ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ ହେବେ ଛାତ୍ରଛାତ୍ରୀ, ଶିକ୍ଷକ

‘କ୍ୱେଷ୍ଟ ଆଲିଆନ୍ସ’ ଓ ‘ମୋ ସ୍କୁଲ୍ ଅଭିଯାନ’ ମଧ୍ୟରେ ରାଜିନାମା
ଉପକୃତ ହେବେ ୨୦ହଜାର ଶିକ୍ଷକଶିକ୍ଷୟିତ୍ରୀ, ୬୦ଲକ୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର : ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟରେ ଶିକ୍ଷା ଲାଭ କରୁଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ଟେକ୍ନୋଲୋଜି ଓ ପଠନଶୈଳୀ ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ ଲାଗି ଆଜି ‘କ୍ୱେଷ୍ଟ ଆଲିଆନ୍ସ’ ଓ ‘ମୋ ସ୍କୁଲ୍ ଅଭିଯାନ’ ମଧ୍ୟରେ ଏକ ରାଜିନାମା ସ୍ୱାକ୍ଷରିତ ହୋଇଛି। ଏହା ମାଧ୍ୟମରେ ଆସନ୍ତା ୩ ବର୍ଷରେ ୪ ହଜାର ହାଇସ୍କୁଲ୍‌ର ୨୦ ହଜାର ଶିକ୍ଷକ ଶିକ୍ଷୟିତ୍ରୀ ଓ ୧୬ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଡିଜିଟାଲ୍ କ୍ଷେତ୍ରରେ ଦକ୍ଷ କରାଯିବ। ଏହାସହ ଛାତ୍ରଛାତ୍ରୀଙ୍କ ମଧ୍ୟରେ ‘ଷ୍ଟେମ୍‌’(ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା, ଇଂଜିନିୟରିଂ, ଗଣିତ) ଶିକ୍ଷାର ପ୍ରଚାରପ୍ରସାର କ୍ଷେତ୍ରରେ ‘ମୋ ସ୍କୁଲ୍‌’ ଓ ‘କ୍ୱେଷ୍ଟ ଆଲିଆନ୍ସ’ ମିଳିତ ଭାବେ କାର୍ଯ୍ୟ କରିବେ। ‘କ୍ୱେଷ୍ଟ ଆଲିଆନ୍ସ’ର ବିଶେଷଜ୍ଞ ଟିମ୍ ବିଦ୍ୟାଳୟରେ କ୍ୟାରିୟର କାଉନସେଲିଂ ଅଧିବେଶନ ଆୟୋଜନ କରିବେ।

ପ୍ରତ୍ୟେକ ବିଦ୍ୟାଳୟରୁ ଦୁଇଜଣ ଲେଖାଏଁ ଶିକ୍ଷକଙ୍କୁ ମନୋନୀତ କରାଯାଇ ସେମାନଙ୍କୁ ପ୍ରଶିକ୍ଷକ ଭାବେ ବିକଶିତ କରାଯିବ। ପରବର୍ତ୍ତୀ ସମୟରେ ସେମାନେ ଅନ୍ୟ ଶିକ୍ଷକ ଶିକ୍ଷୟିତ୍ରୀ ଓ ଛାତ୍ରଛାତ୍ରୀଙ୍କୁ ବୈଷୟିକ ଜ୍ଞାନକୌଶଳରେ ପ୍ରଶିକ୍ଷିତ କରିବେ। ସେହିପରି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମନୋଭାବର ବିକାଶ ସହ ସେମାନଙ୍କୁ ଲାଇଫ୍ ସ୍କିଲ୍ ସମ୍ପର୍କରେ ମଧ୍ୟ ଅବଗତ କରାଯିବ। ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି କାର୍ଯ୍ୟକ୍ରମରେ ଗୋଷ୍ଠୀ ସହଭାଗିତାକୁ ମଧ୍ୟ ଗୁରୁତ୍ୱ ଦିଆଯିବ। ନିୟମିତ ବ୍ୟବଧାନରେ ଅଭିଭାବକଙ୍କୁ ନେଇ ୱେବିନାରର ଆୟୋଜନ କରାଯିବ ଏବଂ ପିଲାଙ୍କ ପାଠପଢ଼ା, ସେମାନଙ୍କ ଶୈକ୍ଷିକ ବିକାଶ ସମ୍ପର୍କରେ ଅବଗତ କରାଯିବ। ତୋଷାଳି ଭବନସ୍ଥିତ ମୋ ସ୍କୁଲ୍ ଅଭିଯାନ ପରିଚାଳନା ସଙ୍ଗଠନ କାର୍ଯ୍ୟାଳୟରେ ଅନୁଷ୍ଠିତ ରାଜିନାମା ସ୍ୱାକ୍ଷର କାର୍ଯ୍ୟକ୍ରମରେ ମୋ ସ୍କୁଲ୍ ଅଧ୍ୟକ୍ଷା ସୁସ୍ମିତା ବାଗ୍‌ଚୀ, ମୋ ସ୍କୁଲ୍ ସଦସ୍ୟ ସଚିବ ଓ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ ପ୍ରାଧିକରଣ ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ସାହା, ମୋ ସ୍କୁଲ୍ ଅଭିଯାନ ଭାରପ୍ରାପ୍ତ ଅଧିକାରୀ ପ୍ରତିଭା ଦୋରା, କ୍ୱେଷ୍ଟ ଆଲିଆନ୍ସ ସିଇଓ ଆକାଶ ସେଠୀ ଓ ନିର୍ଦ୍ଦେଶିକା ନେହା ପର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ମୋ ସ୍କୁଲ୍ ପକ୍ଷରୁ ଅନୁପମ ସାହା ଓ କ୍ୱେଷ୍ଟ ଆଲିଆନ୍ସ ପକ୍ଷରୁ ଆକାଶ ସେଠୀ ରାଜିନାମା ସ୍ୱାକ୍ଷର କରିଥିଲେ।

ସମ୍ବନ୍ଧିତ ଖବର