ଥାନା ଘେରିଲେ ଛାତ୍ରଛାତ୍ରୀ

୨୪ ଘଣ୍ଟା ପରେ ବି ଛାତ୍ର ମୃତ୍ୟୁ ରହସ୍ୟଘେରରେ

ଉଦଳା/ଖୁଣ୍ଟା : ଉଦଳା କଲେଜର ଯୁକ୍ତ ୨ ବିଜ୍ଞାନ ଦ୍ୱିତୀୟ ବର୍ଷର ଛାତ୍ର ଅନିମେଶ କୁମାର ଦାଶଙ୍କ ମୃତ୍ୟୁ ରହସ୍ୟ ଉପରୁ ପୁଲିସ ଏଯାଏ ପରଦା ହଟାଇ ପାରିନି। ପୁଲିସର ଅପାରଗତା ତଥା ଦୋଷୀକୁ ଧରିବା ଦାବିରେ ଆଜି ଉଦଳା କଲେଜର ଛାତ୍ରଛାତ୍ରୀମାନେ ଉଦଳା ଥାନାକୁ ଘେରିଛନ୍ତି। ସେ ୟୁନିକ ଷ୍ଟଡି ସେଣ୍ଟରରେ ରହି କୋଚିଂ ନେବା ସହ କଲେଜରେ ପଢ଼ୁଥିଲେ। ଗତକାଲି ତାଙ୍କର ଝୁଲନ୍ତା ଶବ ଉଦ୍ଧାର କରାଯାଇଥିବା ନେଇ କୋଚିଂ ସେଣ୍ଟର କର୍ତ୍ତୃପକ୍ଷ କହିଥିଲେ। କିନ୍ତୁ ଆଜି ଆସିଥିବା ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ ଫାଶୀ ଲଗାଇ ତାଙ୍କର ମୃତ୍ୟୁ ହୋଇନଥିବା ଦର୍ଶାଯାଇଛି। ଏଣୁ ଭିସେରା ରିପୋର୍ଟକୁ ଅପେକ୍ଷା କରାଯାଇଛି।

ସଂପୃକ୍ତ ଷ୍ଟଡି ସେଣ୍ଟର ମଧ୍ୟରେ ଗୋଟିଏ ରୁମରେ ଅନିମେଶ ସହିତ ଆଉ ୬ ଜଣ ରହୁଥିଲେ। ସାଙ୍ଗରେ ରହୁଥିବା ଜଣେ ପିଲାର ରେଜିଷ୍ଟ୍ରେସନ ନଂ. ହଜିଯାଇଥିଲା। ସେଣ୍ଟର ମାଲିକଙ୍କ ଉପସ୍ଥିତିରେ ଠାକୁରଙ୍କ ଫଟୋ ଛୁଇଁ ସମସ୍ତେ ନେଇ ନ ଥିବାର ଶପଥ କରିଥିଲେ। ରାତି ପାହିବା ପରେ ଅନିମେଶର ଝୁଲନ୍ତା ଶବ ସେଣ୍ଟର ସିଡ଼ିଘର ଛପରରେ ମିଳିଥିବା କୁହାଯାଇଥିଲା।

ଘଟଣାକୁ ନେଇ ଚାପା ଉତ୍ତେଜନା ଲାଗି ରହିଛି। ପୁଲିସ କେବଳ ୩୦୨ ଓ ୩୪ ଆଇପିସି ଦଫା ଲଗାଇ ମାମଲା ରୁଜୁ କରିଛି। ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଛାତ୍ର ସଂସଦ ପକ୍ଷରୁ ଥାନା ଘେରାଉ କରାଯିବା ସହିତ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଆସନ୍ତା ଦୁଇ ଦିନ ଭିତରେ ଯଦି ଅଭିଯୁକ୍ତକୁ ଧରାନଯାଏ ତେବେ ଉଦଳା ବନ୍ଦ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସେହିପରି ଛାତ୍ରଜଣକ ଖୁଣ୍ଟା ଅଞ୍ଚଳର ହୋଇଥିବାରୁ ଖୁଣ୍ଟା ଅଟୋ ସଂଘ ପକ୍ଷରୁ ଖୁଣ୍ଟା ଥାନା ଓ ଉଦଳା ଏସ୍‌ଡିଜେଏମ୍‌ଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଅଭିଯୁକ୍ତକୁ ତୁରନ୍ତ ଗିରଫ କରାନଗଲେ ଆନ୍ଦୋଳନ କରାଯିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର