ଯୁକ୍ତ୨ ପରୀକ୍ଷା ବାତିଲ ଦାବି: ରାଜଧାନୀରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଭୁବନେଶ୍ବର : ତିନି ଦିନ ତଳେ ଦଶମ ଓ ଦ୍ବାଦଶ ପରୀକ୍ଷା ହେବା ନେଇ ସଙ୍କେତ ଦେଇଥିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ମନ୍ତ୍ରୀଙ୍କ ଏହି ସୂଚନା ପରେ ଛାତ୍ରଛାତ୍ରୀ ଆରମ୍ଭ କରି ଦେଇଛନ୍ତି ଆନ୍ଦୋଳନ। ଆଜି ଭୁବନେଶ୍ବରର ମାଷ୍ଟର୍‌ କ୍ୟାଣ୍ଟିନ୍‌ରେ ବିଭିନ୍ନ ଶିକ୍ଷାନୁଷ୍ଠାନର ଯୁକ୍ତ ଦୁଇ ଛାତ୍ରଛାତ୍ରୀ ଏକାଠି ହୋଇ ପରୀକ୍ଷା ନ କରିବା ଦାବିରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବର୍ଷର ଅଧିକାଂଶ ସମୟରେ ଅନ୍‌ଲାଇନ୍‌ କ୍ଲାସ୍ ହୋଇଥିଲା ବେଳେ କାହିଁକି ଅଫ୍‌ଲାଇନ୍ ପରୀକ୍ଷା ହେବ ବୋଲି ସେମାନେ ପ୍ରଶ୍ନ କରିଛନ୍ତି। ରାଜ୍ୟପାଳ ଓ ଶିକ୍ଷା ସଚିବଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ମଧ୍ୟ ପ୍ରଦାନ କରିଛନ୍ତି।

ଛାତ୍ରଛାତ୍ରୀଙ୍କ ଅଭିଯୋଗ ଅନୁଯାୟୀ ବହୁତ କମ ଦିନ ଭିତରେ ସିଲାବସ୍ ସଂପୂର୍ଣ୍ଣ କରାଯାଇଛି। ଏଥିରେ ୩ମାସ ମଧ୍ୟରେ ୩ଟି ତ୍ରୈମାସିକ ପରୀକ୍ଷା ମଧ୍ୟ ହୋଇଛି। ସେହିପରି ନେଟ୍‌ୱାର୍କ ସମସ୍ୟା ଏବଂ ମୋବାଇଲ୍ ନଥିବା ଛାତ୍ରଛାତ୍ରୀମାନେ ଏହି ଅନଲାଇନ୍ ପଢ଼ାରୁ ବଞ୍ଚିତ ହୋଇଛନ୍ତି। କରୋନା ମହାମାରୀ ଓ ନେଟ୍‌ୱାର୍କ ସମସ୍ୟାକୁ ଆଖିରେ ରଖି ସରକାର ବୋର୍ଡ ପରୀକ୍ଷାକୁ ବାତିଲ କରିବା ଉଚିତ। ୩ଟି ତ୍ରୈମାସିକ ପରୀକ୍ଷା ଫଳକୁ ଆଧାର କରି ଫଳାଫଳ ଘୋଷଣା କରିବା ପାଇଁ ଛାତ୍ରଛାତ୍ରୀମାନେ ଦାବି କରିଛନ୍ତି। ଯଦି ଆଗାମୀ ଦିନରେ ପରୀକ୍ଷା ବାତିଲ ନହୁଏ ତେବେ ସାରା ରାଜ୍ୟର ଛାତ୍ରଛାତ୍ରୀମାନେ ଏକାଠି ହୋଇ ଆନ୍ଦୋଳନ କରିବେ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର