କେନ୍ଦୁଝର: ଅନ୍‌ଲାଇନ ପରୀକ୍ଷା ଦାବିରେ ଛାତ୍ରଙ୍କ ବିକ୍ଷୋଭ

କେନ୍ଦୁଝର : ଅନଲାଇନରେ ପରୀକ୍ଷା ଦାବିରେ ଗୁରୁବାର ଦିନ କେନ୍ଦୁଝର ଧରଣୀଧର ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଛାତ୍ରଛାତ୍ରୀ କହିବା କଥା ହେଲା ବର୍ଷତମାମ ଅନ୍‌ଲାଇନ୍‌ରେ ପାଠ ପଢ଼ା ହେଲା। ତେବେ କାହିଁକି ପରୀକ୍ଷା ଅଫ୍‌ ଲାଇନ ହେବ ବୋଲି କହୁଛନ୍ତି। ଯୁକ୍ତ ତିନି ଶେଷ ବର୍ଷର ପଞ୍ଚମ ସେମିଷ୍ଟାର ଛାତ୍ରଛାତ୍ରୀଙ୍କ ପରୀକ୍ଷା ଆସନ୍ତା ୨୬ ତାରିଖରୁ ଅଫ୍‌ଲାଇନରେ ହେବାକୁ ଅଛି। ଏଣୁ ପାଠ ପଢା ଅନ୍‌ ଲାଇନରେ ହୋଇଥିବାରୁ ପରୀକ୍ଷା ଅନ୍‌ଲାଇନ କରିବା ପାଇଁ ଛାତ୍ରଛାତ୍ରୀ ଦାବି କରିଛନ୍ତି। ସେହିପରି ପାଠ୍ୟକ୍ରମ ଶେଷ ହୋଇ ନଥିବା ଏବଂ ତରବରିଆ ଭାବରେ ଅନ୍‌ ଲାଇନରେ ପାଠ ପଢ଼ା ହୋଇଥିବାରୁ ଛାତ୍ରଛାତ୍ରୀ ଠିକ୍ ଭାବରେ ପାଠ ପଢ଼ି ପାରିନାହାଁନ୍ତି ବୋଲି କହିଛନ୍ତି। ପରୀକ୍ଷା ଘୁଞ୍ଚାଇବା ଛାତ୍ରଛାତ୍ରୀ ଦାବି ଜଣାଇଥିଲେ।

ଏ ନେଇ ଅଧ୍ୟକ୍ଷ ନରେନ୍ଦ୍ର ସାହୁ ନିଜେ ପିଲାଙ୍କ ପାଖକୁ ଆସି ବୁଝାସୁଝା କରି ସରକାରଙ୍କ ନିଷ୍ପତ୍ତି ଅଫ୍‌ ଲାଇନରେ ହେବ ବୋଲି ଚିଠି ଦେଖାଇଥିଲେ। ଲିଖିତଭାବେ ଛାତ୍ରଛାତ୍ରୀ ତାଙ୍କ ସମସ୍ୟା ଜଣାଇଲେ ଅଫ୍‌ଲାଇନ୍‌ରେ ହେବାକୁ ଥିବା ପରୀକ୍ଷାରେ ଦୁଇଟି ବିଷୟ ମଧ୍ୟରେ ବ୍ୟବଧାନ ଦୁଇ ତିନି ରଖିବା ନେଇ ବିଚାର କରାଯିବ ବୋଲି ଅଧ୍ୟକ୍ଷ ନରେନ୍ଦ୍ର ସାହୁ କହିଛନ୍ତି। ଛାତ୍ରଛାତ୍ରୀଙ୍କ ଆଲୋଚନା ସମୟରେ ଅଧ୍ୟକ୍ଷ ନରେନ୍ଦ୍ର ସାହୁଙ୍କ ସମେତ ପରୀକ୍ଷା ନିୟନ୍ତ୍ରକ ପ୍ରଦୀପ କୁମାର ପଣ୍ଡା, ପ୍ରାଧ୍ୟାପକ ଶାନ୍ତନୁ କୁମାର ନାୟକ, ପ୍ରାଧ୍ୟାପକ ଦୋଳଗୋବିନ୍ଦ ରାଉତ, ପ୍ରାଧ୍ୟାପକ ଅନୀଲ କୁମାର ଦାସ, ପ୍ରାଧ୍ୟାପକ ଡକ୍ଟର କୃଷ୍ଣଚନ୍ଦ୍ର ପ୍ରଧାନ, ଅଧ୍ୟାପକ ସୁଧାକର ଦାସ, ଅଧ୍ୟାପକ ଡକ୍ଟର ଶୁଚିସ୍ମିତା ଆଚାର୍ଯ୍ୟ, ଅଧ୍ୟାପକ ଡକ୍ଟର ଜୟଲକ୍ଷ୍ମୀ ମହାପାତ୍ର, ଅଧ୍ୟାପକ ଡକ୍ଟର ସରିତା ନାୟକ, ଅଧ୍ୟାପକ ଡକ୍ଟର ସୋନା ମୁର୍ମୁ, ଏମବିଏ ବିଭାଗର ଇତିଶ୍ରୀ ମହାନ୍ତିଙ୍କ ସମେତ ଅତିଥି ଅଧ୍ୟାପକ, ଅଧ୍ୟାପିକା ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର