ରାୟଗଡ଼ା: ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଓ ବିଦ୍ୟାଳୟର ଭିତ୍ତିଭୂମିକୁ ସଜାଡ଼ିବା ପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଯେତିକି ଗୁରୁତ୍ୱ ଦିଆଯାଉଛି ରାୟଗଡ଼ା ଜିଲ୍ଳା ଶିକ୍ଷା ବିଭାଗ ପକ୍ଷରୁ ସେତିକି ବ୍ୟତିକ୍ରମ ଦେଖିବାକୁ ମିଳିଛି। ବିଦ୍ୟାଳୟ ରହିଛି ହେଲେ ଭିତ୍ତିଭୂମିର ଅଭାବ ଯୋଗୁଁ ଛାତ୍ରଛାତ୍ରୀ ଓ ଶିକ୍ଷକଶିକ୍ଷୟତ୍ରୀମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ପରିିଲିକ୍ଷିତ ହୋଇଛି। ବିଦ୍ୟାଳୟରେ ଆବଶ୍ୟକ ମୁତାବକ ଶ୍ରେଣୀଗୃହ ନ ଥିବାରୁ ଗୋଟିଏ କକ୍ଷରେ ୪ଟି ଶ୍ରେଣୀର ୭୧ଜଣ କୁନି କୁନି ଛାତ୍ରଛାତ୍ରୀ ଗାଈ ଗୁହାଳରେ ରହି ପାଠ ପଢୁଥିବା ଭଳି ଦେଖିବାକୁ ମିଳିଛି। ଏଭଳି ସ୍ଥିତିରେ ପ୍ରଥମରୁ ତୃତୀୟ ଶ୍ରେଣୀର କୁନିକୁନି ପିଲାମାନଙ୍କ ପାଟିରେ ଚତୁର୍ଥ ଶ୍ରେଣୀ ପିଲାମାନଙ୍କୁ ପାଠ ପଢିବାରେ ଭାରି ଅସୁବିଧା ହେଉଛି। ଏପରିକି ଶିକ୍ଷକଶିକ୍ଷୟତ୍ରୀମାନଙ୍କୁ ମଧ୍ୟ ଗୋଟିଏ କକ୍ଷରେ ଏତେ ପିଲାଙ୍କ ଗହଣରେ ନିଜ ନିଜ ଶ୍ରେଣୀ ପିଲାଙ୍କୁ ଶିକ୍ଷାଦାନ କରିବାରେ ଅସୁବିଧା ହେଉଥିବା ଦେଖିବାକୁ ମିଳିଛି।
ରାୟଗଡା ଜିଲ୍ଳା ସଦର ମହକୁମାର ବିଦ୍ୟୁତ କଲୋନିସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ରହିଛି ଏଭଳି ସମସ୍ୟା। ଏ ନେଇ ଉକ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷକ ନରେଶ ସୁଆଲସିଂଙ୍କ ଠାରୁ ମିଳିଥିବା ସୂଚନା ପ୍ରକାରେ ବିଦ୍ୟାଳୟରେ ସର୍ବମୋଟ ୧୮୮ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରଥମ ଶ୍ରେଣୀରେ ୧୩ ଜଣ, ଦ୍ୱିତୀୟରେ ୨୪ଜଣ, ତୃତୀୟରେ ୧୬ ଓ ଚତୁର୍ଥରେ ୩୨ ଜଣ ଛାତ୍ରଛାତ୍ରୀ ଅଛନ୍ତି। ପଂଚମରେ ୧୮ଜଣ, ଷଷ୍ଠରେ ୩୪ ଜଣ, ସପ୍ତମରେ ୨୦ ଜଣ ଏବଂ ଅଷ୍ଟମ ଶ୍ରେଣୀରେ ୩୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ତେବେ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଗୋଟିଏ ଲେଖାଁଏ ଶ୍ରେଣୀଗୃହ ରହିଥିବା ବେଳେ ପ୍ରଥମ, ଦ୍ୱିତୀୟ, ତୃତୀୟ ଓ ଚତୁର୍ଥ ଶ୍ରେଣୀ ପିଲାଙ୍କ ପାଇଁ ଶ୍ରେଣୀଗୃହ ନ ଥିବାରୁ ବିଦ୍ୟାଳୟର ଗୋଟିଏ କକ୍ଷରେ ଉକ୍ତ ଶ୍ରେଣୀର ୭୧ଜଣ ଛାତ୍ରଛାତ୍ରୀମାନେ ତଳେ ବସି ପାଠ ପଢୁଛନ୍ତି। ପ୍ରଥମରୁ ଚତୁର୍ଥ ଶ୍ରେଣୀ ପିଲାମାନେ ଅତିରିକ୍ତ ଶ୍ରେଣୀ ଗୃହ ନ ଥିବାରୁ ଗୋଟିଏ କକ୍ଷରେ ବସି ପାଠ ପଢୁଥିବା ବେଳେ ଷଷ୍ଠ ଶ୍ରେଣୀ ଛାତ୍ରଛାତ୍ରୀମାନେ ପଢୁଥିବା ଶ୍ରେଣୀ ଗୃହ ଛାତରୁ ସାମାନ୍ୟ ବର୍ଷା ହେଲେ ପାଣି ଗଳୁଥିବା ଯୋଗୁଁ ଛାତ୍ରଛାତ୍ରୀ ତଥା ଶିକ୍ଷକଶିକ୍ଷୟତ୍ରୀମାନେ ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ବୋଲି ପ୍ରଧାନ ଶିକ୍ଷକ ଶ୍ରୀ ସିଂ ପ୍ରକାଶ କରିଛନ୍ତି।
/sambad/media/post_attachments/wp-content/uploads/2023/08/Rgda-School-problem-1-1024x461.jpg)
ସେହିପରି ୨୦୧୧ ମସିହାରୁ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ତରଫରୁ ପ୍ରତ୍ୟେକ ପ୍ରାଥମିକ ଉଚ୍ଚ ବିଦ୍ୟାଳୟକୁ ଡେସ୍କବେଂଚ ବଂଟନ କରାଯାଇଥିବା ବେଳେ ବିଦ୍ୟୁତ କଲୋନି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଆଜି ବି ତଳେ ବସି ପାଠ ପଢୁଛନ୍ତି। ଏପରିକି ବିଦ୍ୟାଳୟରେ ଷ୍ଟୋର ରୁମ ନ ଥିବାରୁ ସପ୍ତମ ଶ୍ରେଣୀ ପିଲାମାନେ ପାଠ ପଢୁଥିବା ଶ୍ରେଣୀଗୃହରେ ହଣ୍ଡାହାଣ୍ଡି, ଚାଉଳ ଭଳି ଅନ୍ୟାନ୍ୟ ସାମଗ୍ରୀଗୁଡିକ ରଖାଯାଇ ତାହାକୁ ମଧ୍ୟ ଷ୍ଟୋର ରୁମ ଭାବେ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଛି। ଏହି ବିଦ୍ୟାଳୟରେ ସ୍ଥାନୀୟ ଶେରିଗୁଡା, ସେରିକଣା, ଟିକରପଡା, ଆମ୍ବଗୁଡା, ବାରିଝୋଲା, ବିଦ୍ୟୁତ କଲୋନି ଅଂଚଳର ପୁଅଝିଅମାନେ ପାଠ ପଢୁଛନ୍ତି।ବର୍ତ୍ତମାନ ବିଦ୍ୟାଳୟକୁ ୩ଟି ଅତିରିକ୍ତ ଶ୍ରେଣୀଗୃହର ଆବଶ୍ୟକତା ରହିଥିବା ବେଳେ ନିକଟରେ ରାୟଗଡା ମଣ୍ଡଳ ଶିକ୍ଷାଧିକାରୀ ସୁଦୀପ୍ତ କୁମାର ଦାଶ ଉକ୍ତ ବିଦ୍ୟାଳୟ ପରିଦର୍ଶନରେ ଯାଇ ବିଦ୍ୟାଳୟର ସମସ୍ୟାକୁ ହୃଦୟଙ୍ଗମ କରିଛନ୍ତି ଏବଂ ପ୍ରଧାନଶିକ୍ଷକ ଶ୍ରୀ ସିଂଙ୍କ ସହ ଆଲୋଚନା କରି ପର୍ଯ୍ୟାୟ କ୍ରମେ ସମସ୍ୟାର ସମାଧାନ କରିବା ପାଇଁ କହିଥିବା ଶ୍ରୀ ସିଂ ପ୍ରକାଶ କରିଛନ୍ତି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/08/Rgda-School-problem-2.jpg)