ପରୀକ୍ଷାରୁ ବଞ୍ଚିତ ଛାତ୍ରଛାତ୍ରୀଙ୍କ ଭଙ୍ଗାରୁଜା

ବାଉଁଶୁଣି ସଂସ୍କାର ଜୁନିଅର କଲେଜରେ ତୁମୁଳକାଣ୍ଡ

ବୌଦ୍ଧ/ବାଉଁଶୁଣି : ଦୁଇବର୍ଷ ଧରି କଲେଜରେ ନାମ ଲେଖାଇ ପାଠ ପଢ଼ିଥିଲେ। ପରୀକ୍ଷା ଦେବା ପାଇଁ ପ୍ରସ୍ତୁତି ବି ସରିଥିଲା। ଏପରିକି ପରୀକ୍ଷା ଦେବା ପାଇଁ ପରୀକ୍ଷା କେନ୍ଦ୍ରରେ ମଧ୍ୟ ଛାତ୍ରଛାତ୍ରୀ ପହଞ୍ଚି ଯାଇଥିଲେ। ମାତ୍ର ଆଡମିଟ୍‌ କାର୍ଡ ନମିଳିବାରୁ ପରୀକ୍ଷାରୁ ବଞ୍ଚିତ ହୋଇଥିଲେ ଛାତ୍ରଛାତ୍ରୀ। ଏ ନେଇ ଛାତ୍ରଛାତ୍ରୀମାନେ ସଂସ୍କାର ଜୁନିୟର କଲେଜରେ ଭଙ୍ଗାରୁଜା ଓ ପୋଡ଼ାଜଳା କରିଛନ୍ତି।

ବୌଦ୍ଧ ବ୍ଲକ ବାଉଁଶୁଣିଠାରେ ଗତ ଦୁଇବର୍ଷ ହେଲା ଘରୋଇ ଶିକ୍ଷାନୁଷ୍ଠାନ ସଂସ୍କାର ଜୁନିଅର କଲେଜ ଆରମ୍ଭ ହୋଇଥିଲା। ସୁରେନ୍ଦ୍ର ମେହେର ନାମକ ଜଣେ ବ୍ୟକ୍ତି ଏହି କଲେଜକୁ ପ୍ରତିଷ୍ଠା କରି ନିଜେ ଅଧ୍ୟକ୍ଷ ମଧ୍ୟ ଥିଲେ। ଚଳିତ ବର୍ଷ ପ୍ରଥମ କରି ଏହି ଅନୁଷ୍ଠାନର ୬୫ ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୦ ଜଣ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ପରୀକ୍ଷା ଦେବା ପାଇଁ ଫର୍ମ ପୂରଣ କରିଥିଲେ। ମାତ୍ର ସୋମବାର ପରୀକ୍ଷା ଆରମ୍ଭ ହେବା ପର୍ଯ୍ୟନ୍ତ ପରୀକ୍ଷାର୍ଥୀଙ୍କ ପାଖକୁ ଆଡମିଟ କାର୍ଡ ଆସିନଥିଲା। ଏ ବିଷୟରେ ଛାତ୍ରଛାତ୍ରୀମାନେ କଲେଜ ଅଧ୍ୟକ୍ଷ ଶ୍ରୀ ମେହେରଙ୍କୁ ବାରମ୍ବାର ଯୋଗାଯୋଗ କରୁଥିଲେ ମଧ୍ୟ ଅଧ୍ୟକ୍ଷ ଆଜି ଆସିବ କାଲି ଆସିବ କହି ଦିନ ଗଡ଼ାଇ ଚାଲିଥିଲେ। ଶେଷରେ ଯୁକ୍ତ ଦୁଇ ପରୀକ୍ଷା ଆରମ୍ଭ ହୋଇଯାଇ ଥିଲେ ମଧ୍ୟ ପିଲାଙ୍କ ପାଖରେ ଆଡମିଟ୍‌ କାର୍ଡ ପହଞ୍ଚିନଥିଲା କି ପିଲାଏ ପରୀକ୍ଷା ଦେଇପାରି ନଥିଲେ।

ପରୀକ୍ଷା ଆରମ୍ଭ ହେବା ପରେ ପିଲାମାନେ ଅଧ୍ୟକ୍ଷଙ୍କୁ ପୁଣି ଆଡମିଟ କାର୍ଡ ବିଷୟରେ ପଚାରିବାରୁ ଭୁବନେଶ୍ୱରରେ ପରୀକ୍ଷା ହେବ ଓ ଗୋଟିଏ ଦିନରେ ସବୁ ପରୀକ୍ଷା ହେବ ବୋଲି ଅଧ୍ୟକ୍ଷ ଶ୍ରୀ ମିଶ୍ର କହିଥିଲେ। ଅଧ୍ୟକ୍ଷଙ୍କ ଏପରି କଥାରେ ଛାତ୍ରଛାତ୍ରୀଙ୍କ ସନ୍ଦେହ ବଢ଼ିବା ସହିତ ଆକ୍ରୋଶ ମଧ୍ୟ ବଢ଼ି ଯାଇଥିଲା। ଶନିବାର ଛାତ୍ରଛାତ୍ରୀମାନେ କଲେଜକୁ ଆସିବା ପରେ କଲେଜରେ ତାଲା ପଡ଼ିଥିବା ବେଳେ ଅଧ୍ୟକ୍ଷ, ଅଧ୍ୟାପକ କେହି ନଥିଲେ। ଅଧ୍ୟକ୍ଷ ଶ୍ରୀ ମେହେରଙ୍କ ଫୋନ୍‌ ମଧ୍ୟ ସୁଇଚ୍‌ ଅଫ ଥିଲା। ଅସନ୍ତୁଷ୍ଟ ଛାତ୍ରଛାତ୍ରୀ କଲେଜର ଆସବାବ ପତ୍ରକୁ ଭଙ୍ଗା ରୁଜା କରିବା ସହିତ ନିଆଁ ଲଗାଇ ଦେଇଥିଲେ। ଘଟଣାସ୍ଥଳରେ ପୁଲିସ ପହଞ୍ଚିବା ପରେ ପରିସ୍ଥିତି ଶାନ୍ତ ହୋଇଥିଲା।

ଏ ସଂପର୍କରେ ବାଉଁଶୁଣି ଥାନାଧିକାରୀ କହିଛନ୍ତି ଯେ, ସଂସ୍କାର କଲେଜର ରେଜିଷ୍ଟ୍ରେସନ ଥିଲା ନା ନାହିଁ ଓ କାହିଁକି ପିଲାଏ ଆଡମିଟ୍‌ କାର୍ଡ ପାଇଲେ ନାହିଁ ସେ ବିଷୟରେ ତଦନ୍ତ କରାଯିବ। ଅନ୍ୟ ପକ୍ଷରେ ଜଣେ ଛାତ୍ରଙ୍କ ଅଭିଯୋଗ ଅଧାରରରେ କଲେଜର ଅଧ୍ୟକ୍ଷ ଶ୍ରୀ ମେହେରଙ୍କ ନାଁରେ ଏକ ଠକେଇ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର