ସାକ୍ଷୀଗୋପାଳ: ବିଦ୍ୟାଳୟର ଋଣ ପରିଶୋଧ ପାଇଁ ଛାତ୍ରଛାତ୍ରୀମାନେ ସଂକଳ୍ପ ନେବାକୁ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ଆହ୍ବାନ ଦେଇଛନ୍ତି। ଗୁରୁବାର ସତ୍ୟବାଦୀ ବ୍ଲକ୍‌ ବୀରରାମଚନ୍ଦ୍ରପୁର ଉଚ୍ଚପ୍ରାଥମିକ ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ପରିଷଦ ପକ୍ଷରୁ ଆୟୋଜିତ ପ୍ରତିମୂର୍ତ୍ତି ଉନ୍ମୋଚନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଶ୍ରୀ ପଟ୍ଟନାୟକ ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କୁ ସ୍ମରଣ କରିଥିଲେ। ପଞ୍ଚସଖାଙ୍କ ଶପଥ ପାଳନ କଲେ ମାତୃଭୂମିର ସାମୂହିକ ଉନ୍ନତି ସାଙ୍ଗକୁ ଆମ ମାତୃଭାଷା ଆହୁରି ବଳିଷ୍ଠ ହେବ। ଆସନ୍ତା ୨୦ରୁ ୩୦ବର୍ଷ ତାପମାତ୍ରା ବୃଦ୍ଧି ଅସହ୍ୟ ହେବ। ଏହାକୁ ରୋକିବା ଲାଗି ସଭିଁଏ ଘରେ ଘରେ ଚାରାରୋପଣ କରନ୍ତୁ। ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଆହ୍ବାନ ‘ମୋତେ ତୁମେ ରକ୍ତଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଆହ୍ବାନକୁ ସ୍ମରଣ କରି ଶ୍ରୀ ପଟ୍ଟନାୟକ କହିଥିଲେ, ବର୍ତ୍ତମାନ ଦେଶ ସ୍ୱାଧୀନ ହୋଇଗଲାଣି। ମାତ୍ର ଆଜି ବି ରକ୍ତଦାନର ଆବଶ୍ୟକତା ରହିଛି। ରକ୍ତଦାନ ଦ୍ବାରା ଜଣେ ଅସୁସ୍ଥ ବ୍ୟକ୍ତିର ଜୀବନ ରକ୍ଷା ହେଉଛି। ତେଣୁ ପ୍ରତ୍ୟେକ ସୁସ୍ଥ, ସବଳ ଯୁବକଯୁବତୀ ସ୍ବେଚ୍ଛାକୃତ ଭାବେ ରକ୍ତଦାନ ପାଇଁ ଆଗେଇ ଆସିବା ଆବଶ୍ୟକ। ଆଜିର ବିଦ୍ୟାର୍ଥୀମାନେ ସରକାରୀ ବିଦ୍ୟାଳୟ ଓ ବେସରକାରୀ ବିଦ୍ୟାଳୟର ଛାତ୍ରଛାତ୍ରୀ ଏହିପରି ଦୁଇଟି ବର୍ଗରେ ବିଭକ୍ତ ହୋଇଗଲେଣି l ଏଥିରୁ ମୁକ୍ତି ପାଇଁ ସତ୍ୟବାଦୀ ଅଞ୍ଚଳର ଶିକ୍ଷକ ଓ ଶିକ୍ଷୟିତ୍ରୀମାନେ ଉତ୍କଳମଣିଙ୍କ ମଣିଷଗଢ଼ା କାରଖାନା ଢାଞ୍ଚାରେ ଉତ୍ତମ ଶିକ୍ଷାଦାନ କରି ଭଲ ଛାତ୍ରଛାତ୍ରୀ ଗଢ଼ି ତୋଳିବାକୁ ସଂକଳ୍ପ ନିଅନ୍ତୁ। ଏଥିସହ ସରକାରୀ ଶିକ୍ଷାନୁଷ୍ଠାନମାନଙ୍କରେ ପାଠପଢ଼ି ଯେଉଁମାନେ ନିଜନିଜ କ୍ଷେତ୍ରରେ ପ୍ରତିଷ୍ଠିତ ହୋଇଛନ୍ତି ସେମାନେ ମଧ୍ୟ ନିଜ ଶିଷାନୁଷ୍ଠାନର ଉନ୍ନତି ପ୍ରତି ସମର୍ପିତ ହେବା ଦରକାର ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।

Advertisment

ବୀରରାମଚନ୍ଦ୍ରପୁର ସ୍କୁଲରେ ବରପୁତ୍ରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ 

ପୁରାତନ ଛାତ୍ର ପରିଷଦର ସଭାପତି ବ୍ରଜକିଶୋର ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଅବସରପ୍ରାପ୍ତ ବିଚାରପତି ସୁଶ୍ରୀ ଦେବଯାନୀ ଦାସ କହିଥିଲେ ଯେ ପ୍ରତି ମହାପୁରୁଷଙ୍କ ଜନ୍ମଦିନ ଓ ତିରୋଧାନ ଦିବସ ପାଳନ ହେବା ଆବଶ୍ୟକ। ଫଳରେ ନୂଆ ପିଢ଼ି ସେମାନଙ୍କ ଦେଶପ୍ରେମ ଓ ସମାଜିକ ଅବଦାନ ସଂପର୍କରେ ଜାଣିବାର ସୁଯୋଗ ପାଇବେ। ଜୟୀ ରାଜଗୁରୁ ସ୍ମୃତି କମିଟି ସମ୍ପାଦକ ଡ. ଜଟାଧାରୀ ମିଶ୍ର କହିଥିଲେ, ୧୭୭୯ ମସିହାରେ ଗଜପତି ବୀରକିଶୋର ଦେବଙ୍କ ଶାସନ ସମୟରେ ମରହଟ୍ଟା ଓ ହାଇଦ୍ରାବାଦ ନିଜାମଙ୍କ ଆକ୍ରମଣ ସମୟରେ ଜୟୀ ରାଜଗୁରୁ ଅସୀମ ବୀରତ୍ବ ପ୍ରଦର୍ଶନ କରିଥିଲେ। ଏ ସମ୍ପର୍କରେ ବର୍ତ୍ତମାନ ପୁଙ୍ଖାନୁପୁଙ୍ଖ ଗବେଷଣା ହେବା ଫଳରେ ଜୟୀ ରାଜଗୁରୁଙ୍କ ସଂଗ୍ରାମକୁ ଇତିହାସରେ ସ୍ବତନ୍ତ୍ର ସ୍ଥାନ ମିଳିପାରିଛି। ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂହ କହିଥିଲେ, ସୌମ୍ୟ ବାବୁ ଭାଷା ଆନ୍ଦୋଳନ, ଚାଷୀ ଆନ୍ଦୋଳନ ସହିତ ଓଡ଼ିଶା ତଥା ଓଡ଼ିଆର ସ୍ୱାର୍ଥରକ୍ଷା ନିମନ୍ତେ ଅହରହ ସଂଗ୍ରାମ କରୁଛନ୍ତି। ସତ୍ୟବାଦୀ ଯୁଗର ପଞ୍ଚସଖାଙ୍କ ନାମରେ ପାଞ୍ଚଟି ରାଜ୍ୟସ୍ତରୀୟ ପୁରସ୍କାର ପ୍ରଦାନ ସହ ପଞ୍ଚସଖାଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଓ ତିରୋଧାନ ଦିବସ ପାଳନ ପାଇଁ ସେ ସରକାରଙ୍କୁ ପରାମର୍ଶ ଦେଇଥିଲେ। ଅନ୍ୟତମ ଅତିଥି ଭାବେ ସତ୍ୟବାଦୀ ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନୀଲ କୁମାର ପଣ୍ଡା, ଉତ୍କଳ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାସ ବକ୍ତବ୍ୟ ରଖିଥିଲେ। ପ୍ରାରମ୍ଭରେ ବିଦ୍ୟାଳୟ ସମ୍ମୁଖରେ ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳଗୌରବ ମଧୁସୂଦନ ଦାସ, ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ସହିଦ ଜୟୀ ରାଜଗୁରୁ ଓ ଶିକ୍ଷକ ଭୋଳାନାଥ ପତିଙ୍କ ପ୍ରତିମୂର୍ତ୍ତିକୁ ଅତିଥିଗଣ ଉନ୍ମୋଚନ କରିଥିଲେ। ଏହି ଅବସରରେ ରମାସୁନ୍ଦରୀ ପତି, ପ୍ରଫେସର ବୃନ୍ଦାବନ ରଥ, ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଦେବରାଜ ରଥ, ଡାକ୍ତର ନରହରି ମିଶ୍ର, ସଙ୍ଗୀତଜ୍ଞ କୃଷ୍ଣଚନ୍ଦ୍ର ମହାପାତ୍ର ଓ ଶିକ୍ଷୟିତ୍ରୀ ସୁଜାତା ଦେବୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଛାତ୍ରୀ ଦେବସ୍ମିତା ହୋତା ବନ୍ଦେ ଉତ୍କଳ ଜନନୀ ଗାନ କରିଥିବା ବେଳେ ପୁରାତନ ଛାତ୍ର ସଂସଦର ସମ୍ପାଦକ ସବୁଜ କେଶରୀ ମିଶ୍ର ବିବରଣୀ ପାଠ କରିଥିଲେ। ସଂଗ୍ରାମ କେଶରୀ ମିଶ୍ର କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।