ଭୁବନେଶ୍ୱର : ମେ’ ୩ ଯାଏ ଜାରି ରହିବ ଲକଡାଉନ୍‌। ଏଥିସହ ଜୁନ୍‌ ୧୭ପର୍ଯ୍ୟନ୍ତ ଶିକ୍ଷାନୁଷ୍ଠାନ ବନ୍ଦ। ତେଣୁ ଏହା ପୂର୍ବରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା ସମ୍ଭବପର ହେଉ ନଥିବାରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଲାଗି ଅଭିନବ ଉପାୟ ଚିନ୍ତା କରିଛି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ। ୨୦୨୧ରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ଥିବା ଛାତ୍ରଛାତ୍ରୀଙ୍କ ଶିକ୍ଷା ଉପରେ ଅଧିକ ଗୁରୁତ୍ୱ ଦିଆଯାଇ ଆଜିଠାରୁ ଦୂରଦର୍ଶନ(ଡିଡି ଓଡ଼ିଆ) ମାଧ୍ୟମରେ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦିଆଯାଇଛି। ଓଡ଼ିଶା ସ୍କୁଲ ଏଜୁକେସନ୍‌ ପ୍ରୋଗ୍ରାମ୍ ଅଥରିଟି(ଓସେପା)ର ନିଷ୍ପତ୍ତି ଅନୁଯାୟୀ ଆଜିଠାରୁ ‘ଏଜୁସାଟ୍‌’ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଷୟର ପାଠ୍ୟକ୍ରମ ଦୂରଦର୍ଶନରେ ପ୍ରସାରଣ ଆରମ୍ଭ ହୋଇଛି।

Advertisment

ପ୍ରଥମ ଦିନରେ ଛାତ୍ରଛାତ୍ରୀଙ୍କ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ସକାଳ ୧୧ରୁ ୧୨ଟା ଓ ଅପରାହ୍‌ଣ ୩ଟା ୩୦ରୁ ୪ଟା ୩୦ ପର୍ଯ୍ୟନ୍ତ ଦୁଇଟି କ୍ଲାସ ପ୍ରସାରିତ ହୋଇଥିଲା। ମେ’ ୧୨ ପର୍ଯ୍ୟନ୍ତ ଏହାର ପ୍ରସାରଣ ଜାରି ରହିବ। ପ୍ରତିଦିନ ଦୁଇଟି ଲେଖାଏ କ୍ଲାସ ହେବ। ଏହିପରି ଭାବେ ମୋଟ ୩୪ଟି ଭିଡିଓ ପ୍ରସାରଣ କରାଯିବ। ଇଂରାଜୀ ସମେତ ଗଣିତ, ଭୂଗୋଳ, ଏସସିପି ଓ ଏସସିଏଲ ବିଷୟରେ ଛାତ୍ରଛାତ୍ରୀଙ୍କୁ ଶିକ୍ଷା ଦେବାକୁ ନିଷ୍ପତ୍ତି ନିଆଯାଇଛି। ରାଜ୍ୟର ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ, ସମଗ୍ର ଶିକ୍ଷାର ଜିଲ୍ଲା ପ୍ରକଳ୍ପ ସଂଯୋଜକ ଓ ବ୍ଲକ ଶିକ୍ଷା ଅଧିକାରୀ, ବିଦ୍ୟାଳୟର ପ୍ରଧାନଶିକ୍ଷକ/ପ୍ରଧାନଶିକ୍ଷୟିତ୍ରୀ ଏନେଇ ପୂର୍ବରୁ ଛାତ୍ରଛାତ୍ରୀଙ୍କୁ ଅବଗତ କରାଇଥିଲେ। ପରିଣାମ ସ୍ବରୂପ ଆଜି ବହୁତ ସଂଖ୍ୟାରେ ଛାତ୍ରଛାତ୍ରୀ ଦୂରଦର୍ଶନ ମାଧ୍ୟମରେ ଶିକ୍ଷା ଗ୍ରହଣ କରିପାରିଛନ୍ତି।

ତେବେ ରାଜ୍ୟ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ପ୍ରଶ୍ନ ଉଠାଇଛି ରାଜ୍ୟ ଶିକ୍ଷା ପ୍ରାଦ୍ୟୋଗିକ ପ୍ରତିଷ୍ଠାନ(ଏସଆଇଇଟି) ରାଜ୍ୟ ସଂଯୋଜକ କମିଟି। କମିଟିର କାର୍ଯ୍ୟକାରୀ ସଭାପତି ସତ୍ୟନାରାୟଣ ସାହୁଙ୍କ କହିବାନୁଯାୟୀ, ଏବେ ରାଜ୍ୟ ସରକାର ନିସର୍ତ୍ତ କ୍ଷମା ପ୍ରାର୍ଥନା କରନ୍ତୁ। ଛାତ୍ରଛତ୍ରୀଙ୍କ ପାଇଁ ଦୂରଦର୍ଶନ ମାଧ୍ୟମରେ ଶିକ୍ଷାଦାନ କରିବାକୁ ଏବେ ରାଜ୍ୟ ସରକାର ଚିନ୍ତା କରୁଛନ୍ତି। ଏହା ନୂତନ ପଦକ୍ଷେପ ନୁହେଁ, ବରଂ କେନ୍ଦ୍ର ସରକାରଙ୍କ ଏହି ପ୍ରକାର କାର୍ଯ୍ୟକ୍ରମକୁ ରାଜ୍ୟ ସରକାର ଚଞ୍ଚକତା କରି ବନ୍ଦ କରିଦେଇଥିଲେ। ଏବେ ଏଭଳି କାର୍ଯ୍ୟକ୍ରମ କରି ବାହାବା ନେବାର କିଭଳି ମିଥ୍ୟା ପ୍ରୟାସ କରୁଛନ୍ତି, ତା’ର ଜ୍ବଳନ୍ତ ନମୁନା। ଶିକ୍ଷାକୁ ସାର୍ବଜନୀନ କରିବାକୁ କେନ୍ଦ୍ର ସରକାରଙ୍କ ସୁପାରିସକ୍ରମେ ଏସ୍‌ଆଇଇଟି ଆରମ୍ଭ କରାଯାଇଥିଲା। କେନ୍ଦ୍ର ସରକାରଙ୍କ ଶତ ପ୍ରତିଶତ ଅନୁଦାନପ୍ରାପ୍ତ ଏହି ସଂସ୍ଥା ୧୯୮୬ରୁ ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ପ୍ରସ୍ତୁତ କରି ଦୂରଦର୍ଶନ ମାଧ୍ୟମରେ ପ୍ରସାରଣ ହେଉଥିଲା। ପରବର୍ତୀ ସମୟରେ କେନ୍ଦ୍ର ସରକାର ଆଇସିଟି ଆଟ୍‌ ସ୍କୁଲ ଯୋଜନାକୁ ଏହି ସଂସ୍ଥା ଦ୍ୱାରା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ଆଶ୍ଚର୍ଯ୍ୟର ବିଷୟ ଯେ ୨୦୧୩ରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଏକ ବିଜ୍ଞପ୍ତି ବଳରେ ଏହି ସଂସ୍ଥାରୁ କେନ୍ଦ୍ର ଅନୁଦାନ ବନ୍ଦ କରିଦେଲା। ଏହା ଚାଲିଥିଲେ ବହୁ ଛାତ୍ରଛାତ୍ରୀ ଉପକୃତ ହୋଇପାରିଥାନ୍ତେ ବୋଲି ଶ୍ରୀ ସାହୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କହିଛନ୍ତି।