ଶିକ୍ଷକ ନିଯୁକ୍ତି ଦାବିରେ ଅଭିନବ ଆନ୍ଦୋଳନ : ଶୀତ ରାତିରେ ଛାତ୍ରାବାସ ଛାଡ଼ିଲେ ୫୪ ଛାତ୍ର, ଜଙ୍ଗଲ, ପାହାଡ଼ ଡେଇଁ ଚାଲି‌ଲେ ୨୬ କିଲୋମିଟର

ତୁମୁଡ଼ିବନ୍ଧ : କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ବ୍ଲକ୍ ବେଲଘରଠାରେ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ବାରା ପରିଚାଳିତ ସରକାରୀ ଉଚ୍ଚ ବିଦ୍ୟାଳୟ ଛାତ୍ରମାନେ ଶିକ୍ଷକ ପଦ ପୂରଣ ଦାବିରେ ଅଭିନବ ଢଙ୍ଗରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିଛନ୍ତି। ବୁଧବାର ଭୋର୍ ୩ଟାରେ ଅଷ୍ଟମ ଓ ନବମ ଶ୍ରେଣୀର ୫୪ ଜଣ ଛାତ୍ର ଛାତ୍ରାବାସରୁ ବାହାରି ଆସିଥିଲେ ଏବଂ ଅନ୍ଧାରରେ ଜଙ୍ଗଲ ପାହାଡ଼ ଡେଇଁ ୨୬ କିଲୋମିଟର ରାସ୍ତା ଚାଲି ଚାଲି ଆସିବା ପରେ ସକାଳେ ତୁମୁଡ଼ିବନ୍ଧ ସମିତି କାର୍ଯ୍ୟାଳୟରେ ସେମାନଙ୍କ ଦାବି ଜଣାଇଥିଲେ। ଏହି ଘଟଣା ସମଗ୍ର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି। ଜିଲ୍ଲା ପ୍ରାଶାସନିକ ଓ ବିଭାଗୀୟ ଅଧିକାରୀ ବୁଝାସୁଝା କରି ଛାତ୍ରଙ୍କୁ ପୁଣି ଛାତ୍ରବାସକୁ ଫେରାଇ ନେଇଛନ୍ତି। ଦାବି ପୂରଣ ନ ହେଲେ ପୁଣି ଥରେ ଛାତ୍ରାବାସ ଛାଡ଼ି ପଳାଇବେ ବୋଲି ଛାତ୍ରମାନେ ଚେତାବନୀ ଦେଇଛନ୍ତି।

ଛାତ୍ରଙ୍କ ଅଭି‌ଯୋଗ ହେଉଛି, ବେଲଘର ଉଚ୍ଚବିଦ୍ୟାଳୟରେ ୬ଷ୍ଠରୁ ଦଶମ ‌ଶ୍ରେଣୀ ପର୍ଯ୍ୟନ୍ତ ୩୭୫ ଛାତ୍ରଛାତ୍ରୀ ପଢ଼ୁଛନ୍ତି। ତେବେ ସେମାନଙ୍କୁ ପାଠ ପଢ଼ାଇବା ପାଇଁ ମାତ୍ର ୬ ଜଣ ଶିକ୍ଷକ ରହିଛନ୍ତି। ଜଣେ ବିଜ୍ଞାନ ଶିକ୍ଷକ ଚାପଗ୍ରସ୍ତ ହୋଇ ଠିକ୍ ଭାବେ ଶିକ୍ଷାଦାନ କରିପାରୁ ନାହାନ୍ତି। ଆଉ ଜଣେ ବିଜ୍ଞାନ ଶିକ୍ଷକ ନିଯୁକ୍ତି ଦାବିରେ ବହୁବାର ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲେ ସୁଦ୍ଧା କୌଣସି ସୁଫଳ ମିଳି ନାହିଁ। ଫଳରେ ଆଜି ଭୋର୍ ପ୍ରାୟ ୩ଟାରେ ୫୪ଜଣ ‌ଛାତ୍ର ଅନ୍ଧାର ଓ ଶୀତ ରାତିରେ ପ୍ଲାକାର୍ଡ ଧରି ବିଭିନ୍ନ ସ୍ଲୋଗାନ୍ ଦେଇ ଜଙ୍ଗଲ ଓ ପାହାଡ଼ିଆ ରାସ୍ତାକୁ ଅତିକ୍ରମ କରିଥିଲେ। ରାତି ପାହିବା ବେଳକୁ ଛାତ୍ରଙ୍କୁ ଛାତ୍ରାବାସରେ ନ ଦେଖି ବିଦ୍ୟାଳୟ କର୍ତ୍ତୃପକ୍ଷ ଚିନ୍ତାରେ ପଡ଼ିଥିଲେ। ୬ ଘଣ୍ଟା ଚାଲିବା ପରେ ଆଜି ସକାଳ ୯ଟାରେ ଛାତ୍ରମାନେ ତୁମୁଡ଼ିବନ୍ଧ ବ୍ଲକ୍ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ଓ ବିଡିଓ କୈଳାସ ଚନ୍ଦ୍ର ମୁର୍ମୁ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ଶିକ୍ଷକ ପଦ ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇ ଛାତ୍ରଙ୍କୁ ପୁଣି ଛାତ୍ରବାସକୁ ଫେରାଇ ନିଆଯାଇଥିଲା।

ତେବେ ଏହି ଘଟଣା ପରେ ବିଦ୍ୟାଳୟ ଓ ଛାତ୍ରବାସ କର୍ତ୍ତୃପକ୍ଷଙ୍କ ଦାୟିତ୍ବକୁ ନେଇ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୁରକ୍ଷା ପାଚେରି ଡେଇଁ ୫୪ ଜଣ ଛାତ୍ର କେମିତି ଛାତ୍ରାବାସ ଛାଡ଼ିଲେ ଓ କର୍ତ୍ତୃପକ୍ଷ, ପୁଲିସ, କୁଟିଆ କନ୍ଧ ଉନ୍ନୟନ ବିଭାଗ ଓ ଅନ୍ୟ ଅଧିକାରୀମାନେ ଏହା କେମିତି ଜାଣି ପାରି‌ଲେନି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଛାତ୍ରାବାସ ଦାୟିତ୍ବରେ ଥିବା ଶିକ୍ଷକ ନିରଞ୍ଜନ ସାହୁ କହିଛନ୍ତି, ଶିକ୍ଷକ ସମସ୍ୟା ନେଇ ଛାତ୍ରମାନେ ଦାବି ଉପସ୍ଥାପନ କରିଥିଲେ। କିନ୍ତୁ ଛାତ୍ରବାସ ଛାଡ଼ିବା ସେମାନଙ୍କ ପୂର୍ବ ଯୋଜନା ଭଳି ଲାଗୁଛି। ଅନ୍ୟପକ୍ଷରେ ଘଟଣାର ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ରିପୋର୍ଟ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ ବୋଲି ଜିଲ୍ଲା ମଙ୍ଗଳ ଅଧିକାରୀ ଶେଷଦେବ ବେହେରା ସୂଚନା ମିଳିଛି।

ସମ୍ବନ୍ଧିତ ଖବର