ଜୟପୁର: ଜୟପୁର ବ୍ଲକର ତାଟିବେଡ଼ାରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ତୁରନ୍ତ ପୂରଣ କରିବା ଦାବି କରି ଗ୍ରାମବାସୀ ମାନେ ବିଦ୍ୟାଳୟରେ ତାଲା ପକାଇ ଦେଇଥିଲେ। ଦାବି ପୂରଣ ନ ହେବା ଯାଏଁ ତାଲା ଖୋଲିବେ ନାହିଁ ବୋଲି ଗ୍ରାମବାସୀ ଅଡ଼ି ବସିଥିଲେ। ପରେ ଭାରପ୍ରାପ୍ତ ଏବିଇଓ ସୁଦର୍ଶନ ପଟ୍ଟନାୟକ ଗ୍ରାମବାସୀଙ୍କୁ ବହୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ। ଅଳ୍ପ ଦିନ ମଧ୍ୟରେ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରତିଶ୍ରୁତି ଦେବା ପରେ ଗ୍ରାମବାସୀ ତାଲା ଖୋଲିଥିଲେ।
ମିଳିଥିବା ସୂଚନା ଅନୁଯାୟୀ, ଏହି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମରୁ ୮ମ ଯାଏଁ ଶ୍ରେଣୀ ରହିଛି। ୧୧୧ଜଣ ଛାତ୍ରଛାତ୍ରୀ ଏଠାରେ ପଢ଼ୁଛନ୍ତି। ଏତେ ସଂଖ୍ୟକ ପିଲାଙ୍କ ପାଇଁ ରହିଛନ୍ତି ମାତ୍ର ୨ଜର କନିଷ୍ଠ ସହକାରୀ ଶିକ୍ଷୟତ୍ରୀ। କେହି ବି ବରିଷ୍ଠ କିମ୍ବା ପ୍ରଧାନଶିକ୍ଷକ ନଥିବା ବେଳେ ୨ଜଣ ଶିକ୍ଷୟତ୍ରୀଙ୍କ ଦ୍ବାରା ଏତେ ବଡ଼ ବିଦ୍ୟାଳୟ ପରିଚାଳନା କିଭଳି ହେବ ବୋଲି ଗ୍ରାମବାସୀ ମାନେ ପ୍ରଶ୍ନ କରିଥିଲେ। ତୁରନ୍ତ ଦାବି ପୂରଣ ନ ହେଲେ ଆଗାମୀ ଦିନରେ ଆନ୍ଦୋଳନ ବ୍ୟାପକ କରାଯିବ ବୋଲି ଏମାନେ ଚେତାବନୀ ଦେଇଥିଲେ।
ସେଭଳି ଜୟପୁରବ୍ଲକର ଅନ୍ତା ପଂଚାୟତ ଅର୍ନ୍ତଗତ କଙ୍କଡ଼ାହାଣ୍ଡି ସ୍କୁଲରେ ବି ସାମନ ସମସ୍ୟା। ୮୬ଜଣ ପିଲା ପ୍ରଥମରୁ ୮ମ ପର୍ଯ୍ୟନ୍ତ ରହିଥିବା ବେଳେ ସଂପ୍ରତି ରହିଛନ୍ତି ମାତ୍ର ୨ଜଣ କନିଷ୍ଠ ସହକାରୀ ଶିକ୍ଷକ। ୬ଜଣ ଶିକ୍ଷକ ପୂର୍ବରୁ ରହିଥିବା ବେଳେ ୨ଜଣ ଅବସର ଓ ୨ଜଣ ବଦଳି ହୋଇ ପଳାଇଛନ୍ତି। ରହିଥିବା ଏହି ୨ଜଣ କନିଷ୍ଠ ସହକାରୀ ଶିକ୍ଷକ ୮ମର ପାଠ୍ୟକ୍ରମ ପଢ଼ାଇବା ଯୋଗ୍ୟ ନୁହନ୍ତି ବୋଲି ଗ୍ରାମବାସୀ ଦାବି କରିଛନ୍ତି। ଗ୍ରାମବାସୀ ମାନେ ବିଇଓ କାର୍ଯ୍ୟାଳୟକୁ ଆସି ସ୍ମାରକପତ୍ର ଦେଇଥିଲେ। ତେବେ ନିୟମିତ ବିଇଓ ଓ ୩ଜଣ ଏବିଇଓ ପଦବୀ ଖାଲି ପଡ଼ିଥିବାରୁ ଏମାନଙ୍କ ଦାବି କିଏ ଶୁଣିବ ବୋଲି ଜୟପୁର ବିଇଓ କାର୍ଯ୍ୟାଳୟରେ ପ୍ରଶ୍ନ କରିଥିବାକହିଛନ୍ତି ଗ୍ରାମବାସୀ। ଏମାନଙ୍କୁ କୋରାପୁଟ ଡିଇଓ କାର୍ଯ୍ୟାଳୟକୁ ଯାଇ ନିଜ ଅଭିଯୋଗ ଦର୍ଶାଇବାକୁ କହିଛନ୍ତି ଗ୍ରାମବାସୀ। ତୁରନ୍ତ ଶିକ୍ଷକ ନିଯୁକ୍ତି ନ ଦେଲେ ଏହି ଗ୍ରାମବାସୀ ବି ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ ଦେଇଛନ୍ତି।