ଭୁବନେଶ୍ବର : ୧୬ ତାରିଖରେ ବିନା ଜରିମାନାରେ ଯୁକ୍ତ ୨ ପରୀକ୍ଷା ପାଇଁ ଫର୍ମପୂରଣ ଶେଷ ହେବ। ୧୮ରୁ ୨୦ ତାରିଖ ଯାଏ ୫୦ ଟଙ୍କା ଓ ୨୧ରୁ ୨୩ ତାରିଖ ମଧ୍ୟରେ ଛାତ୍ରଛାତ୍ରୀ ୩୫୦ ଟଙ୍କା ଜରିମାନାରେ ଛାତ୍ରଛାତ୍ରୀ ଫର୍ମପୂରଣ କରିପାରିବେ। ତେବେ ଏଥର ପିଲାଙ୍କ ଉପସ୍ଥାନ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କଡ଼ା ଅଭିମୁଖ୍ୟ ଗ୍ରହଣ କରିଥିବାରୁ ଅନେକେ ପରୀକ୍ଷା ଦେବାରୁ ବଞ୍ଚିତ ହେବା ନେଇ ଆଶଙ୍କା ପ୍ରକାଶ ପାଇଛି।
ରାଜ୍ୟର କୋଣ ଅନୁକୋଣରେ ଏଭଳି ସମସ୍ୟା ନଜରକୁ ଆସିଛି। କଲେଜ କର୍ତୃପକ୍ଷ ନିଷ୍ପତ୍ତିକୁ କଡ଼ାକଡ଼ି କରିଥିବାରୁ ଛାତ୍ରଛାତ୍ରୀ ହତାଶ ହୋଇପଡ଼ିଛନ୍ତି। କ’ଣ କରିବେ? କିଭଳି ପରୀକ୍ଷା ଦେବେ? ଉପସ୍ଥାନ ଯୋଗୁଁ ଦୁଇ ବର୍ଷର ପାଠପଢ଼ା ବେକାର ଯିବ କି? ଏଭଳି ଆଶା ଆଶଙ୍କାରେ ପଡ଼ିଛନ୍ତି। କେବଳ ଛାତ୍ରଛାତ୍ରୀ ନୁହନ୍ତି, ପିଲାଙ୍କ ଭବିଷ୍ୟତ ନେଇ ଅଭିଭାବକମାନେ ମଧ୍ୟ ଚିନ୍ତାରେ। ଅଭିଭାବକମାନେ କଲେଜ ଅଧ୍ୟକ୍ଷଙ୍କ ଦ୍ବାରସ୍ଥ ହୋଇ ପରୀକ୍ଷା ସୁଯୋଗ ଦେବା ଲାଗି ଅନୁରୋଧ ମଧ୍ୟ କରୁଛନ୍ତି। ଭୁବନେଶ୍ବରରେ ଥିବା କେତେକ କଲେଜ କର୍ତୃପକ୍ଷ ଏଥର କଠୋର ହୋଇଛନ୍ତି। ୭୫ପ୍ରତିଶତ ଉପସ୍ଥାନ ସହ ପ୍ରିଟେଷ୍ଟ ଓ ଟେଷ୍ଟ ପରୀକ୍ଷା ଦେଇ ନଥିବା ଛାତ୍ରଛାତ୍ରୀଙ୍କୁ ଫର୍ମ ପୂରଣ ଲାଗି ସୁଯୋଗ ଦିଆଯାଇ ନାହିଁ। ରାଉରକେଲା, ସମ୍ବଲପୁର, ବ୍ରହ୍ମପୁର, କଟକ, ବାଲେଶ୍ବରରୁ ମଧ୍ୟ ସମାନ ଅଭିଯୋଗ ଆସିଛି। ଗଣଶିକ୍ଷା ବିଭାଗର କଡ଼ା ନିର୍ଦେଶକୁ ସରକାରୀ କଲେଜ କର୍ତୃପକ୍ଷ ପାଳନ କରିଛନ୍ତି। ଯେଉଁ ଛାତ୍ରଛାତ୍ରୀଙ୍କର ଉପସ୍ଥାନ ୭୫ ପ୍ରତିଶତ ନାହିଁ, ସେମାନଙ୍କୁ ସୁଯୋଗ ଦେଇନାହାନ୍ତି। ଆଉ କେତେକ କଲେଜ କର୍ତୃପକ୍ଷ ଛାତ୍ରଛାତ୍ରୀଙ୍କୁ ସର୍ତ୍ତମୂଳକ ଫର୍ମ ପୂରଣ ଲାଗି ସୁଯୋଗ ଦେଇଛନ୍ତି। ଯେଉଁମାନଙ୍କ ଉପସ୍ଥାନ ସାମାନ୍ୟ କମ୍ ରହିଛି, ସେମାନଙ୍କୁ ଆଉ ଏକ ସୁଯୋଗ ଦିଆଯାଇଛି। ଡିସେମ୍ବର ପର୍ଯ୍ୟନ୍ତ ପାଠପଢ଼ା ଚାଲିବାକୁ ଥିବାରୁ ଏହି ସମୟ ମଧ୍ୟରେ ସେମାନେ କ୍ଲାସ୍ କରି ଆବଶ୍ୟକୀୟ ଉପସ୍ଥାନକୁ ଭରଣା କରିପାରିବେ। ଏନେଇ ପିଲାମାନେ ଲିଖିତ ଆକାରରେ କଲେଜକୁ ଜଣାଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ୧୬୪୦ ଜୁନିୟର କଲେଜରେ ପ୍ରାୟ ୩ଲକ୍ଷ ରେଗୁଲାର ଛାତ୍ରଛାତ୍ରୀ ଏଥର ପରୀକ୍ଷା ଦେବାର ସମ୍ଭାବନା ରହିଛି। ଆଜି ସୁଦ୍ଧା ପ୍ରାୟ ଅଢ଼େଇ ଲକ୍ଷ ଛାତ୍ରଛାତ୍ରୀ ଫର୍ମ ପୂରଣ କରିସାରିଛନ୍ତି। ଆହୁରି ପ୍ରାୟ ୫୦ ହଜାର ଛାତ୍ରଛାତ୍ରୀ ବାକି ଅଛନ୍ତି। ଚଳିତବର୍ଷ ଉପସ୍ଥାନ ନିୟମକୁ କଡ଼ାକଡ଼ି କରାଯାଇଥିବାରୁ ପ୍ରତିଦିନ ଶହ ଶହ ଛାତ୍ରଛାତ୍ରୀ ଉଚ୍ଚ ମାଧ୍ୟମିକ ନିର୍ଦେଶାଳୟକୁ ସମସ୍ୟା ନେଇ ଆସୁଛନ୍ତି। ତେବେ ନିୟମରେ କୌଣସି ପ୍ରକାର କୋହଳ କରାଯାଇ ନାହିଁ। କଳା,ବିଜ୍ଞାନ, ବାଣିଜ୍ୟ ପିଲାଙ୍କ ପାଇଁ ଶ୍ରେଣୀରେ ୭୫% ଉପସ୍ଥାନ ଓ ବିଜ୍ଞାନ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାକ୍ଟିକାଲ କ୍ଲାସରେ ସର୍ବନିମ୍ନ ୮୫ ପ୍ରତିଶତ ଉପସ୍ଥାନକୁ ବାଧ୍ୟତାମୂଳକ କରାଯାଇଛି ବୋଲି ନିର୍ଦେଶାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/10/college.png)