ସରକାରୀ ସ୍କୁଲ୍‌କୁ ଆସୁ ନାହାନ୍ତି ପିଲା : ୩ଟି ସ୍କୁଲରେ ତାଲା, ତାଲିକାରେ ଆଉ ୧୦

କଟକ : ମଧ୍ୟାହ୍ନ ଭୋଜନ, ମାଗଣା ବହି, ପୋଷାକ, ସାଇକଲ ବି ଛାତ୍ରଛାତ୍ରୀଙ୍କୁ ଟାଣି ପାରୁନି ସରକାରୀ ସ୍କୁଲକୁ। ସହରର ବିଭିନ୍ନ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ କମ ଉପସ୍ଥାନ ସରକାରୀ ଶିକ୍ଷା ବ୍ୟବସ୍ଥାର ନିଗ୍ନଚିତ୍ରକୁ ପ୍ରତିଫଳିତ କରୁଛି। ପିଲା ସଂଖ୍ୟା କମ୍‌ ପାଇଁ ଗତ ଶିକ୍ଷାବର୍ଷରେ ୪ଟି ପ୍ରାଥମିକ ବିଦ୍ୟାଳୟ ବନ୍ଦ ହୋଇଥିବା ବେଳେ ଏ ବର୍ଷ ୩ଟି ସ୍କୁଲରେ ତାଲା ପଡ଼ିଛି। ଆଗକୁ ଆହୁରି ଅନେକ ସ୍କୁଲରେ ତାଲା ପଡ଼ିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି।

କଟକ ସହରର ଅନେକ ପ୍ରାଥମିକ ଓ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ ସଂଖ୍ୟା ୧୫ରୁ କମ୍‌ ରହିଥିବା ସୂଚନା ମିଳିଛି। କିନ୍ତୁ ସ୍କୁଲକୁ ବଞ୍ଚାଇ ରଖିବା ପାଇଁ କେଉଁଠି ଏ ସଂଖ୍ୟାକୁ ୨୫, ତ ପୁଣି କେଉଁଠି ୩୫ଦର୍ଶାଯାଉଛି। ସେହିପରି ଶ୍ରେଣୀ ଦୃଷ୍ଟିରୁ ଗୋଟିଏ ଗୋଟିଏ ଶ୍ରେଣୀରେ ଆଦୌ ପିଲା ନଥିବା ଜଣାପଡ଼ିଛି। ଗତବର୍ଷ ୧୫ରୁ କମ୍‌ ପିଲା ଥିବା ସ୍କୁଲକୁ କ୍ଲୋଜର ସ୍କୁଲ ଦର୍ଶାଇ ସରକାର ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଦୃଷ୍ଟିରୁ ୨୦୧୭-୧୮ଶିକ୍ଷା ବର୍ଷରେ କଟକ ସହରର ୪ଟି ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ କରାଯାଇଥିଲା। ଚଳିତ ଶିକ୍ଷାବର୍ଷ(୨୦୧୮-୧୯)ରେ ମଧ୍ୟ ଅନୁରୂପ ପରିସ୍ଥିତି ଦେଖାଯାଉଛି। ସରକାରଙ୍କ ନିୟମ ଅନୁସାରେ ୧୦ରୁ କମ୍‌ ପିଲା ଥିବା ବିଦ୍ୟାଳୟ ସ୍କୁଲ ପରିଚାଳନା କମିଟି(ଏସ୍‌ଏମ୍‌ସି) ଗଠନ କରିପାରିବେ ନାହିଁ କି କିଛି ପଇସା ଖର୍ଚ କରିପାରିବେ ନାହିଁ। କିନ୍ତୁ ଏବର୍ଷ ଅନେକ ସ୍କୁଲ କର୍ତ୍ତୃପକ୍ଷ ପିଲାଙ୍କ ପ୍ରକୃତ ସଂଖ୍ୟାକୁ ଗୋପନ ରଖି ଏହାକୁ ଅଧିକ ସଂଖ୍ୟା କରି ଦର୍ଶାଇଥିଲେ।

କିନ୍ତୁ ସଦର କ୍ଲବ୍‌ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କ୍ଷେତ୍ର ପରିଦର୍ଶନ ଓ ତଦନ୍ତ ହେବା ଫଳରେ ପ୍ରକୃତ ଘଟଣା ଜଣାପଡ଼ିଥିଲା। ଏଥି ପାଇଁ ଚଳିତ ବର୍ଷ ସହରର ୩ଟି ସ୍କୁଲକୁ ବନ୍ଦ କରାଯିବାକୁ ସଦର ବିଇଓ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଦିଆଯିବା ସହିତ ଏସବୁ ସ୍କୁଲର ଛାତ୍ରଛାତ୍ରୀଙ୍କୁ ଅନ୍ୟ ସ୍କୁଲକୁ ଓ ଶିକ୍ଷକଶିକ୍ଷିକାଙ୍କୁ ପାଖ ସ୍କୁଲରେ ଅବସ୍ଥାପିତ କରାଯାଇଥିବା ବିଇଓ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ କୌଣସି ପିଲା ନଥିବା କଟକ ଚଣ୍ଡୀ ପ୍ରାଥମିକ ବିଦ୍ୟାଳୟ, ୫ଜଣ ପିଲା ଥିବା ମୁରାଦ୍‌ଖାଁ ପାଟଣା ହରିଜନ ପ୍ରାଥମିକ ବିଦ୍ୟାଳୟ ଓ ୨ଜଣ ପିଲା ଥିବା ଷ୍ଟୁଆର୍ଟପାଟଣା ପ୍ରାଥମିକ ବିଦ୍ୟାଳୟ ଆଦିକୁ ବନ୍ଦ କରାଯାଇଛି। ଏହି ୩ଟି କ୍ଲୋଜର ସ୍କୁଲରେ କାର୍ଯ୍ୟରତ ୬ଜଣ ଶିକ୍ଷକଙ୍କୁ ତୁଳସୀପୁର, ମାନସିଂହପାଟଣା, ରାଣୀହାଟ, ତେଲେଙ୍ଗାବଜାର, ମହମ୍ମଦିଆ ବଜାର ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି। ଚଳିତ ବର୍ଷ କ୍ଲୋଜ୍‌ର ଲିଷ୍ଟ୍‍ରେ ସହରର ପାଖାପାଖି ୧୦ ପ୍ରାଥମିକ ବିଦ୍ୟାଳୟ ରହିଥିବା ଜଣାପଡ଼ିଛି। କିନ୍ତୁ ଫିଜିକାଲ ଭେରିଫିକେସନ୍‌ ପରେ ତାହା ସ୍ପଷ୍ଟ ହେବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର