ଭୁବନେଶ୍ବର : ଦକ୍ଷତା ବୃଦ୍ଧି ପାଇଁ ସିଙ୍ଗାପୁରରେ ଆଇଟିଇକୁ ଯାଉଛନ୍ତି ବିଶ୍ବ ଦକ୍ଷତା କେନ୍ଦ୍ରର ୪୦ଜଣ ଛାତ୍ରଛାତ୍ରୀ। ସିଙ୍ଗାପୁର ଯିବା ପୂର୍ବରୁ ଏହି ଛାତ୍ରଛାତ୍ରୀମାନେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି। ମୁଖ୍ୟମନ୍ତ୍ରୀ ଛାତ୍ରଛାତ୍ରୀମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ବିଶ୍ବରେ ୧ ନମ୍ବର ହେବା ପାଇଁ ଉଦ୍ୟମ କରିବା ଲାଗି ଉତ୍ସାହିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ୫-ଟି ସଚିବ ଭି.କେ ପାଣ୍ଡିଆନ ଓ ବିଶ୍ବ ଦକ୍ଷତା କେନ୍ଦ୍ରର ସିଇଓ ଉପସ୍ଥିତ ଥିଲେ।

Advertisment

ଏହି ୪୦ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ ୩୨ଜଣ ବାଳକ, ୮ଜଣ ବାଳିକା ଅଛନ୍ତି। ସେମାନଙ୍କ ମଧ୍ୟରୁ ୨୦ଜଣ କୃଷକ ପରିବାରରୁ ଆସିଛନ୍ତି। ସିଙ୍ଗାପୁର ଆଇଟିଇରେ ସେମାନେ ୨ସପ୍ତାହ କାର୍ଯ୍ୟ କରିବେ। ସ୍ଥାନୀୟ ଯୁବକମାନଙ୍କ ସାମାଜିକ ଓ ସାଂସ୍କୃତିକ ଦିଗଗୁଡ଼ିକ ସହିତ ପରିଚିତ ହେବେ। ବିଶ୍ବ ଦକ୍ଷତା କେନ୍ଦ୍ରର ଛାତ୍ରଛାତ୍ରୀମାନଙ୍କୁ ବିଶ୍ବସ୍ତରୀୟ ସୁଯୋଗ ଦେବା ସହିତ ଶିକ୍ଷଣୀୟ ଅଭିଜ୍ଞତାକୁ ସମୃଦ୍ଧ କରିବା ହେଉଛି ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ। ସିଙ୍ଗାପୁରରେ ୨୦ଜଣ ଛାତ୍ରଛାତ୍ରୀ ମାନବ ବିହୀନ ବିମାନ(ୟୁଏଭି)ର ପ୍ରୋଗ୍ରାମିଂ ଓ ମାନବ ବିହୀନ ବିମାନ ବ୍ୟବସ୍ଥା(ୟୁଏଏସ୍‌)ର ରୂପାନ୍ତରଣ ଶିଖିବେ। ସେହିପରି ଅନ୍ୟ ୨୦ଜଣ ସ୍ବୟଂଚାଳିତ ଭ୍ରାମ୍ୟମାଣ ରୋବଟ ଓ ଶିଳ୍ପକେନ୍ଦ୍ରୀକ ରୋବଟ ସଂପର୍କରେ ଦକ୍ଷତା ହାସଲ କରିବେ।

ଏହି ବିନିମୟ କାର୍ଯ୍ୟକ୍ରମ ରାଜ୍ୟ ସରକାରଙ୍କ ଦକ୍ଷତା ବିକାଶ ପ୍ରାଧିକରଣ(ଓଏସ୍‌ଡିଏ), ବିଶ୍ବ ଦକ୍ଷତା କେନ୍ଦ୍ର ଓ ଆଇଟିଇ ଶିକ୍ଷା ସେବା(ଆଇଟିଇଇଏସ୍‌)ର ମିଳିତ ସହଯୋଗରେ ଆୟୋଜିତ ହେଉଛି। ମୁଖ୍ୟମନ୍ତ୍ରୀ ଗତବର୍ଷ ମାର୍ଚରେ ଏହାର ଉଦ୍‌ଘାଟନ କରିଥିଲେ।