କଲେଜ ଫି’ କୋହଳ ଦାବିରେ ଛାତ୍ରଛାତ୍ରୀଙ୍କ ଧାରଣା

ବୌଦ୍ଧ: ଚଳିତ ବର୍ଷ +୩ ପାଠ୍ୟକ୍ରମର ପ୍ରଥମ ଓ ଦ୍ବିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପୁନଃ ନାମଲେଖା ଫି’ ବୃଦ୍ଧି ହୋଇଛି। ପୂର୍ବରୁ ଏହି ଫି’ ୨୦୩୦ ଟଙ୍କା ଥିବା ବେଳେ ଚଳିତ ଶିକ୍ଷା ବର୍ଷରେ ୨୬୫୦ ଟଙ୍କା କରାଯାଇଛି। ତେବେ ଏହାକୁ ବିରୋଧ କରିଛନ୍ତି ବୌଦ୍ଧ ପଞ୍ଚାୟତ କଲେଜର ଛାତ୍ରଛାତ୍ରୀ। ସେମାନଙ୍କ ଅଭିଯୋନ ଅନୁସାରେ କଲେଜରେ ପଢୁଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନେକଙ୍କ ପରିବାରର ଆର୍ଥିକ ସ୍ଥିତି ସ୍ବଚ୍ଛଳ ନୁହନ୍ତି। ବର୍ଦ୍ଧିତ ଫି’ ସେମାନଙ୍କ ପାଇଁ ବୋଝ ସଦୃଶ ହୋଇଛି।

ତେଣୁ ପ୍ରଶାସନ ପୁନର୍ବିଚାର କରି ପୁରୁଣା ଫି’ କାଏମ ରଖିବାକୁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏହି ଦାବି ନେଇ ଗତ ୧୪ ତାରିଖରେ ଛାତ୍ରଛାତ୍ରୀମାନେ କଲେଜରୁ ପଦଯାତ୍ରାରେ ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଦେଇଥିଲେ। ତଥାପି କୌଣସି ସୁଫଳ ମିଳିଲା ନାହିଁ। ଶେଷରେ ସୋମବାର ଛାତ୍ରଛାତ୍ରୀମାନେ ଶ୍ରେଣୀ ବର୍ଜନ କରି କଲେଜ ମୁଖ୍ୟ ଫାଟକ ଆଗରେ ଧାରଣାରେ ବସିଥିଲେ। ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର କଲେଜ ସମ୍ମୁଖ ଦେଇ କଣ୍ଟାମାଳ ବ୍ଲକ୍‌ ଗସ୍ତରେ ଯିବା ବେଳେ ସେଠାରେ ଅଟକିଥିଲେ। ଛାତ୍ରଛାତ୍ରୀଙ୍କ ଏକ ପ୍ରତିନିଧି ଦଳ ସନ୍ଧ୍ୟା ୫ଟାରେ ଜିଲ୍ଲାପାଳଙ୍କୁ ତାଙ୍କ କାର୍ଯ୍ୟାଳୟକୁ ଆସି ଆଲୋଚନା କରିବାକୁ କହିଥିଲେ। ଜିଲ୍ଲାପାଳଙ୍କ ଅନୁରୋଧ ରକ୍ଷା କରି ଛାତ୍ରଛାତ୍ରୀ ଧାରଣାରୁ ଉଠିଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର