ଯାଜପୁରସଦର : ଶୁକ୍ରବାର ଦିନ ଏନ୍ସି କଲେଜ ସମ୍ମୁଖ ରାସ୍ତାରେ ପରୀକ୍ଷା ବାତିଲ ଦାବିରେ ଧାରଣା ଦେଇଥିବା ଛାତ୍ରଛାତ୍ରୀଙ୍କୁ କେତେକ ଅଣଛାତ୍ର ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଅଣଛାତ୍ରଙ୍କ ମାଡ଼ରେ ୩ ଜଣ ଛାତ୍ର ଆହତ ହୋଇଛନ୍ତି। ଏନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ଧାରଣା ଦେଇଥିବା ଜଣେ ଛାତ୍ରନେତାଙ୍କୁ ଧରି ନେଇ ୨ ଘଣ୍ଟା ଥାନାରେ ଅଟକ ରଖିଥିଲା। ଅନ୍ୟପକ୍ଷରେ ମାଡ଼ ମାରିଥିବା ଅଣଛାତ୍ରଙ୍କ ବିରୋଧରେ ପୁଲିସ କାର୍ଯ୍ୟାନୁଷ୍ଠାନ ନକରି ଛାତ୍ରନେତାଙ୍କୁ ଥାନାରେ ଅଟକ ରଖିବାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା। ବହୁ ଛାତ୍ରଛାତ୍ରୀ ଚାଲିଚାଲି ଯାଇ ଥାନା ଆଗରେ ଭିଡ଼ ଜମାଇବାରୁ ପୁଲିସ ଶେଷରେ ଅଟକ ଛାତ୍ରନେତାଙ୍କୁ ଛାଡ଼ି ଦେଇଥିଲା।
/sambad/media/post_attachments/wp-content/uploads/2021/04/b405fd51-6c19-42cf-8547-a9a3b1f129f6.jpg)
ପ୍ରକାଶ ଯେ, କରୋନା ମହାମାରୀ ପାଇଁ ସରକାର ମାଟ୍ରିକ ପରୀକ୍ଷା ବାତିଲ କରିଥିବା ବେଳେ ଯୁକ୍ତଦୁଇ ପରୀକ୍ଷା ସ୍ଥଗିତ ରହିଛି। ଏହାକୁ ନେଇ ଶୁକ୍ରବାର ଦିନ ଯାଜପୁର ସହର ନିକଟବର୍ତ୍ତୀ ୬ଟି କଲେଜର ୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ନବ ନିର୍ମାଣ ଛାତ୍ର ସଂଗଠନ ଡାକରାରେ ଏକଜୁଟ୍ ହୋଇଥିଲେ। ଛାତ୍ରଛାତ୍ରୀମାନେ ଏନ୍ସି କଲେଜ ଛକ ଠାରେ ରାସ୍ତାରୋକ କରିଥିଲେ। ଧାରଣା ସମୟରେ ଛାତ୍ରଛାତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ନାରାବାଜି କରୁଥିବା ବେଳେ ସ୍ଥାନୀୟ କିଛି ଅଣଛାତ୍ର(ଯୁବକ) ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଯୁବକଙ୍କ ମାଡ଼ ଭୟରେ ଧାରଣାରତ ଛାତ୍ରଛାତ୍ରୀ ଛତ୍ରଭଙ୍ଗ ଦେଇଥିଲେ। ଏହି ସମୟରେ ପୁଲିସ ପହଞ୍ଚି ଛାତ୍ରନେତା ତଥା ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସଂଯୋଜକ ଅଶ୍ବିନୀ କୁମାର ଜେନାଙ୍କୁ ଥାନାକୁ ନେଇ ଅଟକ ରଖିଥିଲା। ଏହାର ପ୍ରତିବାଦରେ ବହୁ ଛାତ୍ରଛାତ୍ରୀ ୩ କିମି ରାସ୍ତା ଚାଲିଚାଲି ଯାଜପୁର ଟାଉନ ଥାନାରେ ପହଞ୍ଚିଥିଲେ। ପୁଲିସର ଏପରି କାର୍ଯ୍ୟାନୁଷ୍ଠାନକୁ ଛାତ୍ରଛାତ୍ରୀ ବିରୋଧ କରିଥିଲେ। ଆକ୍ରମଣ କରିଥିବା ଯୁବକଙ୍କୁ ଛାଡ଼ି ମାଡ଼ ଖାଇଥିବା ଛାତ୍ରଛାତ୍ରୀଙ୍କୁ ପୁଲିସ କୋର୍ଟ ଓ କ୍ୟାରିୟରର ଭୟ ଦେଖାଇଥିବା ଅଭିଯୋଗ ହୋଇଛି। ପରେ ପୁଲିସ ବ୍ୟକ୍ତିଗତ ମୁଚାଲିକାରେ ଅଟକ ଛାତ୍ରଙ୍କୁ ଛାଡ଼ିଥିଲା। ଏହାକୁ ବହୁ ଛାତ୍ରଛାତ୍ରୀ ନିନ୍ଦା କରିଛନ୍ତି।
ତେବେ ଅଣଛାତ୍ରଙ୍କ ମାଡ଼ରେ ବରୀ କାଶୀନାଥ କଲେଜର ଛାତ୍ର ପ୍ରକାଶ ରାଉତ ଓ ଅବିନାଶ ପରିଡ଼ା ଆହତ ହୋଇଛନ୍ତି। ଏନେଇ ଥାନାରେ ଦୁଇଟି ମାମଲା ରୁଜୁ କରାଯାଇଛି। ଆମ୍ବୁଲାନସକୁ ନଛାଡ଼ିବାରୁ ଧାରଣାରତ ଛାତ୍ରଛାତ୍ରୀଙ୍କୁ ତାଗିଦ କରିଥିଲେ ବୋଲି ମାଡ଼ ମାରିଥିବା ଯୁବକମାନେ ପାଲଟା ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ କୋଭିଡ ସମୟରେ ରାସ୍ତାରୋକ ପାଇଁ ଛାତ୍ରଛାତ୍ରୀଙ୍କ ନାମରେ ମାମଲା ହୋଇଥିବା ବେଳେ ମାଡ଼ ମାରିଥିବା ଯୁବକଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଥାନାଧିକାରୀ ମାନସ ରଂଜନ ଚକ୍ର ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/04/839d16cc-df82-414b-a488-f0e397f7828c.jpg)