ରାୟଗଡା: ସ୍ଥାନୀୟ କୁଟଲଗୁଡାଠାରେ ରହିଥିବା ଅନ୍ବେଷା ଛାତ୍ରାବାସରେ ଦିନକୁ ଦିନ ଅବ୍ୟବସ୍ଥା ବୃଦ୍ଧି ପାଇବାରେ ଲାଗିଛି। ପିଲାଙ୍କୁ ଖାଇବାକୁ ଦିଆଯାଉନଥିବା ବେଳେ ଶିକ୍ଷା ଓ ସ୍ବାସ୍ଥ୍ୟବସ୍ଥା ପିଲାଙ୍କ ନକହିବା ଭଲ।ବାରମ୍ବାର ହଷ୍ଟେଲ ଇନଚାର୍ଜଙ୍କୁ ଛାତ୍ରମାନେ ଅଭିଯୋଗ କରିବା ପରେ ମଧ୍ୟ ସଂପୃକ୍ତ ଇନଚାର୍ଜ ପିଲାଙ୍କୁ ଗାଳିଗୁଲଜ କରିବା ସହ ତୁମ ବାପା ଟାଂକା ଦେଉଛି ଯେ ଖାଇବ ବୋଲି ଛାତ୍ରମାନଙ୍କୁ ଧମକାଉଥିବା ଅଭିଯୋଗ ହୋଇଛି। ଏହାପରେ ଛାତ୍ରମାନେ ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହେଲେ।
ଜିଲ୍ଲା ପ୍ରଶାସନ ତରଫରୁ ତୁରନ୍ତ ଏନେଇ ତଦନ୍ତ କରିବାକୁ ନିର୍ଦେଶ ଦିଆଯାଇଥିବା ଜଣାପଡିଛି। ଏହାପରେ ରବିବାର ବିଜେପିର ଏକ ପ୍ରତିନିଧି ଦଳ ଅନ୍ବେଷା ହୋଷ୍ଟେଲରେ ପହଞ୍ଚି ତଦନ୍ତ କରିଥିଲା। ଏହି ତଦନ୍ତକାରୀ ଦଳରେ ଜିଲ୍ଲା ବିଜେପି ସଭାପତି ଶିବ ପ୍ରଶାଦ ପଟ୍ଟନାୟକ, ଆଦିବାସୀ ମୋର୍ଚ୍ଚାର ଜାତୀୟ ସାଧାରଣ ସଂପାଦକ କାଳୀରାମ ମାଝି, ଯୁବ ମୋର୍ଚ୍ଚା ଉପସଭାପତି ପ୍ରତାପ ପୁଆଲା ରହିଥିଲେ। ଅନ୍ବେଷା ହୋଷ୍ଟେଲ ଦାୟୀତ୍ବରେ ବଡରାଇସିଂ ଆଶ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ବିଶ୍ବାମିତ୍ର ସୁନା ରହିଛନ୍ତି। ଶ୍ରୀ ସୁନା ଦୁଇ ଦୁଇଟି ଦାୟିତ୍ବରେ ରହି କୌଣସି ଗୋଟିଏ ବି ଦାୟିତ୍ବକୁ ଠିକ ରୂପେ ତୁଲାଇ ପାରୁନଥିବା ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି ଏହି ଅନ୍ବେଷା ହଷ୍ଟେଲରେ ପ୍ରଥମରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରମାନେ ରହି ପାଠ ପଢୁଛନ୍ତି। ପ୍ରାୟ ୨୦୦ ପିଲା ଏହି ଛାତ୍ରାବାସରେ ରହି ପାଠ ପଢୁଛନ୍ତି।ତେବେ ପିଲାଙ୍କୁ ଠିକ ରୂପେ ଯତ୍ନ ନିଆଯାଉନଥିବା ବିଜେପି ଦଳ ତଦନ୍ତରୁ ଜାଣିପାରିଥିଲେ। ଏନେଇ ଜିଲ୍ଲା ମଙ୍ଗଳ ଅଧିକାରୀ ଭରତ ଭୁଷଣ ବିଶ୍ବାଳଙ୍କୁ ସାକ୍ଷାତ କରି ତୁରନ୍ତ ଦାୟିତ୍ବରେ ଥିବା ଶିକ୍ଷକଙ୍କୁ ହଟାଇବା ସହ ପିଲାଙ୍କ ଉଚିତ ଯତ୍ନ ନେବା ପାଇଁ ଦାବି କରିଥିଲେ। ଯଦି ଆସନ୍ତା ୧୦ ଦିନ ମଧ୍ୟରେ ସ୍ଥିତିରେ ସୁଧାର ନଆସିଲେ ବିଜେପି ତରଫରୁ ଜିଲ୍ଲା ସମାଜ ମଙ୍ଗଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବ ବୋଲି ଚେତାବନୀ ଦିଆଯାଇଛି।ଏଠାରେ ସୂଚନା ଯୋଗ୍ୟ ଯେ ଶ୍ରୀ ସୁନା ମଙ୍ଗଳ ବିଭାଗର ସୁନା ପିଲା ପାଲଟିଛନ୍ତି।ପୂର୍ବରୁ ସେ ଯେଉଁ ସ୍କୁଲଗୁଡିକରେ ରହିଛନ୍ତି ସେହି ସ୍କୁଲଗୁଡିକରେ ମଧ୍ୟାହ୍ନ ଭୋଜନ ଓ ଚାଉଳ ବିକ୍ରି ଅଭିଯୋଗରେ ବିଭାଗୀୟ ତଦନ୍ତର ସମ୍ମୁଖୀନ ହୋଇସାରିଛନ୍ତି।ଜିଲ୍ଲା ମଙ୍ଗଳ ବିଭାଗର ଆର୍ଶିବାଦରେ ସେ ଦୁଇ ଦୁଇଟି ଦାୟିତ୍ବ ତୁଲାଉଛନ୍ତି।ବିଭଗ ତରଫରୁ ତୁରନ୍ତ ଏନେଇ ତଦନ୍ତ କରାଯାଇ ପିଲାଙୁ ଠିକ ରୂପେ ଖାଦ୍ୟ, ଶିକ୍ଷା ଓ ସ୍ବାସ୍ଥ୍ୟର ଯତ୍ନ ନେବାକୁ ଦାବି ହୋଇଛି।