ଗଞ୍ଜାମ: ବୁଧବାର ପୂର୍ବାହ୍ଣରେ ନୂଆପଡ଼ାସ୍ଥିତ ମାର୍ଗଦର୍ଶୀ ଶିଶୁମନ୍ଦିରର ଗୋଟାଏ ଭ୍ୟାନ୍ ପୋଖରୀରେ ପଡ଼ିଯିବାରୁ କେତେକ ଛାତ୍ରଛାତ୍ରୀ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ସୌଭାଗ୍ୟବଶତଃ ସ୍କୁଲ ଛାତ୍ରଛାତ୍ରୀ ଏକ ପ୍ରକାର ମୃତ୍ୟୁମୁଖରୁ ଅଳ୍ପକେ ବର୍ତ୍ତି ଯାଇଥିଲେ କହିଲେ ଅତ୍ୟୁକ୍ତି ହେବନାହିଁ।
ସ୍କୁଲ୍ ଛୁଟି ହେବା ପରେ OR-07D-9677 ନମ୍ବରବିଶିଷ୍ଟ ଟାଟା ମେଜିକ୍ ଭ୍ୟାନ୍ଟି ୨୩ ଜଣ ପିଲାଙ୍କୁ ବସାଇ ଘରକୁ ଛାଡ଼ିବାକୁ ନେଉଥିଲା। ପହଁରାବାଡ଼ି ଗାଁ ଛକ ନିକଟ ରାସ୍ତା ବୁଲାଣିରେ ବୁଲିବା ସମୟରେ ଗାଡ଼ିଟି ସେଠାରେ ଥିବା ପୋଖରୀ ମଧ୍ୟକୁ ଗଡ଼ିଯାଇଥିଲା। ଫଳରେ ପାଣି ଭର୍ତ୍ତି ଥିବା ପୋଖରୀ ଭିତରେ ବୁଡ଼ି ଯାଇଥିଲା ସ୍କୁଲ ଭ୍ୟାନ। ସୌଭାଗ୍ୟବଶତଃ ସେଠାରେ ସ୍ଥାନୀୟ ଲୋକ ଉପସ୍ଥିତ ଥିଲେ। ଲୋକେ ପାଣି ଭିତରେ ପଡ଼ିଥିବା ଗାଡ଼ିରୁ ପିଲାମାନଙ୍କୁ ଉଦ୍ଧାର କରିଥିଲେ।
ଚିକିତ୍ସା ନିମନ୍ତେ ଆହତ ପିଲାମାନଙ୍କୁ ନୂଆପଡ଼ା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସରିତା ଗୌଡ଼ ନାମ୍ନା ଜଣେ ଛାତ୍ରୀଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ଉନ୍ନତ ଚିକିତ୍ସା ନିମନ୍ତେ ତାଙ୍କୁ ବ୍ରହ୍ମପୁରସ୍ଥିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଇଛି।