରୀମାନଙ୍କୁ ଗାଳିଗୁଲଜ କରିବା ସହ ଦୁର୍ବ୍ୟବହାର କରୁଛନ୍ତି।

ଏପ୍ରିଲ ୩ ତାରିଖ  ରାତିରେ ପ୍ରଧାନଶିକ୍ଷକ ହଷ୍ଟେଲରେ ରହୁଥିବା ୯ମ ଶ୍ରେଣୀ ଛାତ୍ରୀମାନଙ୍କ କକ୍ଷକୁ ଯାଇ ଛାତ୍ରୀମାନଙ୍କୁ ଗାଳିଗୁଲଜ କରିଛନ୍ତି ବୋଲି ୨ ଜଣ ଛାତ୍ରୀ  କହିଛନ୍ତି। ପ୍ରଧାନଶିକ୍ଷକଙ୍କ ନିର୍ଯାତନା ସହ୍ୟ କରିନପାରି ଆଜି ଭୋର ସକାଳ ପ୍ରାୟ ୫ଟା ବେଳେ ନବମ ଶ୍ରେଣୀରେ ପଢ଼ୁଥିବା ପ୍ରାୟ ୨୦ଜଣ ଛାତ୍ରୀ ହଷ୍ଟେଲ କାନ୍ଥ ଡେଇଁ ପ୍ରାୟ ୨କିମି ଚାଲି ଚାଲି ନାରାୟଣପାଟଣା ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଏହାପରେ ଘଟଣା ସଂପର୍କରେ ବିଡିଓ ଯଦୁମଣି ନାୟକଙ୍କୁ ଲିଖିତ ଆକାରରେ ପ୍ରଦାନ କରିଥିଲେ। ଖବର ପାଇ ବିଡିଓ ଶ୍ରୀ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷ ଗୋଲାଦି ତ୍ରିନାଥ, ସ୍ଥାନୀୟ ଡବ୍ଲୁଇଓ ଦେବେନ୍ଦ୍ର ସାମଲ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚି ଘଟଣା ସଂପର୍କରେ ପଚାରି ବୁଝିଥିଲେ। ଘଟଣାର ତଦନ୍ତ କରି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଛାତ୍ରୀମାନଙ୍କୁ ବୁଝାଯାଇଥିଲା। ଏହାପରେ ଡବ୍ଲୁଇଓ ଶ୍ରୀ ସାମଲ ଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ପଠାଇବାର ବ୍ୟବସ୍ଥା କରିଥିଲେ। ତେବେ ବ୍ଲକ୍ କାର୍ଯ୍ୟାଳୟରେ ବିଡିଓ ଶ୍ରୀ ନାୟକ ଉକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଆନନ୍ଦ ରାଓ ଏବଂ ସ୍କୁଲର ଅନ୍ୟ ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ କର୍ମଚାରୀ ମାନଙ୍କୁ ଡାକି ଘଟଣା ସଂପର୍କରେ ପଚାରି ବୁଝିଥିଲେ।

ତେବେ ପ୍ରଧାନଶିକ୍ଷକ ଆନନ୍ଦ ରାଓ କହିବା ହେଲା ସରକାରଙ୍କ ନିର୍ଦ୍ଦେଶ ରହିଛି ଯେ ଗୋଟିଏ ପିଲାକୁ ୪୦ଗ୍ରାମର ଡାଲି ଦେବା ପାଇଁ। କିନ୍ତୁ ବର୍ତ୍ତମାନ ବଜାରରେ ଡାଲି ଦର କିଲୋ ପ୍ରତି ୧୬୦ଟଙ୍କା ରହିଥିବାରୁ ସେହି ହିସାବରେ ଡାଲି କମାଇ ଦିଆଯାଉଛି। ପୋକରା ଚାଉଳ ସଂପର୍କରେ କହିଥିଲେ ଯେ ବିଦ୍ୟାଳୟକୁ ଏକାଥରକେ ଚାଉଳ ଦିଆଯାଉଛି। ବସ୍ତାଗୁଡ଼ିକର ଚାଉଳ ଅତି ପୁରୁଣା ହୋଇଥିଲେ ମଧ୍ୟ ସଫା କରି ରୋଷେଇ କରି ଖାଇବାକୁ ଦିଆଯାଉଛି। ଆଉ ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରାଯାଉଥିବା ନେଇ ଅଭିଯୋଗକୁ ପ୍ରଧାନଶିକ୍ଷକ ଖଣ୍ଡନ କରିଛନ୍ତି। ବିଦ୍ୟାଳୟରେ କିଛି ଶିକ୍ଷକ ମୋ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ଏଭଳି ମିଥ୍ୟା ଅଭିଯୋଗ ଆଣିଛନ୍ତି। ଯଦି ମୋର କୌଣସି ଭୁଲ ରହିଛି ତାହେଲେ ମୋତେ ଅନ୍ୟତ୍ର ବଦଳି କରିଦେବାକୁ ପ୍ରଧାନଶିକ୍ଷକ ପ୍ରଶାସନିକ ଅଧିକାରୀଙ୍କ ନିକଟରେ କହିଛନ୍ତି। ଅପରପକ୍ଷରେ ଘଟଣାର ତଦନ୍ତ ରିପୋର୍ଟ ଜିଲ୍ଲାପାଳଙ୍କ ନିକଟକୁ ପଠାଯିବ। ସେଠାରୁ ଯାହା ନିର୍ଦ୍ଦେଶ ଆସିବ ସେହି ଅନୁସାରେ ପଦକ୍ଷେପ ଗ୍ରହଣ କରାଯିବ ବୋଲି ବିଡିଓ ଶ୍ରୀ ନାୟକ ଏବଂ ଡବ୍ଲୁଇଓ ଦେବେନ୍ଦ୍ର ସାମଲ କହିଛନ୍ତି।

ସମ୍ବନ୍ଧିତ ଖବର