ଆଗକୁ ପ୍ରିଟେଷ୍ଟ : ଛାତ୍ରଛାତ୍ରୀଙ୍କୁ ମିଳିନି ବହି

ଜୟପୁର : ମାସଟିଏ ପରେ ପ୍ରିଟେଷ୍ଟ। ଏହା ପରେ ଟେଷ୍ଟ ଓ ଏହାର ଠିକ ଦୁଇମାସ ଯାଇଥିବ କି ନାହିଁ ଦଶମ ଶ୍ରେଣୀ ବାର୍ଷିକ ପରୀକ୍ଷା। ହେଲେ ଏବେ ଯାଏ ଛାତ୍ରଛାତ୍ରୀଙ୍କ ନିକଟରେ ପହଞ୍ଚିନି ପାଠ୍ୟପୁସ୍ତକ। କେବେ ପହଞ୍ଚିବ ତାହା ବି ଜଣାନାହିଁ। କରୋନା ଯୋଗୁଁ ଚଳିତବର୍ଷ ଶିକ୍ଷାବର୍ଷ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଉପରେ ପ୍ରତିକୂଳ ପ୍ରଭାବ ପଡିଥିବାବେଳେ ସ୍କୁଲ ମାଟି ମାଡିନାହାନ୍ତି ଛାତ୍ରଛାତ୍ରୀ। ଅନଲାଇନ ମାଧ୍ୟମରେ ଶିକ୍ଷାଦାନ ଚାଲିଥିବାବେଳେ ଅଧିକରୁ ଅଧିକ ଛାତ୍ରଛାତ୍ରୀଙ୍କ ନିକଟରେ ନାହିଁ ସ୍ମାର୍ଟଫୋନ। ଫଳରେ କୋରାପୁଟ ପରି ଅପହଞ୍ଚ ଜିଲ୍ଲାର ନାରାୟଣପାଟଣା, ଲକ୍ଷ୍ମୀପୁର, ବନ୍ଧୁଗାଁ, ବୋରିଗୁମ୍ମା, ବୈପାରିଗୁଡା, କୋରାପୁଟ, ଲମତାପୁଟ, କୁନ୍ଦୁରା ଓ ଜୟପୁର ପରି ବ୍ଲକରେ ଏପରି ସ୍ଥାନ ରହିଛି ଯେଉଁଠି ଏବେ ବି ନେଟୱାର୍କ କାର୍ଯ୍ୟ କରୁନାହିଁ।

ତେବେ ଏପରି ସ୍ଥିତିରେ ପାଠ୍ୟପୁସ୍ତକ ନ ମିଳିବା ଚିନ୍ତାର ବିଷୟ ପାଲଟିଛି। ଜିଲ୍ଲାରେ ଚଳିତବର୍ଷ ୧୨୦୦୦ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ସେମାନଙ୍କ ମଧ୍ୟରୁ ୮୮୦୦ ଜାତି, ଅନୁସୂଚିତ ଜାତି ଓ ଜନଜାତିର ଛାତ୍ରଛାତ୍ରୀ ରହିଛି। ଏପରି ବି ଗରିବ ଛାତ୍ରଛାତ୍ରୀ ରହିଛନ୍ତି ସେମାନଙ୍କ ନିକଟରେ ନା ଅଛି ପାଠ୍ୟପୁସ୍ତ ନା ଅଛି ସ୍ମାର୍ଟଫୋନ। ଫଳରେ ସେମାନେ ଏବେ କିଂକର୍ତ୍ତବ୍ୟ ବିମୁଢମଂ ହୋଇ ରହିଛନ୍ତି। ସପ୍ତାହରେ ୫ ଦିନ ବଜାର ଖୋଲା ରହୁଥିବାବେଳେ ଦୁଇ ଦିନ ଲକଡାଉନ ହେଉଛି। ଫଳରେ ବଜାରରେ ମଧ୍ୟ ବହି ମିଳୁନାହିଁ। ତେବେ କୋରାପୁଟ ଜିଲ୍ଲାକୁ ବୋର୍ଡ କାର୍ଯ୍ୟାଳୟରୁ ଚଳିତମାସ ୨୦ ତାରିଖରେ ବହି ଆସି ପହଞ୍ଚିଥିଲା। ଦିନଟିଏ ଛାଡିବା ପରେ ଦୁଇ ଦିନ ଲକଡାଉନ ହୋଇଥିବାବେଳେ ୨୩ ତାରିଖରୁ ୧୪ଟି ବ୍ଲକକୁ ବହି ଯୋଗାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହି କାର୍ଯ୍ୟ ଆଜି ଶେଷ ହୋଇଥିବାବେଳେ ପ୍ରତି ସ୍କୁଲର ପ୍ରଧାନଶିକ୍ଷକ ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟଳୟରୁ ବହି ଆଣିବାର ବ୍ୟବସ୍ଥା କରାଯାଇଛି। ପ୍ରତି ଛାତ୍ରଛାତ୍ରୀଙ୍କୁ ୭ ଖଣ୍ଡ ବହି ଦରକାର ପଡୁଥିବାବେଳେ ପାଖାପାଖି ୪୮ହଜାର ବହି ଆସିଛି। ଆଜି ବହିଗୁଡିକ ପ୍ରଧାନଶିକ୍ଷକଙ୍କ ନିକଟରେ ପହଞ୍ଚିଥିବା ବେଳେ କେବେ ହଜାର ହଜାର ଛାତ୍ରଛାତ୍ରୀଙ୍କ ନିକଟରୁ ଯିବ ତାହା ଦେଖିବାକୁ ବାକି ରହିଥିଲା। ତେବେ ସରକାର କେବଳ ଏସସି, ଏସଷ୍ଟି ଛାତ୍ରଛାତ୍ରୀଙ୍କ ପାଇଁ ମାଗଣା ବହି ଦେବାକୁ ବ୍ୟବସ୍ଥା କରିଥିବାବେଳେ ସାଧାରଣବର୍ଗର ଛାଛାତ୍ରୀମାନେ ବାହାରୁ ବହି କିଣିବାର ଯୋଜନା ରହିଛି। ଜିଲ୍ଲାରେ ଏବେ ମୋଟ ୧୨ ହଜାର ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେବାକୁ ରହିଥିବାବେଳେ ସେମାନଙ୍କ ମଧ୍ୟରୁ ୮୬୦୦ ଏସସି, ଏସଷ୍ଟି ଛାତ୍ରଛାତ୍ରୀ ପରୀକ୍ଷା ଦେବେ। ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କୁ ସ୍କୁଲ ଆସିବାକୁ ମନା କରିଥିବାବେଳେ କିପରି ଛାତ୍ରଛାତ୍ରୀଙ୍କ ନିକଟରେ ବହି ମିଳିବ ତାହା ଅଜଣା।

ଅନ୍ୟପକ୍ଷରେ ପ୍ରତିବର୍ଷ ବହି ପ୍ରଦାନ କାର୍ଯ୍ୟ ଜୁନ ମାସ ପୂର୍ବରୁ ଶେଷ ହୋଇଥାଏ। କିନ୍ତୁ ଚଳିତବର୍ଷ ଏହା କରାଯାଇନ ଥିଲା। ରାଜ୍ୟରୁ ବହି ଆସିବା ପରେ ଏବେ ପ୍ରଦାନ କରାଯାଉଛି। ତେବେ ଦଶହରା ପୂଜା ଛୁଟି ଶେଷ ହେଉ ହେଉ ଆରମ୍ଭ ହୋଇଯାଇଥାଏ ପ୍ରିଟେଷ୍ଟ ପରୀକ୍ଷା। ଏହା ଶେଷ ହେବାର ଠିକ ମାସେ ପରେ ଟେଷ୍ଟ ଓ ତାହାର ଦୁଇମାସ ପରେ ହୋଇଥାଏ ବାର୍ଷିକ ପରୀକ୍ଷା।

ସମ୍ବନ୍ଧିତ ଖବର