ବଦଳିଛି ପରିସ୍ଥିତି: ନାହିଁ ଆଉ ନକ୍ସଲ ଭୟ, ମାଓ ପ୍ରଭାବିତ ଅଞ୍ଚଳରେ ପାଠ ପଢ଼ିବାକୁ ଗଲେ ପିଲା

ମାଲକାନଗିରି: ସୀମାନ୍ତ ଛତିଶଗଡରେ ଗତ ୨୦୦୫ ବେଳକୁ ନକ୍ସଲଙ୍କ ବିରୋଧରେ ସଲବା ଜୁଡୁମ ମୁଣ୍ଡ ଟେକିଥିଲା। ଶାନ୍ତିବାର୍ତ୍ତାକୁ ନେଇ ଆରମ୍ଭ ହୋଇଥିବା ଏହି ସଲବା ଜୁଡୁମ ସେତେବେଳେ ଫେଲ ମାରିଥିଲା। ଏପରିକି ଏହାଦ୍ବାରା ଶହ ଶହ ଗାଁ ନକ୍ସଲ ଦ୍ବାରା ପ୍ରଭାବିତ ହେବା ସହ ଶ୍ମଶାନ ପାଲଟିଥିଲା। ଏଥିଯୋଗୁଁ ଶତାଧିକ ସ୍କୁଲ ମଧ୍ୟ ବନ୍ଦ ହୋଇଯାଇଥିଲା। ସ୍କୁଲରେ ସୁରକ୍ଷାକର୍ମୀ ରହିବେ ସଂଦେହ କରି ନକ୍ସଲ ସ୍କୁଲଗୁଡିକକୁ ବୋମାରେ ଉଡାଇ ଦେଇଥିଲେ। ସେହିପରି କିଛି ସ୍କୁଲ ନକ୍ସଲ ଭୟରେ ସ୍ବତଃ ହିଁ ବନ୍ଦ ହୋଇଯାଇଥିଲା।

ଏବେ ପରିସ୍ଥିତି ବଦଳିଛି। ୨୦ ବର୍ଷପରେ ଛତିଶଗଡ଼ର ବସ୍ତର ଅଂଚଳରେ ସ୍କୁଲର ଘଣ୍ଟି ବାଜିଛି। ନକ୍ସଲ ପ୍ରବଣ ଅଂଚଳଗୁଡିକରେ ସିଆରପିଏଫ କ୍ୟାମ୍ପ, ଡିଆରଜି, ଏସଟିଏଫ ଏବଂ ବିଏସଏଫ କ୍ୟାମ୍ପ ହେବା ପରେ ନକ୍ସଲ ପଛଘୁଞ୍ଚା ଦେଇଛନ୍ତି। ଗାଁକୁ ରାସ୍ତା ପହଞ୍ଚିଲାଣି। ସୁରକ୍ଷାକର୍ମୀ ନକ୍ସଲ ଦମନରେ ଦିନରାତି ଏକ କରି ଜଂଗଲରେ କୁମ୍ବିଂ ଅପରେସନ ଜାରି ରଖିଛନ୍ତି। ବସ୍ତର ଅଂଚଳର ନକ୍ସଲ ପ୍ରବଣ କାବଡ ଗାଁରେ ସ୍ଥିତି ବଦଳିଛି। ଗାଁରେ ସୁରକ୍ଷାକର୍ମୀଙ୍କ ସହଯୋଗରେ ଏଠାରେ ସ୍କୁଲ ଖୋଲାଯାଇଛି। ସ୍କୁଲ ଖୋଲାଯିବା ପରେ ପିଲାଙ୍କୁ ପୋଷାକ, ବହିପତ୍ର ଯୋଗାଇ ଦେବା ସହ ସ୍କୁଲ ଆସିବା ପରେ ସେମାନଙ୍କ ଗୋଡ ଧୁଆ ହୋଇଥିଲା। ବାଉଁଶରେ ତିଆରି କଚ୍ଚା ଘରରେ ଏହି ସ୍କୁଲ ଆରମ୍ଭ ହୋଇଛି। ଆଗାମୀ ଦିନରେ ଏଠାରେ ପକ୍କା ଘର ହେବ ବୋଲି ଶିକ୍ଷା ବିଭାଗର ଅଧିକାରୀମାନେ ଏହି ସ୍କୁଲ ଉଦଘାଟନ ବେଳେ ଉପସ୍ଥିତ ରହି ପ୍ରତିଶ୍ରୁତି ଦେଇଛନ୍ତି।

ପ୍ରକାଶ ଥାଉକି ନକ୍ସଲ ଯୋଗୁଁ ବସ୍ତର ପ୍ରାୟ ୩୦୦ ସ୍କୁଲ ବନ୍ଦ ହୋଇଯାଇଛି। ଧୀରେଧୀରେ ସୁରକ୍ଷାକର୍ମୀ ନକ୍ସଲ ପ୍ରବଣ ଅଂଚଳରେ ପହଞ୍ଚିବା ପରେ ସ୍କୁଲଗୁଡ଼ିକ ଖୋଲିବ ବୋଲି ଜଣାପଡିଛି। କାବଡ ଗାଁରେ ଗତ ୨୦ ବର୍ଷ ପରେ ପିଲା ସ୍କୁଲ ମୁହାଁ ହୋଇଥିବାରୁ ଅଭିଭାବକମାନଙ୍କ ଖୁସି କହିଲେ ନସରେ। ନକ୍ସଲ ପ୍ରବଣ ଅଂଚଳରେ ପିଲାଙ୍କ ମୌଳିକ ଅଧିକାର ଛିନ୍ନ ହୋଇଛି। ଶତାଧିକ ଗ୍ରାମରୁ ଲୋକେ ଅନ୍ୟତ୍ର ଚାଲିଯାଇଥିବା ବେଳେ ଏବେ ଧୀରେଧୀରେ ଗାଁକୁ ଫେରୁଥିବା କୁହାଯାଇଛି। ସ୍ଥାନୀୟ ଗଣ୍ଡି ଭାଷାରେ ଶିକ୍ଷକ ପିଲାଙ୍କୁ ପାଠ ପଢାଉଥିବା ଦେଖିବାକୁ ମିଳିଛି। ଆଗାମୀ ଦିନରେ ମଧ୍ୟ ବନ୍ଦ ପଡିଥିବା ଶତାଧିକ ସ୍କୁଲ ଖୋଲିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର