ଚଣ୍ଡିଖୋଲ : ଚଣ୍ଡିଖୋଲ କଲେଜ ପରିସରରେ ଅସ୍ଥାୟୀ ଭାବେ ଚାଲିଥିବା ଉତ୍କଳ ବିଶ୍ୱ ବିଦ୍ୟାଳୟର ଗ୍ରାମୀଣ କ୍ୟାମ୍ପସ ଛାତ୍ରଛାତ୍ରୀ ଆଜି ବିଭିନ୍ନ ଦାବିରେ କ୍ୟାମ୍ପସ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ବିଶ୍ୱ ବିଦ୍ୟାଳୟରୁ ଉପଯୁକ୍ତ ଶିକ୍ଷା ସୁବିଧା ମିଳୁ ନଥିବା ଛାତ୍ରଛାତ୍ରୀମାନେ ଅଭିଯୋଗ କରିଥିଲେ।

Advertisment

ଅଭିଯୋଗ ମୁତାବକ, ଏଠାରେ ପାଠ ପଢ଼ୁଥିବା ୨ ବର୍ଷିଆ ନର୍ସିଂ ଛାତ୍ରଛାତ୍ରୀ ଉପଯୁକ୍ତ ଶିକ୍ଷା ପାଉନାହାନ୍ତି। ଏମାନଙ୍କୁ ପଢ଼ାଇବା ପାଇଁ ଏଠାରେ ଆବଶ୍ୟକ ଅଧ୍ୟାପକ ନାହାନ୍ତି। ଏଠାରେ ନାମ ଲେଖାଇଥିବା ୮୦ ଜଣ ଛାତ୍ରଛାତ୍ରୀଙ୍କ ପାଇଁ ୮ ଜଣ ଅଧ୍ୟାପକ ଅଧ୍ୟାପିକା ଆବଶ୍ୟକ ଥିବାବେଳେ ବିଭାଗୀୟ ମୁଖ୍ୟ ଭାବେ ଜଣେ ମାତ୍ର ପ୍ରାଧ୍ୟାପିକା ପାଠ ପଢ଼ାଉଛନ୍ତି। ଫଳରେ ଶିକ୍ଷାଦାନରେ ସମସ୍ୟା ଉପୁଜୁଛି। ନର୍ସିଂ ଶିକ୍ଷାରେ ପ୍ରାକ୍ଟିକାଲ ପାଇଁ ଆବଶ୍ୟକ ଯନ୍ତ୍ରପାତି ନାହିଁ। ସେହିପରି ଏଠାରେ ଥିବା ପାଠାଗାରରେ ବହି ନାହିଁ କି ବିଦ୍ୟୁତ୍‌ ସଂଯୋଗ କରାଯାଇନାହିଁ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି।

ଅନ୍ୟଏକ ଅଭିଯୋଗ ମୁତାବକ, କଲେଜର ବିକାଶ ପାଇଁ କେତେକ ଛାତ୍ରଛାତ୍ରୀଙ୍କ ଠାରୁ କର୍ତ୍ତୃପକ୍ଷ ୮ ହଜାର ଟଙ୍କା ଆଦାୟ କରିଛନ୍ତି। ଏହିଅର୍ଥ ଫେରସ୍ତ ପାଇଁ ଦାବି ହୋଇଛି। ବାଣୀବିହାର ଏବିଭିପି ସଂଗଠନ ଓ ଏହି କ୍ୟାମ୍ପସର ଛାତ୍ରଛାତ୍ରୀଙ୍କ ପକ୍ଷରୁ ଆଜି ଏଥିପାଇଁ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆସନ୍ତାକାଲି ଏକ ବୈଠକ ଡକାଯାଇ ଛାତ୍ରଛାତ୍ରୀଙ୍କ ଦାବି ଉପରେ ଆଲୋଚନା କରାଯିବ ଓ ପଦକ୍ଷେପ ନିଆଯିବ ବୋଲି କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ପରେ ଧାରଣା ପ୍ରତ୍ୟାହାର କରାଯାଇଥିବା ବିକ୍ଷୋଭକାରୀ ଛାତ୍ରଛାତ୍ରୀଙ୍କ ପକ୍ଷରୁ ପ୍ରସଞ୍ଜିତ ବେହେରା ଓ ପ୍ରଜ୍ଞା ପାଇକରାୟ ସୂଚନା ଦେଇଛନ୍ତି।