ଓଡ଼ିଶା ପୁଲିସର ଚାଞ୍ଚଲ୍ୟକର ରିପୋର୍ଟ: ଛାତ୍ରଛାତ୍ରୀଙ୍କ ଆତ୍ମହତ୍ୟାରେ ଓଡ଼ିଶା ନଂ-୨

୨୦୨୦ରେ ୧,୪୬୯ ଆତ୍ମହତ୍ୟା, ୫ ବର୍ଷରେ ୩ହଜାର ୧୦୦

କଟକ : ବିଜେବି ସ୍ବୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟାକୁ ନେଇ ସାରାରାଜ୍ୟରେ ଚର୍ଚ୍ଚା ଚାଲିଥିବାବେଳେ ଆତ୍ମହତ୍ୟାକୁ ନେଇ ଓଡ଼ିଶା ପୁଲିସର ଏକ ଚାଞ୍ଚଲ୍ୟ ସୃଷ୍ଟିକାରୀ ରିପୋର୍ଟ ସାମ୍ନାକୁ ଆସିଛି। ୨୦୨୦ ମସିହାରେ ସାରାଦେଶରେ ଛାତ୍ରଛାତ୍ରୀ ଆତ୍ମହତ୍ୟା ଘଟଣାରେ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଛି। ବିଗତ ବର୍ଷମାନଙ୍କର ଆତ୍ମହତ୍ୟାର ଏକ ଲମ୍ବା ରେକର୍ଡକୁ ଏହି ବର୍ଷ ଭାଙ୍ଗିଦେଇଛି। ମୋଟ ୧,୪୬୯ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ଦେଶର ଭବିଷ୍ୟତ କୁହାଯାଉଥିବା ଛାତ୍ରଛାତ୍ରୀ ହଠାତ୍‌ ଏତେସଂଖ୍ୟାରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେବାଭଳି ଉଦ୍‌ବେଗଜନକ ଚିତ୍ର ରାଜ୍ୟବାସୀଙ୍କୁ ଚିନ୍ତାରେ ପକାଇଛି।

ରିପୋର୍ଟ ଅନୁସାରେ, ୨୦୨୦ ମସିହାରେ ୧,୪୬୯ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିବା ଯୋଗୁ ଓଡ଼ିଶା ଦ୍ବିତୀୟ ସ୍ଥାନରେ ରହିଥିବାବେଳେ ପ୍ରଥମ ସ୍ଥାନରେ ରହିଛି ମହାରାଷ୍ଟ୍ର। ଏହି ରାଜ୍ୟରେ ୧,୬୪୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ତୃତୀୟ ସ୍ଥାନରେ ଥିବା ମଧ୍ୟପ୍ରଦେଶରେ ୧,୧୫୮ ଜଣ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୧୯ରେ ୩୭୯, ୨୦୧୮ରେ ୫୦୧, ୨୦୧୭ରେ ୩୬୧, ୨୦୧୬ରେ ୩୯୦ ଛାତ୍ରଛାତ୍ରୀ ଆତ୍ମହତ୍ୟା କରିଛନ୍ତି। ୨୦୨୦ରୁ ୨୦୧୬ ଭିତରେ ମୋଟ ୩,୧୦୦ ଜଣ ଆତ୍ମହତ୍ୟା କରିଥିବାବେଳେ ଛାତ୍ରଙ୍କ ସଂଖ୍ୟା ୧,୮୪୮ ଏବଂ ଛାତ୍ରୀଙ୍କ ସଂଖ୍ୟା ୧,୨୫୨ ଥିବା ଓଡ଼ିଶା ପୁଲିସ ରିପୋର୍ଟରୁ ସୂଚନା ମିଳିଛି।

The New Indian Express

ଗଲା ଦୁଇବର୍ଷରେ ରାଜ୍ୟରେ ଚର୍ଚ୍ଚିତ ଛାତ୍ରଛାତ୍ରୀ ଆତ୍ମହତ୍ୟା ତାଲିକା ଅନୁଯାୟୀ, ୨୦୨୨ ଜୁନ୍‌ ୧ରେ ରେଭେନ୍ସା ବିଶ୍ବବିଦ୍ୟାଳୟର ଆଇଟିଏମ୍ ତୃତୀୟବର୍ଷ ଛାତ୍ର ଏସ୍. ଅମିତ କୁମାର ପ୍ରେମ ବ୍ୟାପାରକୁ ନେଇ ଛାତ୍ରାବାସରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। ୨୦୨୨ ମେ ୧୦ରେ ଅନୁଗୁଳର ଏକ ଘରୋଇ ଶିକ୍ଷାନୁଷ୍ଠାନର ଯୁକ୍ତଦୁଇ ଶେଷବର୍ଷ ଛାତ୍ର ଅବିନାଶ ପ୍ରଧାନ ଢେଙ୍କାନାଳର ଏକ ଘରୋଇ କଲେଜ କ୍ୟାମ୍ପସ୍‌ରେ ପାଠପଢ଼ାକୁ ନେଇ ଫ୍ୟାନ୍‌ରେ ଝୁଲି ଆତ୍ମହତ୍ୟା କରିଥିଲେ। ୨୦୨୨ ଏପ୍ରିଲ୍‌ ୩୦ରେ କଟକ ସଦର ଶଙ୍ଖତ୍ରାସ ସରକାରୀ ଉଚ୍ଚ ବିଦ୍ୟାଳୟ ବାରଣ୍ଡାରେ ବ୍ରାହ୍ମଣଝରିଲୋ କଲେଜରେ ଯୁକ୍ତଦୁଇ ପ୍ରଥମବର୍ଷ ଛାତ୍ର ରୁଦ୍ରପ୍ରକାଶ ଭୋଇ ଓ ଖଲର୍ଦ୍ଦାର ସୋନାଲି ବାରିକ ବେକରେ ଶାଢ଼ି ବାନ୍ଧି ଆତ୍ମହତ୍ୟା କରିଥିଲେ। ପ୍ରେମ ସମ୍ପର୍କକୁ ସ୍ବୀକୃତି ନମିଳିବାରୁ ଆତ୍ମହତ୍ୟା କରିଥିଲେ। ୨୦୨୨ ଏପ୍ରିଲ୍‌ ୨୨ରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଏବଂ ହସପିଟାଲ୍‌ର ପଞ୍ଚମବର୍ଷ ଏମ୍‌ବିବିଏସ୍ ଛାତ୍ର ହରିଆନାର ନିଶାନ୍ତ କୁମାର ସିନିୟର୍‌ଙ୍କ ରାଗିଂ ଯୋଗୁଁ ହଷ୍ଟେଲ କୋଠାରୁ ଡେଇଁ ଆତ୍ମହତ୍ୟା କରିଥିଲେ।

Patrika

୨୦୨୨ ଏପ୍ରିଲ୍‌ ୪ରେ କଟକ ନରାଜସ୍ଥିତ ଜାତୀୟ ଆଇନ ବିଶ୍ବବିଦ୍ୟାଳୟ(ଏନ୍‌ଏଲ୍‌ୟୁ)ର ଦ୍ବିତୀୟବର୍ଷ ଛାତ୍ରୀ ହରିଆନାର ସୁରଭୀ ପଞ୍ଚପାଲ ଅଭିଭାବକଙ୍କ ସହିତ ବିବାଦ ଯୋଗୁଁ ବେକରେ ଓଢ଼ଣୀ ବାନ୍ଧି ଛାତ୍ରାବାସରେ ଆତ୍ମହତ୍ୟା କରିଥିଲେ। ୨୦୨୧ ଅକ୍ଟୋବର ୬ରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଏବଂ ହସପିଟାଲ୍‌ର ଡାକ୍ତରୀ ଛାତ୍ରୀ ନିରୁପମା ନନ୍ଦ ଛାତ୍ରାବାସ ଝରକାରେ ସ୍କ୍ରାପ୍ ବାନ୍ଧି ଝୁଲିଥିବା ଦେଖିବାକୁ ମିଳିଥିବା ବେଳେ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ୨୦୨୧ ଅକ୍ଟୋବର ୬ରେ ଗୁଣୁପୁରର ଏକ ଶିକ୍ଷାନୁଷ୍ଠାନରେ ବିଟେକ୍ ତୃତୀୟବର୍ଷ ଛାତ୍ର ଶ୍ରୀତମ ସ୍ବାଇଁ କଟକ ବାଦାମବାଡ଼ିର ଏକ ହୋଟେଲରେ ବିଷ ପିଇ ଆତ୍ମହତ୍ୟା କରିଥିଲେ। କଟକ ବଡ଼ ଡାକ୍ତରଖାନାର ଲାବୋରେଟୋରି ଟେକ୍‌ନିସିଆନ୍ ଛାତ୍ର କେନ୍ଦୁଝରର ହୃଷିକେଶ ନାୟକ ୨୦୨୧ ଅଗଷ୍ଟ ୧୫ରେ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ। ୨୦୨୧ ଅଗଷ୍ଟ ୩ ରେ କଟକ ଖ୍ରୀଷ୍ଟ କଲେଜର ଛାତ୍ର ତୁଷାରକାନ୍ତ ସାହୁ ତ୍ରିକୋଣୀୟ ପ୍ରେମକୁ ନେଇ ମହାନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ।

ବରିଷ୍ଠ ମାନସିକ ରୋଗ ବିଶେଷଜ୍ଞ ଡାକ୍ତର ପ୍ରଶାନ୍ତ କୁମାର ମହାପାତ୍ରଙ୍କ କହିବା ଅନୁଯାୟୀ, ଛାତ୍ରଛାତ୍ରୀମାନେ ଗୋଟିଏ ପରିବେଶରୁ ଆଉ ଏକ ପରିବେଶକୁ ଯାଇ ନିଜକୁ ଖାପ ଖୁଆଇବା ବେଳେ ମାନସିକ ଚାପ ସହିତ ପାଠପଢ଼ା ଚାପରେ ଥାଆନ୍ତି। ଏହିସମୟରେ କେହି ତାଙ୍କୁ କଟୁ କଥା କହିଲେ ଅନେକ ସମୟରେ ଅପମାନିତ ଅନୁଭବ କରି ଆତ୍ମହତ୍ୟା ଭଳି ଚରମ ନିଷ୍ପତ୍ତି ନେଉଛନ୍ତି। ଛାତ୍ରଛାତ୍ରୀଙ୍କୁ ଶିକ୍ଷକ ଏବଂ ସହପାଠୀଙ୍କ ଦ୍ବାରା ନିୟମିତ କାଉନସେଲିଂର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର