କଟକ: ଶିକ୍ଷା ମଣିଷକୁ ଗଢ଼ିଥାଏ। ଏବେ ଶିକ୍ଷାରେ ସଂସ୍କାର ଆଣିବାକୁ ଯାଇ ଏହାକୁ ଭାଗ ଭାଗ କରି ଦିଆଯାଇଛି। ଆଜିର ଶିକ୍ଷାରେ ଜ୍ଞାନର ଅଭାବ ଦେଖାଯାଇଛି। ପରୀକ୍ଷାରେ କେଉଁ ପ୍ରକାରର ପ୍ରଶ୍ନ ଆସିବ ତାହାକୁ ନେଇ ପିଲାଙ୍କୁ ଶିକ୍ଷାଦାନ କରାଯାଉଛି। ମାତ୍ର ଏଭଳି ସ୍ଥିତିରେ ‘ସମ୍ବାଦ’ ଛାତ୍ରଛାତ୍ରୀଙ୍କୁ ଶିକ୍ଷାର ମୂଲ୍ୟବୋଧ ବୁଝି ଆଗକୁ ବଢ଼ିବାକୁ ଉତ୍ସାହିତ କରି ଆସୁଛି ବୋଲି ‘ସମ୍ବାଦ’ ଡିଜିଟାଲ୍ ପକ୍ଷରୁ ସିବିଏସ୍ଇ ଓ ଆଇସିଏସ୍ଇର ଦଶମ ଓ ଦ୍ବାଦଶ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆୟୋଜିତ ‘ଅଗ୍ରୟୋଧି ସମ୍ମାନ-୨୦୨୫’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ଶିକ୍ଷାବିତ୍ ପ୍ରଫେସର ଡକ୍ଟର ବୈଷ୍ଣବ ଚରଣ ସାମଲ କହିଛନ୍ତି।
‘ସମ୍ବାଦ’ ଡିଜିଟାଲ୍ର ଅଗ୍ରୟୋଧି ସମ୍ମାନ ପ୍ରଦାନ ଉତ୍ସବ
ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଗୋପାଳପୁରସ୍ଥିତ କ୍ରିଷ୍ଣାସ୍ କୋର୍ଟୟାର୍ଡ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଏସ୍ସିବି ମେଡିକାଲ କଲେଜର ଅବସରପ୍ରାପ୍ତ ଚିକିତ୍ସା ବିଶେଷଜ୍ଞ ପ୍ରଫେସର ଡାକ୍ତର ପ୍ରଶାନ୍ତ କୁମାର ମିଶ୍ର ଯୋଗଦେଇ ଜୀବନରେ ସବୁବେଳେ ସକାରାତ୍ମକ ଚିନ୍ତାଧାରାରେ ବଢ଼ିବାକୁ ଛାତ୍ରଛାତ୍ରୀଙ୍କୁ ଆହ୍ବାନ ଦେଇଛନ୍ତି। ଦେଶର ଦୁଇ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ୍ ଓ ପ୍ରଣବ ମୁଖାର୍ଜୀଙ୍କ ଜୀବନୀରୁ ଛାତ୍ରଛାତ୍ରୀ ଶିକ୍ଷାଲାଭ କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଥିଲେ। ସମ୍ମାନିତ ଅତିଥି ଭାବେ ଟେଟ୍ରାହେଡ୍ରନ୍ ଗ୍ରୁପ୍ ଅଫ୍ ଇନଷ୍ଟିଚ୍ୟୁସନ୍ର ଅଧ୍ୟକ୍ଷ ତ୍ରିଦେବ ବେହେରା ଛାତ୍ରଛାତ୍ରୀଙ୍କୁ ସଫଳତାର ସୂତ୍ର କହିଥିଲେ। ଦଶମ ଓ ଦ୍ବାଦଶ ପରୀକ୍ଷାରେ ସଫଳତା ପାଇଥିବା ଛାତଛାତ୍ରୀ ଭବିଷ୍ୟତରେ ପଥଭ୍ରଷ୍ଟ ହେବାର ବହୁ ଉଦାହରଣ ରହିଛି। ପରୀକ୍ଷାରେ ୯୫ ପ୍ରତିଶତ ନମ୍ବର ରଖିବା ପରେ ନିଜକୁ ନମ୍ର କରି ଆଗକୁ ବଢ଼ିଲେ ସଫଳତା ମିଳିଥାଏ ବୋଲି ଶ୍ରୀ ବେହେରା କହିଥିଲେ। ଇଷ୍ଟର୍ଣ୍ଣ ମିଡିଆ ଲିମିଟେଡ୍ର ନିର୍ଦ୍ଦେଶିକା ଡକ୍ଟର ମୋନିକା ନୟାର ପଟ୍ଟନାୟକ ଯୋଗଦେଇ କୃତୀ ଛାତ୍ରଛାତ୍ରୀଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣ ବାହାରକୁ ଆଣିବାକୁ ପରାମର୍ଶ ଦେଇଥିଲେ। ସେହିପରି ‘ସମ୍ବାଦ’ ପକ୍ଷରୁ ବହୁବର୍ଷ ଧରି ରାଜ୍ୟର ମେଧାବୀ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ପାଇଁ ଆୟୋଜିତ ହୋଇ ଆସୁଥିବା ବିଭିନ୍ନ କାର୍ଯ୍ୟକ୍ରମ ଉପରେ କହିଥିଲେ।
ଶିକ୍ଷାର ମୂଲ୍ୟବୋଧକୁ ବୁଝି ଛାତ୍ରଛାତ୍ରୀ ଆଗକୁ ବଢ଼ନ୍ତୁ: ବୈଷ୍ଣବ ଚରଣ ସାମଲ
ସକାରାତ୍ମକ ଚିନ୍ତାଧାରା ରହିଲେ ସଫଳତା ମିଳିଥାଏ: ଡାକ୍ତର ପ୍ରଶାନ୍ତ ମିଶ୍ର
ଉତ୍ସବରେ ସଭାପତିତ୍ବ କରି ଶ୍ରୀ ପଟ୍ଟନାୟକ ୯୫ପ୍ରତିଶତରୁ ଅଧିକ ନମ୍ବର ରଖି କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀ, ଅଭିଭାବକ ଓ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ପ୍ରବୃତ୍ତି ଦେଖି ବୃତ୍ତି ଚୟନ କଲେ ସଫଳତା ମିଳିଥାଏ। ଭବିଷ୍ୟତରେ ପିଲା କ’ଣ ପଢ଼ିବ, ସେ ବିଷୟରେ ଅଭିଭାବକ ପିଲାକୁ ସ୍ବାଧୀନତା ପ୍ରଦାନ କରନ୍ତୁ ବୋଲି ସେ କହିଥିଲେ। ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ ଯେ, ମା’, ମାଟି ଓ ମାତୃଭାଷାକୁ ଭଲ ପାଇବା ସହ ମୋବାଇଲକୁ ନିଜ ନିୟନ୍ତ୍ରଣରେ ରଖିଲେ ଜଣେ ଛାତ୍ର ସଫଳତାର ଶୀର୍ଷରେ ପହଞ୍ଚିପାରିବ। ଛାତ୍ରଛାତ୍ରୀ ପ୍ରଶ୍ନ ପଚାରିବାର ଅଭ୍ୟାସ ରଖନ୍ତୁ। ଯାହା ତାଙ୍କୁ ସତ ନିକଟରେ ପହଞ୍ଚିବାରେ ସାହାଯ୍ୟ କରିବ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ କେଏମ୍ବିବି ଉଚ୍ଚ ମାଧ୍ୟମିକ ବିଜ୍ଞାନ ବିଦ୍ୟାଳୟର ପ୍ରିନ୍ସିପାଲ ଡକ୍ଟର ବିଜୁନି ଚରଣ ସୂତାର ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମରେ କଟକ, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ସିବିଏସ୍ଇ ଓ ଆଇସିଏସ୍ଇ ଦଶମ ଓ ଦ୍ବାଦଶ ପରୀକ୍ଷାରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ଓ ମେଡାଲ୍ ପ୍ରଦାନ କରାଯାଇଥିଲା। ‘ସମ୍ବାଦ’ ଡିଜିଟାଲ୍ର ମାର୍କେଟିଂ ମୁଖ୍ୟ ଲିଙ୍ଗରାଜ ଲେଙ୍କାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ପରିଚାଳନା କରାଯାଇଥିବା ବେଳେ ଡିଜିଏମ୍ ସୁଶାନ୍ତ ମହାପାତ୍ର ସମ୍ବର୍ଦ୍ଧନା ପର୍ବ ପରିଚାଳନା କରିଥିଲେ। ଉଦ୍ଘୋଷକ ଶୁଭଜିତ ପଣ୍ଡା ମଞ୍ଚ ପରିଚାଳନା ସହ ଧନ୍ୟବାଦ ଅର୍ପଣ କରିଥିଲେ।