ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ

ଯାଜପୁରଟାଉନ/ସଦର : ମହାମାରୀ କରୋନା କାଳରେ କଲେଜ ବନ୍ଦ ରହିବା ଦ୍ୱାରା ଅନଲାଇନରେ ପାଠ ପଢ଼ାଯାଇଛି। ଏପରିକି ୭୦ ଭାଗ ପାଠ୍ୟକ୍ରମ ଶେଷ ହୋଇନାହିଁ। ଏପରି ସ୍ଥଳେ ଯୁକ୍ତ ୨ ଚୂଡ଼ାନ୍ତ ପରୀକ୍ଷା ମାର୍ଚ୍ଚ ମାସରେ ହେବାକୁ ଯାଉଛି। ପାଠ୍ୟକ୍ରମ ଶେଷ ହୋଇ ନଥିବାବେଳେ ଅନଲାଇନରେ ଠିକଣା ଭାବେ ପାଠ ପଢ଼ି ନାହାନ୍ତି ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ପରୀକ୍ଷା ବାତିଲ ଦାବିରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଜିଲ୍ଲା ପ୍ରଶାସନକୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ଅର୍ଦ୍ଧବାର୍ଷିକ ପରୀକ୍ଷାକୁ ଆଧାର କରି ଛାତ୍ରଛାତ୍ରୀଙ୍କୁ ନମ୍ବର ଦିଆଯାଇ ପାସ୍ କରାଯାଉ ଓ ପରୀକ୍ଷା କରାନଯାଉ ବୋଲି ଛାତ୍ରଛାତ୍ରୀ ଦାବି କରିଛନ୍ତି। ଏନେଇ ଗୁରୁବାର ଦିନ ବିଭିନ୍ନ କଲେଜର ଯୁକ୍ତ ୨ ଛାତ୍ରଛାତ୍ରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ପରୀକ୍ଷା ବାତିଲ ଦାବି କରିଛନ୍ତି।

ବ୍ୟାସନଗର : ବ୍ୟାସନଗର ସ୍ବୟଂଶାସିତ ମହାବିଦ୍ୟାଳୟର ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନେ ପରୀକ୍ଷା ବାତିଲ ଦାବି କରି ଆଜି ଗୋପବନ୍ଧୁ ଛକସ୍ଥିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ନିକଟରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଛାତ୍ରଛାତ୍ରୀମାନେ ମହାବିଦ୍ୟାଳୟ ନିକଟରୁ ଶୋଭାଯାତ୍ରାରେ ଯାଇ ସେଠାରେ ପହଞ୍ଚିଥିଲେ। କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୁକ୍ତ ଦୁଇ ପରୀକ୍ଷା ବାତିଲ କରିବାକୁ ସେମାନେ ଦାବି କରିଥିଲେ। ଚଳିତ ଶିକ୍ଷାବର୍ଷରେ ୫ ମାସର ପାଠପଢ଼ା ଭିତରେ ଗୋଟିଏ ତ୍ରୈମାସିକ ପରୀକ୍ଷା ସରିଛି। ଏବେ ସୁଦ୍ଧା ମାତ୍ର ୭୦ ପ୍ରତିଶତ ପାଠ୍ୟକ୍ରମ ଶେଷ ହୋଇଛି। ଅନ୍ୟପଟେ ଅନଲାଇନ ପାଠପଢ଼ା ବି ଠିକ୍‌ ଭାବେ ଚାଲି ନଥିବା ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ। ତେଣୁ ପରୀକ୍ଷା ବାତିଲ କରି ତ୍ରୈମାସିକ ପରୀକ୍ଷାର ମାର୍କ ଅନୁଯାୟୀ କାଉନସିଲ ପରୀକ୍ଷାର ମାର୍କ ଦିଆଯାଉ ବୋଲି ସେମାନେ ଦାବି କରିଛନ୍ତି। ମହାବିଦ୍ୟାଳୟ ଅଧ୍ୟକ୍ଷ ଡ. କୁଶଚନ୍ଦ୍ର ପ୍ରଧାନ ଓ ଥାନା ଅଧିକାରୀ ଉପେନ୍ଦ୍ର କୁମାର ପ୍ରଧାନ ବୁଝାସୁଝା କରିବା ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

 

ଧର୍ମଶାଳା : ଯୁକ୍ତଦୁଇ ପରୀକ୍ଷା ବାତିଲ୍ ଦାବିରେ ଜାରକାସ୍ଥିତ ଧର୍ମଶାଳା ମହାବିଦ୍ୟାଳୟ ସମ୍ମୁଖରେ କେତେକ ଛାତ୍ର ଗୁରୁବାର ପୂର୍ବାହ୍ଣରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ରାସ୍ତାରୋକ କରିଥିଲେ। ଗତବର୍ଷ ଯୁକ୍ତ ଦୁଇ ପ୍ରଥମ ବର୍ଷରେ ନାମ ଲେଖାଇଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ପାଠପଢ଼ା ବ୍ୟାହତ ହୋଇଥିଲା। ଚଳିତ ବର୍ଷ ମଧ୍ୟ ସମାନ ଅବସ୍ଥା ଦେଖାଦେଇଛି। ଦୁଇବର୍ଷ ମଧ୍ୟରେ ମାତ୍ର ୫ ମାସ ଅଫ୍‌ ଲାଇନରେ ପାଠପଢ଼ା ଯାଇଥିବା ବେଳେ ଏପର୍ଯ୍ୟନ୍ତ କୋର୍ସ ସରିନାହିଁ। ଏଭଳି ସ୍ଥିତିରେ ଯୁକ୍ତ ଦୁଇ ପରୀକ୍ଷା କରିବାକୁ ଗଣଶିକ୍ଷା ମନ୍ତ୍ରୀଙ୍କ ଘୋଷଣାକୁ ଛାତ୍ରମାନେ ତୀବ୍ର ବିରୋଧ କରି ସ୍ଲୋଗାନ ଦେଇଥିଲେ। ପରୀକ୍ଷା ବାତିଲ କରାନଗଲେ ଆନ୍ଦୋଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଛାତ୍ରମାନେ ଚେତାବନୀ ଦେଇଥିଲେ। ଏହି ଆନ୍ଦୋଳନରେ ସ୍ଥାନୀୟ ଅଞ୍ଚଳର ବିଭିନ୍ନ କଲେଜର ବହୁ ଛାତ୍ର ସାମିଲ ହୋଇଥିଲେ।

ଚଣ୍ଡିଖୋଲ : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପରିଚାଳିତ ଯୁକ୍ତ ଦୁଇ ପରୀକ୍ଷା ବାତିଲ ଦାବିରେ ଗୁରୁବାର ଦିନ ତିନୋଟି କଲେଜର  ୫୦ ରୁ ଅଧିକ ଛାତ୍ର ଚଣ୍ଡିଖୋଲ ଛକରେ ରାସ୍ତାରୋକ କରିଛନ୍ତି। କୋଭିଡ୍‌ ସମସ୍ୟା ଯୋଗୁଁ ଚଳିତ ବର୍ଷ କୌଣସି କଲେଜରେ ଠିକ ଭାବେ ପାଠପଢ଼ା ହୋଇନାହିଁ। ଚଳିତ ବର୍ଷ ପରୀକ୍ଷା ହେବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଘୋଷଣା କରିଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାର ପ୍ରତିବାଦରେ ଗୁରୁବାର ଦିନ ଚଣ୍ଡିଖୋଲ, ଜାରକା ଓ କୋତପୁର ଆଦି ତିନିଟି କଲେଜର ବହୁ ଛାତ୍ର ଚଣ୍ଡିଖୋଲ ଛକରେ ଏକାଠି ହୋଇ ରାସ୍ତାରୋକ କରିଥିଲେ। ଖବର ପାଇ ଚଣ୍ଡିଖୋଲ ଫାଣ୍ଡି ଅଧିକାରୀ ଚିତ୍ତରଞ୍ଜନ ଜେନା ପହଞ୍ଚି ସେମାନଙ୍କୁ ବୁଝାସୁଝା କରିବ ପରେ ଆନ୍ଦୋଳନ ପ୍ରତ୍ୟାହୃତ ହୋଇଥିଲା।

ସମ୍ବନ୍ଧିତ ଖବର