ସମ୍ବଲପୁର : ସମ୍ବଲପୁର ସହରର ଗୁରୁ ନାନକ ପବ୍ଲିକ ସ୍କୁଲ, ବିକାଶ କନ୍ସେପ୍ଟ ସ୍କୁଲ, ସେଭେନ୍ ହିଲ୍ସ ରେସିଡେନ୍ସିଆଲ ସ୍କୁଲ ପରୀକ୍ଷା କେନ୍ଦ୍ରରେ ଅନେକ ଛାତ୍ରଛାତ୍ରୀଙ୍କୁ ହଟହଟା ହେବାକୁ ପଡ଼ିଛି। ଭୁଲ୍ ଆଡମିଟ୍ କାର୍ଡ ଯୋଗୁଁ ସେମାନେ ପରୀକ୍ଷା ଦେଇ ନପାରି ଫେରିଥିବା ଜଣାପଡ଼ିଛି। ପରୀକ୍ଷାରୁ ବଞ୍ଚିତ ହୋଇଥିବା ସମ୍ବଲପୁର ଜିଲ୍ଲା କୁଚିଣ୍ଡା ଉପଖଣ୍ଡ ଗୁଣ୍ଡୁରୁଚୁଆଁର ମେଧାବୀ ଛାତ୍ର ପ୍ରତ୍ୟୁଷ ପଟେଲଙ୍କ କହିବାନୁଯାୟୀ ଗୁରୁ ନାନକ ସ୍କୁଲରେ ପରୀକ୍ଷା କେନ୍ଦ୍ର ଥିଲା। ମଧ୍ୟାହ୍ନ ୧୨ଟାରେ ପହଞ୍ଚି ଯାଇଥିଲି। ତେବେ ସେତେବେଳକୁ ପରୀକ୍ଷା ଆରମ୍ଭ ହୋଇଯାଇଥିଲା। ଗେଟ୍ ବନ୍ଦ ଥିଲା। ଏସବୁ କଥା ଜାଣିବା ପରେ ପରୀକ୍ଷା ଦେଇ ନପାରି ନିରାଶ ହୋଇଛି। ଆଡ୍ମିଟ କାର୍ଡରେ ତ ଭୁଲ ସମୟ ଉଲ୍ଲେଖ ରହିଛି। ମୋ ପାଖକୁ ନୂଆ ସମୟ ନେଇ କୌଣସି ମେସେଜ ବା ଇ-ମେଲ ମଧ୍ୟ ଆସି ନାହିଁ। ଅଭିଯୋଗ ପାଇଁ ଏନ୍ଟିଏର ନମ୍ବରଗୁଡ଼ିକରେ ଫୋନ କଲେ ତାହା ଲାଗୁ ନାହିଁ ବୋଲି ପ୍ରତ୍ୟୁଷ ଅଭିଯୋଗ କରିଥିଲେ।
ଗୁରୁ ନାନକ କେନ୍ଦ୍ରର ଆଉ ଜଣେ ଛାତ୍ର ଅଂଶୁମାନ ସେଠ୍ ମଧ୍ୟ ଏନ୍ଟିଏ କର୍ତ୍ତୃପକ୍ଷଙ୍କ ତାଙ୍କ କ୍ୟାରିୟର ସହ ଖେଳିଛନ୍ତି ବୋଲି ଅଭିଯୋଗ କରିଛନ୍ତି। ତାଙ୍କ ପାଇଁ ପୁଣିଥରେ ସ୍ବତନ୍ତ୍ର ପରୀକ୍ଷା କରିବାକୁ ଦାବି କରିଛନ୍ତି। ବିକାଶ +୨ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ସଂଜୀବ ବାବୁଙ୍କ କହିବାନୁଯାୟୀ ଆମ କେନ୍ଦ୍ରକୁ ମଧ୍ୟ ସେଭଳି ଜଣେ ଛାତ୍ର ବିଳମ୍ବରେ ପହଞ୍ଚିଥିଲେ। ତାଙ୍କ ଆଡ୍ମିଟ କାର୍ଡରେ ଭୁଲ ସମୟ ଉଲ୍ଲେଖ ଥିଲା। କିନ୍ତୁ ଆମ ପାଖରେ କୌଣସି ଚାରା ନଥିଲା। ଆମେ ତାଙ୍କୁ ବୁଝାଇସୁଝାଇ ଫେରାଇଥିଲୁ। ଏହା ଅତ୍ୟନ୍ତ ଦୁଃଖଦ ଘଟଣା ବୋଲି ଶ୍ରୀ ବାବୁ କହିଛନ୍ତି।