ଯାଜପୁରସଦର/ଟାଉନ୍ : ଆମର ଶିକ୍ଷକ ନାହାନ୍ତି, ଆମଠାରୁ ଅଧିକ ଆଶା କରନ୍ତୁ ନାହିଁ। ପରୀକ୍ଷା ଖାତାରେ ଏଭଳି ଉତ୍ତର ଲେଖି ଜଣେ ନବମ ଶ୍ରେଣୀ ଛାତ୍ର ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି। ଯାଜପୁର ବ୍ଲକ୍ର ଅଡ଼ଙ୍ଗସ୍ଥିତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ସରକାରୀ ଉଚ୍ଚବିଦ୍ୟାଳୟର ଶିକ୍ଷକ ଅଭାବରୁ ପାଠପଢ଼ାରେ ସମସ୍ୟା ହେଉଥିବାରୁ ଛାତ୍ରଜଣକ ଉତ୍ତର ଖାତାରେ ଅଜବ ଉତ୍ତର ଲେଖି ଖୋଲାଖୋଲି ଶିକ୍ଷା ବ୍ୟବସ୍ଥା ଉପରେ ପ୍ରଶ୍ନ ଚିହ୍ନ ଲଗାଇ ଦେଇଛନ୍ତି। ଯାହା କି ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି।
ସୂଚନା ଅନୁସାରେ,ଯାଜପୁର ବ୍ଲକ୍ର ଅଡ଼ଙ୍ଗସ୍ଥିତ ପ୍ରହଲ୍ଲାଦ ଚନ୍ଦ୍ର ବ୍ରହ୍ମଚାରୀ ଉଚ୍ଚବିଦ୍ୟାଳୟରେ କୌଣସି ସଂସ୍କୃତ ଶିକ୍ଷକ ଓ ଇତିହାସ ଶିକ୍ଷକ ନାହାନ୍ତି। ୬ ମାସ ହେଲା ଏଠାରେ ଥିବା ଶିକ୍ଷକଙ୍କୁ ଡେପୁଟେସନ୍ରେ ପଠାଇ ଦିଆଯାଇଛି। ଫଳରେ ବିଦ୍ୟାଳୟର ନବମ ଓ ଦଶମ ଶ୍ରେଣୀର ପିଲାଙ୍କ ପାଠପଢ଼ାରେ ସମସ୍ୟା ହେଉଛି। ଏହି ବିଦ୍ୟାଳୟରେ ଶିକ୍ଷକ ଅଭାବ ନେଇ ଛାତ୍ରଛାତ୍ରୀ ପ୍ରତିବାଦ କରୁଥିଲେ ମଧ୍ୟ ସମସ୍ୟାର ଏଯାଏ ସମାଧାନ ହୋଇପାରି ନାହିଁ। ଛାତ୍ରଛାତ୍ରୀ ଓ ଅଭାଭାବକ ଅଭିଯୋଗ କରିଛନ୍ତି ଯେ ସଂସ୍କୃତ ଓ ଇତିହାସ ଶିକ୍ଷକଙ୍କୁ ନିଯୁକ୍ତି ଦେବାକୁ ପ୍ରଧାନଶିକ୍ଷୟିତ୍ରୀଙ୍କ ନିକଟରେ ଦାବି କରିଥିଲୁ। ଆମ ହାତରେ କିଛି ନାହିଁ ଶିକ୍ଷା ବିଭାଗ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରନ୍ତୁ ବୋଲି ସେ କହିଥିଲେ। ପରୀକ୍ଷା କିପରି ଦେବୁ ବୋଲି ପ୍ରଶ୍ନ କଲେ ବହିଖାତା ଦେଖି ଉତ୍ତର ଦିଅନ୍ତୁ କହି ବିରକ୍ତି ପ୍ରକାଶ କରୁଥିଲେ ବୋଲି ଛାତ୍ରଛାତ୍ରୀ ଅଭିଯୋଗ କରିଛନ୍ତି। ତେଣୁ ଆଜି ସଂସ୍କୃତ ପରୀକ୍ଷା ଖାତାରେ ‘ଆମର ଶିକ୍ଷକ ନାହାନ୍ତି, ତେଣୁ ଆମଠୁ ଅଧିକ କିଛି ଆଶା କରନ୍ତୁନି ବୋଲି ଲେଖିଥିଲି ବୋଲି ଛାତ୍ର ଜଣକ କହିଛନ୍ତି। ଆଜି ଏଠାରେ ନବମ ଶ୍ରେଣୀରେ ୯୫ଜଣ ପିଲା ପରୀକ୍ଷା ଦେଇଥିଲେ।
ଏ ସଂପର୍କରେ ବିଦ୍ୟାଳୟ ପ୍ରଧାନ ଶିକ୍ଷୟିତ୍ରୀ ସଂଯୁକ୍ତା ଦେଇଙ୍କୁ ଯୋଗାଯୋଗ କରାଯିବାରୁ ଏଠାକାର ସଂସ୍କୃତ ଓ ଇତିହାସ ଶିକ୍ଷକଙ୍କୁ ଡେପୁଟେସନ୍ରେ ଅନ୍ୟତ୍ର ପଠାଇ ଦିଆଯାଇଛି। ସମସ୍ୟା ସଂପର୍କରେ ଶିକ୍ଷା ବିଭାଗ ଉଚ୍ଚ ଅଧିକାରୀଙ୍କୁ ଅବଗତ କରାଯାଇଛି ବୋଲି ସେ କହିଛନ୍ତି। ବିଇଓ ସ୍ମୃତିରେଖା ନାୟକଙ୍କୁ ଯୋଗାଯୋଗ ଉଦ୍ୟମ କରାଯାଇଥିଲେ ମଧ୍ୟ ପ୍ରତିକ୍ରିୟା ମିଳିପାରିନି।