ଯାଜପୁରଟାଉନ/ସଦର : ଦ୍ୱାଦଶ ପରୀକ୍ଷା ବାତିଲ ଦାବିରେ ଯାଜପୁର ଜିଲ୍ଲା ଛାତ୍ର ସଂଗଠନ ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଛି। କିଛି ସମୟ ପାଇଁ ରାସ୍ତାରୋକ ମଧ୍ୟ କରିଥିଲେ। ଯାଜପୁର ଜିଲ୍ଲା ଛାତ୍ର ସଙ୍ଗଠନ ପକ୍ଷରୁ ପରୀକ୍ଷା ନ କରିବାକୁ ଦାବି କରାଯାଇଥିଲା। ମହାମାରୀ କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଗଣଶିକ୍ଷା ବିଭାଗ ସ୍କୁଲ, କଲେଜକୁ  ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ବନ୍ଦ ରଖିଲେ। ଅନଲାଇନରେ ପାଠପଢ଼ା ହେଲା। ଏଥିରେ ପାଠ୍ୟକ୍ରମ ମାତ୍ର ୧୦ ପ୍ରତିଶତ ଶେଷ ହୋଇଛି। ଅନଲାଇନ ପାଠପଢ଼ାରେ ଛାତ୍ରଛାତ୍ରୀ ଅଭ୍ୟସ୍ତ ନଥିବାରୁ ୯୦ ଭାଗ ପାଠ୍ୟକ୍ରମ ବାକି ରହିଛି। ଏପରି ସ୍ଥଳେ ମାର୍ଚ୍ଚ ମାସରେ ଯୁକ୍ତ ଦୁଇ (ଦ୍ୱାଦଶ) ପରୀକ୍ଷା ହେବ ବୋଲି ଗଣଶିକ୍ଷା ବିଭାଗ କହିବା ପରେ ଏହାକୁ ଛାତ୍ରଛାତ୍ରୀ ତୀବ୍ର ବିରୋଧ କରିଛନ୍ତି।

Advertisment

ବହୁ ଗରିବ ପରିବାର ଛାତ୍ରଛାତ୍ରୀଙ୍କ ନିକଟରେ ମୋବାଇଲ ନାହିଁ। ସେମାନେ କିପରି ପାଠ ପଢ଼ି ପରୀକ୍ଷା ଦେବେ ବୋଲି ଛାତ୍ର ସଙ୍ଗଠନ ପ୍ରଶ୍ନ କରିଛି। ମହାମାରୀ କରୋନା କାଳରେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ନ ଖେଳି ଶିକ୍ଷା ଓ ସ୍ୱାସ୍ଥ୍ୟ ଅବସ୍ଥାକୁ ଗୁରୁତ୍ୱ ଦେଇ ଦ୍ୱାଦଶ ପରୀକ୍ଷାକୁ ବାତିଲ କରିବା ପାଇଁ ଛାତ୍ରଛାତ୍ରୀ ନିବେଦନ କରିଛନ୍ତି। ୩ଟି ତ୍ରୟମାସିକ ପରୀକ୍ଷାକୁ ଆଧାର କରି ଫଳ ପ୍ରକାଶ କରିବାକୁ ଦାବି କରାଯାଇଛି। ଏନେଇ ଛାତ୍ର ସଙ୍ଗଠନ ପକ୍ଷରୁ ଦ୍ୱାଦଶ ଶ୍ରେଣୀ ଉଚ୍ଚ ମାଧ୍ୟମିକ ପରୀକ୍ଷା ବାତିଲ ଦାବିରେ ଗଣଶିକ୍ଷା ମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ବିକ୍ଷୋଭରେ ବିଭିନ୍ନ କଲେଜର ଛାତ୍ରଛାତ୍ରୀ ସାମିଲ ହୋଇଥିଲେ।