ଦାନଗଦୀ : ଦାନଗଦୀ ବ୍ଲକର ଓଲ୍ଲଳ ପଞ୍ଚାୟତ ରାମ୍ଫିଲୋ ଗ୍ରାମରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଜଣେ ଛାତ୍ରଙ୍କୁ ମାଡ଼ ହେବା ପ୍ରତିବାଦରେ ଛାତ୍ରଛାତ୍ରୀମାନେ ଶୁକ୍ରବାର ଦିନ ପ୍ରତିବାଦ ଜଣାଇଛନ୍ତି। ପ୍ରିନ୍ସିପାଲଙ୍କୁ ବଦଳି କରିବାକୁ ସେମାନେ ଦାବି କରି ଆନ୍ଦୋଳନ କରିଛନ୍ତି। ଶୁକ୍ରବାର ସକାଳେ ଯୁକ୍ତ ଦୁଇ ଛାତ୍ରମାନେ ବିଦ୍ୟାଳୟ ସାମ୍ନାରେ ଧାରଣା ଦେଇଥିଲେ।
କେନ୍ଦ୍ର ସରକାରଙ୍କ ଆଦିବାସୀ ବ୍ୟାପାର ବିଭାଗ ପକ୍ଷରୁ ଏହି ବିଦ୍ୟାଳୟରେ ୪୨୦ ଜଣ ଜନଜାତି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଗତ ଫେବ୍ରୁଆରି ୯ ତାରିଖ ବିଳମ୍ବିତ ରାତ୍ରିରେ ଅଧ୍ୟକ୍ଷ ସୁଜାତ ନାୟକ ଯୁକ୍ତ ଦୁଇ ପ୍ରଥମ ବର୍ଷ ଛାତ୍ର ବୃନ୍ଦାବନ ତିରିଆଙ୍କୁ ମାଡ଼ ମାରିଥିଲେ। ତେଣୁ ତାଙ୍କୁ ହଟାଇବାକୁ ଦାବି କରି ଶୁକ୍ରବାର ଦିନ ଛାତ୍ରମାନେ ସକାଳୁ ଦିନ ୨ଟା ୩୦ ପର୍ଯ୍ୟନ୍ତ ବିଦ୍ୟାଳୟ ସାମ୍ନାରେ ଆନ୍ଦୋଳନ କରିଥିଲେ। ପୂର୍ବରୁ ସଂପୃକ୍ତ ଅଧ୍ୟକ୍ଷଙ୍କୁ ବଦଳି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲେ ହେଁ କାହିଁକି ଆଜି ପର୍ଯ୍ୟନ୍ତ ହଟାଯାଇ ନାହିଁ ବୋଲି ପ୍ରଶ୍ନ କରିଥିଲେ। ଦାନଗଦୀ ବ୍ଲକ ସମାଜ ମଙ୍ଗଳ ଅଧିକାରୀ ମଙ୍ଗୁଳି ଚରଣ ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ଛାତ୍ରଙ୍କୁ ବୁଝାସୁଝା କରିଥିଲେ। ବଦଳି ପାଇଁ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରଯାଇଛି ବୋଲି କହିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।
Follow Us